ଚିରଞ୍ଜୀବଙ୍କ ଭିଡିଓକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ସାହ

Advertisment

୨୪ରେ ବିଧାୟକ ଭାବେ ସୁଯୋଗ ଦିଅ, ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଲଢ଼ିବି

୨୪ରେ ବିଧାୟକ ଭାବେ ସୁଯୋଗ ଦିଅ, ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଲଢ଼ିବି

ଚିରଞ୍ଜୀବଙ୍କ ଭିଡିଓକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ସାହ

Sambad

ଜଗତସିଂହପୁର ଟାଉନ୍: ୨୪ରେ କିଏ ହେବ ଜଗତସିଂହପୁର ବିଧାୟକ? କିଏ ହାତେଇବ ବିଜେଡି ଟିକଟ? କଂଗ୍ରେସ ଓ ବିଜେପିରୁ କିଏ ଲଢ଼ିବ? ଏବେଠୁ ଚବିଶ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ବେଳେ ବିଜେଡି ଟିକଟ ଉପରେ ସମସ୍ତଙ୍କ ନଜର। ବର୍ତ୍ତମାନର ବିଧାୟକ ତଥା ସରକାରୀ ଦଳ ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ଟିକଟ ମିଳିବ ବୋଲି ତାଙ୍କ ସମର୍ଥକମାନେ କହୁଥିବା ବେଳେ ପୂର୍ବତନ ବିଧାୟକ ଚିରଞ୍ଜିବ ବିଜେଡିରେ ମିଶି ଟିକଟ ହାତେଇବେ ବୋଲି ରାଜନୈତିକ ଚର୍ଚ୍ଚା ଜୋର୍‌ଧରିଲାଣି। ସେହିପରି କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ବିଜେଡି ରାଜନୀତିରେ ଶେଷ ପର୍ଯ୍ୟନ୍ତ ମଧ୍ୟ କିଛି କହିବା ମୁସ୍କିଲ ବୋଲି ସମସ୍ତେ ଜାଣନ୍ତି। ତେବେ ଗତ କିଛିଦିନ ହେଲା ଶୀଥିଳ ପଡ଼ି ଯାଇଥିବା ଚିରଞ୍ଜୀବଙ୍କ ସମର୍ଥକ ଏକ ଭିଡିଓକୁ ନେଇ ଉତ୍ସାହିତ ହୋଇ ପଡ଼ିଛନ୍ତି। ‘୨୪ରେ ବିଧାୟକ ଭାବେ ଆଉ ଥରେ ସୁଯୋଗ ଦେବାକୁ ଚିରଞ୍ଜୀବ ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ଲଢ଼େଇ କରିବେ ବୋଲି ଏକ ଅଡ଼ିଓ ଓ କେତେକ ବ୍ୟକ୍ତିବିଶେଷଙ୍କର ମତାମତ ଥିବା ଭିଡିଓ ‘ଟିମ୍ ଅଫ୍ ଚିରଞ୍ଜୀବ ବିଶ୍ବାଳ’ ଫେସବୁକ୍ ଆଇଡିରେ ପୋଷ୍ଟ ହେବା ପରେ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଜଗତସିଂହପୁର ବିକାଶ ପାଇଁ ଏହି ଭିଡିଓରେ ସମସ୍ତଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି।

ଏଥିରେ ବ୍ରାଣ୍ଡ ଚିରଞ୍ଜୀବଙ୍କ ପ୍ରଚାର ରହିଛି। ସେହିପରି ସେହି ଆଇଡିରେ ଏକ ଫଟୋ ମଧ୍ୟ ପୋଷ୍ଟ ହୋଇଛି। ଦୁଇ ଦିନ ଭିତରେ ଦୁଇଟି ପୋଷ୍ଟ ହେବା ପରେ ସୋସିଆଲ୍ ମିଡିଆରେ ଚିରଞ୍ଜୀବ ସକ୍ରିୟ ହୋଇଥିବା କୁହାଯାଉଛି। ତେଣୁ ସେ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଧାୟକ ପ୍ରଶାନ୍ତ ମୁଦୁଲିୁ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ସାମାଜିକ, ସରକାରୀ, ଦଳୀୟ, କ୍ରୀଡ଼ା ଭଳି ସଭାରେ ଅତିଥି ଭାବେ ଯୋଗ ଦେଇ ଦଳୀୟ ସଂଗଠନରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ବିଧାୟକଙ୍କ ବିରୋଧୀ ତଥା ବିଜେଡି ଟିକଟର ପ୍ରମୁଖ ଦାବିଦାର କୁହା ଯାଉଥିବା ଅମରେନ୍ଦ୍ର ଦାସ ମଧ୍ୟ ଅଧିକ ସକ୍ରିୟ ଥିବା ଜଣାପଡ଼଼ିଛି। ଲଗାତାର ବନ୍ଧୁ ମିଳନ, ସାମାଜିକ କାର୍ଯ୍ୟକ୍ରମ, ଖେଳ, ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ରହିଛି। ଆସନ୍ତାକାଲି(ରବିବାର) ଆଳିପିଙ୍ଗଳ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରହିଛି। ଶତାଧିକ ସମର୍ଥକ ଶୋଭାଯାତ୍ରାରେ ଯିବା ସହ ସଭାର ଆୟୋଜନ ରହିଛି। ଗତ କିଛିଦିନ ହେଲା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅମରେନ୍ଦ୍ର ସମର୍ଥକଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଜୋରଦାର ଯୁଦ୍ଧ ଦେଖିବାକୁ ମିଳିଛି। ପରସ୍ପର ପରସ୍ପରକୁ ଆକ୍ଷେପ କରୁଥିବା ଦେଖାଯାଉଛି। ଉଭୟ ବିଜେଡି ବିଧାୟକ ଟିକଟ ପାଇବେ ବୋଲି ସେମାନଙ୍କ ସମର୍ଥକ କହୁଥିବା ବେଳେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କିଏ ବିଜେଡି ଟିକଟ ହାତେଇବ? କିଏ ଜଗତସିଂହପୁର ବିଧାୟକ ହେବ? ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe