ରୁବାଲ ମୌଜା : ଅଜ୍ଞାନତାର ଗହ୍ବରରେ ବାସିନ୍ଦା, ଅଭିଭାବକଙ୍କ ପାଇଁ ମଦ ‌ବୋହୁଛନ୍ତି କୋମଳମତି ଶିଶୁ

ରୁବାଲ ମୌଜା : ଅଜ୍ଞାନତାର ଗହ୍ବରରେ ବାସିନ୍ଦା, ଅଭିଭାବକଙ୍କ ପାଇଁ ମଦ ‌ବୋହୁଛନ୍ତି କୋମଳମତି ଶିଶୁ

ରା.ଉଦୟଗିରି : ଅଜ୍ଞାନତାର ଗହ୍ବରରେ ବୁଡ଼ି ରହିଛନ୍ତି ଏଠିକାର ବାସିନ୍ଦା। ଅଭାବ ଅନଟନରେ ସଢ଼ୁଥିବା ଲୋକଙ୍କୁ ଗଣ୍ଡାଏ ଖାଇବାକୁ ମିଳିଗଲେ କାମ ସରିଗଲା ବୋଲି ମନେ କରନ୍ତି। ଆଉ, ସନ୍ଧ୍ୟା ହୋଇଗଲେ ଦେଶୀ ମଦର ଆସର ଜମେ। ଏଥିରେ ପିଲାଏ ବି ସହଯୋଗ କରନ୍ତି। ଅଭିଭାବକଙ୍କ ପାଇଁ ମଦ ଲୋଡ଼ି ଆଣନ୍ତି। ପାଠପଢ଼ା ଦୂରର କଥା। ଖା, ପି, ଆ, ମଦ ଆଦି ଛଡ଼ା ଆଉ କୌଣସି ଶବ୍ଦ ସତେ ‌ଯେମିତି ସେମାନଙ୍କୁ ବାପାମା’ଙ୍କ ପାଖରୁ ଶୁଣିବାକୁ ମିଳେନି। ଏଭଳି ଏକ ଅଶିକ୍ଷା ଅନ୍ଧକାରର ଅଞ୍ଚଳ ହେଲା ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ ପୁରୁଣାପାଣି ପଞ୍ଚାୟତ ରୁବାଲ ମୌଜାର ପିଆଶାଳ ଗ୍ରାମ।

ମାସିକ ଚାଉଳ ସରକାରୀ ସହାୟତା ରୂପେ ପାଇ ଅଭାବ ଅନଟନରେ ଚଳୁଥିବା ଏହି ଅଞ୍ଚଳବାସୀଙ୍କ ଅବସ୍ଥା କହିଲେ ନ ସରେ। ସେମାନଙ୍କ ଜୀବନଯାତ୍ରା ପରଖିବା ପାଇଁ ସେଠାରେ ପହଞ୍ଚିବା ବେଳକୁ ବାଜି ଯାଇଥିଲା ରାତି ୯ଟା। ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ। ୩ଜଣ ନାବାଳକ(ସମସ୍ତେ ୧୨ବର୍ଷ ମଧ୍ୟରେ) ମଦ ନେବା ପାଇଁ ଆସିଥିଲେ ୩ଟି ବୋତଲ ଧରି ବାପମା’ଙ୍କ ପାଇଁ । ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ଶିକ୍ଷା ବିଭାଗର ତତ୍ପରତା । କିଭଳି ଅଜ୍ଞାନତାର ଅନ୍ଧକାର ମଧ୍ୟରେ ସେମାନେ ଜୀବନ ନିର୍ବାହ କରୁଛନ୍ତି। ସେହିଭଳି, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ନାହିଁ ।

ଶିଆଳିଲଟି ପଞ୍ଚାୟତରୁ ଅଲଗା ହେବା ପରେ ପୁରୁଣାପାଣି ପଞ୍ଚାୟତରେ ବହୁତ କିଛି ପରିବର୍ତ୍ତନ ଆଶା କରାଯାଉଥିଲା। ହେଲେ, ଅନ୍ଧକାର ଯେମିତି ପିଛା ଛାଡ଼ୁନି ଅଞ୍ଚଳବାସୀଙ୍କର। ତେବେ, ରାଇବାଡ଼ ଠାରୁ ଭାଲୁଘରା ଦେଇ ଫୁଲଶର(ଲୁହା ଖମ୍ବେଶ୍ବର) ପାହାଡ଼ ପର୍ଯ୍ୟନ୍ତ ରାସ୍ତା ହୋଇସାରିଥିବାରୁ ପ୍ରାଶାସନିକ ଅଧିକାରୀଙ୍କୁ ଏହି ଅଞ୍ଚଳରେ ପହଂଚିବା ପାଇଁ ଆଉ ବିଶେଷ କଷ୍ଟ କରିବାକୁ ପଡିବ ନାହିଁ । ଏଣୁ, ବର୍ତ୍ତମାନ ହେଲେ ଅଞ୍ଚଳର ବିକାଶ ସାଧିତ ହେବ ବୋଲି ଆଶା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe