ରାୟଗଡ଼ା : ଏ ବର୍ଷ ମାର୍କେଟରେ ମିଳିବନି କାଶୀପୁର ଲିଚୁ। ଅଦିନିଆ ବର୍ଷା, ଜଳବାୟୁ ପରିବର୍ତ୍ତନ କାରଣରୁ ଗଛରେ ଫଳ ଧରିବା ପୂର୍ବରୁ ଫୁଲ ଝଡ଼ିଯିବା କାରଣରୁ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ଉଦ୍ୟାନ୍ ବିଭାଗର ଫାର୍ମରେ ଥିବା ଗୋଟିଏ ବି ଗଛରେ ଫଳ ଆସିନଥିବା ବେଳେ ବେସରକାରୀ ଉଦ୍ୟାନ୍ ଗୁଡ଼ିକର ଯେଉଁ କିଛି ଗଛରେ ଲିଚୁ ଫଳିଛି ତାହା ଆଶାଜନକ ନୁହେଁ। ଅନ୍ୟପକ୍ଷରେ ସୀମାନ୍ତ ଚାଷୀଙ୍କ ଉତ୍ପାଦନ ଉପରେ କଳାହାଣ୍ଡି ବ୍ୟବସାୟୀ ନଜର ପକାଇ ଥିବାରୁ ମାର୍କେଟରୁ କାଶୀପୁର ଲିଚୁ ଉଭାନ୍ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ରାୟଗଡ଼ା ଜିଲ୍ଲାର କାଶୀପୁର, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା ବ୍ଲକର ଜଳବାୟୁ ଲିଚୁ ଚାଷ ପାଇଁ ଅନୁକୂଳ। ଏହି ୪ ବ୍ଲକର ୩୦୦ ହେକ୍ଟର୍ ଜମିରେ ଲିଚୁ ଚାଷ ହେଉଥିବା ବେଳେ ବାର୍ଷିକ ଉତ୍ପାଦନ ହାରାହାରି ୨୦୬୦ ମେଟ୍ରିକ୍ ଟନ୍। ଉତ୍ପାଦନ ଲକ୍ଷ୍ୟର ୪୦ରୁ ୫୦ ପ୍ରତିଶତ ଲିଚୁ କାଶୀପୁର ବ୍ଲକରୁ ଏବଂ ବାକି ୫୦ ପ୍ରତିଶତ ଅନ୍ୟ ୩ ବ୍ଲକରୁ ଉତ୍ପାଦନ ହୋଇଥାଏ। ତେବେ କାଶୀପୁର ଲିଚୁ ମୁଜାଫରପୁର ପ୍ରଜାତିର ହୋଇଥିବାରୁ ବେଶ୍ ସ୍ବାଦିଷ୍ଟ ହୋଇଥାଏ। ଭୁବନେଶ୍ବର, ରାୟପୁର ସମେତ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ମାର୍କେଟରେ କାଶୀପୁର ଲିଚୁର ବେଶ୍ ଚାହିଦା ରହିଛି।
ଉଦ୍ୟାନ୍ ବିଭାଗ ସୂଚନା ମୁତାବକ, କାଶୀପୁର ବ୍ଲକର ଚିଙ୍ଗୁଡ଼ିଝରରେ ରହିଛି ବିଭାଗୀୟ ଲିଚୁ ଉଦ୍ୟାନ୍। ଯେଉଁଠି ୭୦ରୁ ଉର୍ଧ୍ବ ଗଛ ରହିଛି। ଗତ ବର୍ଷ ଉଦ୍ୟାନରୁ ୪.୫ କ୍ବିଣ୍ଟାଲ୍ ଲିଚୁ ଉତ୍ପାଦନ ହୋଇଥିଲା। ଯାହାକୁ ଓରମାସ୍ କେଜି ପିଛା ୭୦ ଟଙ୍କାରେ କିଣି ଭୁବନେଶ୍ବର ଓ ରାୟପୁର ମାର୍କେଟକୁ ପଠାଇଥିଲା। କିନ୍ତୁ ଚଳିତ ବର୍ଷ ଉଦ୍ୟାନର ଗୋଟିଏ ଗଛରେ ଫଳ ପାଇଁ ଏଯାବତ୍ ଫୁଲ ଧରିନି। ଫଳରେ ଲିଚୁ ବିକ୍ରି ପାଇଁ ଟେଣ୍ଡର ଆହ୍ବାନ କରାଯାଇନି ବୋଲି କହିଛନ୍ତି ସହକାରୀ ଉଦ୍ୟାନ୍ ଅଧିକାରୀ ବିଶ୍ବଜିତ୍ ପଟ୍ଟନାୟକ। ଏଥି ସହ ବ୍ଲକର କାଶୀପୁର, ତଳଝିରି, ଉପରଝିରି, ଗୋରଖପୁର, ବନ୍ଧପଦର, ଅଡାଜର, ସୁଙ୍ଗେର, ପରଜାଶିଳା, ଚାରିଯୋଡ଼ି, ଡଙ୍ଗାସିଲ୍, ରତାଚୁଆଁ, ପୋଡାପାଡି, ବାଙ୍କାମ୍ବ ସମେତ ବହୁ ଗାଁରେ ଲୋକେ ନିଜ ବାଡ଼ି ଓ ଉଦ୍ୟାନରେ ଲିଚୁ ଗଛ ଲଗାଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ସମସ୍ତ ଚାଷୀଙ୍କ ଗଛରେ ଆବଶ୍ୟକ ପରିମାଣର ଲିଚୁ ଫଳିନି। ଗତ ବର୍ଷ କାଶୀପୁର ବ୍ଲକରୁ ୬୦ କ୍ବିଣ୍ଟାଲ୍ ଲିଚୁ ଉତ୍ପାଦନ ହୋଇଥିଲା। ଏ ବର୍ଷ ତାହା ୨୦ କ୍ବିଣ୍ଟାଲ୍ ଛୁଇଁବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି। ଯାହା କିଛି ବି ଉତ୍ପାଦନ ହେବ ତାକୁ କଳାହାଣ୍ଡିକୁ ନେଇ ଯିବା ପାଇଁ ବ୍ୟବସାୟୀ ଚାହିଁ ରହିଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏପ୍ରିଲ୍, ମେ ମାସରେ କାଳବୈଶାଖୀ ଲାଗି ରହିବା ଚଳିତ ବର୍ଷ ଲିଚୁ ଭଲ ହୋଇ ପାରିଲା ନାହିଁ। ଗଛରେ ଆସିଥିବା ଫୁଲ ଝଡ଼ି ପଡିଲା। ଅନ୍ୟପକ୍ଷରେ ଲିଚୁ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଉଦ୍ୟାନ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଉତ୍ପାଦନ ବୃଦ୍ଧି ଲାଗି ଗଛର ସୁରକ୍ଷା, କଲମୀକରଣ ସାଙ୍ଗକୁ ଗତ ବର୍ଷକ ମଧ୍ୟରେ ବିଭାଗ ପକ୍ଷରୁ ଜଣେ ବି ଲିଚୁ ଚାଷୀଙ୍କୁ ତାଲିମ୍ ପ୍ରଦାନ କରାଯାଇନି। ଚାଷ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ କୌଣସି ଚାରା ମନରେଗା କିମ୍ବା ଅନ୍ୟ ଯୋଜନାରେ ଚାଷୀଙ୍କୁ ପ୍ରଦାନ କରାଯାଇନି। ଫଳରେ ଅନୁକୂଳ ବାତାବରଣ ଥିବା ସତ୍ତ୍ବେ କାଶୀପୁର ଲିଚୁ ବଜାରରେ ଉପଲବ୍ଧ ହୋଇପାରୁନି।
ଦାଉ ସାଧିଲା ଅଦିନିଆ ବର୍ଷା ଓ ଜଳବାୟୁ ପରିବର୍ତ୍ତନ, ମାର୍କେଟରେ ମିଳିବନି କାଶୀପୁର ଲିଚୁ
Advertisment
Follow Us