ପୌର ପରିଷଦର ୩୦ ବର୍ଷ ପରେ ମଧ୍ୟ ଖୋର୍ଦ୍ଧା ସହର ମଧ୍ୟରେ ନାଳ ବିହୀନ ମାଟି ରାସ୍ତା

Advertisment
ପୌର ପରିଷଦର ୩୦ ବର୍ଷ ପରେ ମଧ୍ୟ ଖୋର୍ଦ୍ଧା ସହର ମଧ୍ୟରେ ନାଳ ବିହୀନ ମାଟି ରାସ୍ତା

Sambad

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ସଦର ମହକୁମା ଖୋର୍ଦ୍ଧା। ସ୍ୱତନ୍ତ୍ର ଜିଲ୍ଲା ଓ ବିଜ୍ଞପିତ ଅଂଚଳ ପରିଷଦରୁ ପୌର ପରିଷଦ ହୋଇ ଏହା ମଧ୍ୟରେ ୩୦ ବର୍ଷ ବିତିଗଲାଣି। କିନ୍ତୁ ଆଜି ମଧ୍ୟ ସହର ମଧ୍ୟରେ ନାଳ ବିହୀନ ମାଟି ରାସ୍ତା ରହିଛି ଜାଣିଲେ ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବ ନାହିଁ। ପକ୍କା ରାସ୍ତା ଓ ନର୍ଦ୍ଦମା ଜଳ ନିଷ୍କାସନ ପାଇଁ ନାଳ ନିର୍ମାଣ ସକାଶେ ଅନେକ ଥର ପୌର ପରିଷଦ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ସ୍ଥାନୀୟ ବାସିନ୍ଦା ଦେଇଛନ୍ତି କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ସହରର ବୁଢ଼ିବଗିଚାର ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ। ନିଜ ଅଂଚଳର ସମସ୍ୟା ସମ୍ପର୍କରେ ପୁଣି ଥରେ ଲିଖିତ ଭାବେ ଅବଗତ କରାଇଲେ।

ଅଭିଯୋଗକାରୀଙ୍କ ମଧ୍ୟରୁ ରତ୍ନାକର ସାହୁ କହିଛନ୍ତି ଯେ ମହିଳା ମହାବିଦ୍ୟାଳୟ ନିକଟ ବୁଢ଼ି ବଗିଚା ଅଂଚଳରେ ଆଜି ଯାଏଁ ପକ୍କା ରାସ୍ତା କିମ୍ବା ନର୍ଦ୍ଦମା ଓ ବର୍ଷା ଜଳ ନିଷ୍କାସନ ପାଇଁ ନାଳ ନିର୍ମାଣ ହୋଇନାହିଁ। ବିଶେଷତଃ ମହିଳା ମହାବିଦ୍ୟାଳୟ ଠାରୁ ନିକଟସ୍ଥ ଜନବସତି ମଧ୍ୟରେ ଥିବା ୫୦ ମିଟର ରାସ୍ତା ବର୍ଷା ସମୟରେ ଆଣ୍ଠୁଏ ପାଣିରେ ବୁଡ଼ି ରହେ। ରାସ୍ତାଟି ମାଟି ହୋଇଥିବାରୁ ସାମାନ୍ୟ ବର୍ଷାରେ ହେଲେ ହେଁ ଯାନବାହାନ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼େ। ଏନେଇ ୧୭ ଅଗଷ୍ଟ ୨୦୧୯ରୁ କ୍ରମାଗତ ଭାବେ ୧୦ରୁ ଅଧିକ ଥର ଲିଖିତ ଭାବେ ଉଭୟ ପୌର ପରିଷଦ ଓ ଜିଲ୍ଳା ପ୍ରଶାସନକୁ ଜଣାଇଛନ୍ତି, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଅନ୍ୟଜଣେ ଅଭିଯୋଗକାରୀ ନିତ୍ୟାନନ୍ଦ ପରିଡ଼ା କହିଛନ୍ତି ଯେ ଏବେ ଯାଇଥିବା ଲଗାଣ ବର୍ଷାରେ ବର୍ଷା ଜଳ ନିଷ୍କାସନ ହୋଇନପାରି ବୁଢ଼ିବଗିଚାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

୨ ରୁ ୩ ଦିନ ୫୦ ଘର ଜଳବନ୍ଦୀରେ ରହିଥିଲେ। ଶେଷରେ ଦମକଳ ବାହିନୀ ଆସି ମୋଟର ସାହାଯ୍ୟରେ ପାଣି ବାହାର କରିଥିଲେ। ସେହିଭଳି ଦିବ୍ୟରଂଜନ ମହାରଣା କହିଛନ୍ତି ଯେ ୧ ବର୍ଷ ପୂର୍ବେ ତାଙ୍କ ଅଂଚଳରେ ନାଳ ନିର୍ମାଣ କରିବାକୁ ପୌର ପରିଷଦ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଆସି ସ୍ଥିତି ପରଖିଥିଲେ। ସେହି ସମୟରେ ସେଠାରେ ସିମେଂଟ୍-କଂକ୍ରିଟ ନାଳ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେବା ସହ ଅଂଚଳ ବାସିନ୍ଦାଙ୍କୁ ସେମାନଙ୍କ ଘର ସମ୍ମୁଖରେ ନାଳ ନିର୍ମାଣ ପାଇଁ ସ୍ଥାନ ଛାଡ଼ିବାକୁ କହିଥିଲେ। ପରାମର୍ଶ ମୁତାବକ ସମସ୍ତ ବାସିନ୍ଦା ନାଳ ନିର୍ମାଣ ପାଇଁ ଜାଗା ଛାଡ଼ିଛନ୍ତି, କିନ୍ତୁ ନାଳ ନିର୍ମାଣ କାମ ଆରମ୍ଭ ହୋଇ ପାରିିନାହିଁ। ଆଗାମୀ ଦିନରେ ଯଦି ଅଂଚଳରେ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ସମସ୍ୟାର ସମାଧାନ କରାନଯାଏ ତେବେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଆଗାମୀ ପୌର ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe