ଢ଼ିଙ୍କିଆ ଗାଁରେ ଶାନ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ନିବେଦନ

Advertisment
ଢ଼ିଙ୍କିଆ ଗାଁରେ ଶାନ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ନିବେଦନ

Sambad

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଗାଁରେ ଆଜି ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ଯେଉଁ ଗାଁକୁ ଜିଲ୍ଲା ପ୍ରଶାସନକୁ ବିରୋଧ କରାଯାଉଥିଲା, ଆଜି ସେହି ଗାଁର ଲୋକ ମାନେ ଜିଲ୍ଲାପାଳ ପାରୁଲ ପଟୱଆରୀ, ଏସପି ଅଖିଳେଶ୍ବର ସିଂହକୁ ଫୁଲତୋଳା ଦେଇ ସ୍ବାଗତ ଜଣାଇଛନ୍ତି। ଆଜି ଅପରାହ୍ନରେ ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକମାନଙ୍କ ସହିତ ଜିଲାପାଳ ଓ ଏସପିଙ୍କ ସହିତ ଏକ ସୈହାଦ୍ୟପୂର୍ଣ୍ଣ ବାତାବରଣରେ ଏକ ଆଲୋଚନା କରାଯାଇଥିଲା। ବିଗତ ଏକ ମାସ ପୂର୍ବରୁ ଅର୍ଥାତ୍ ସଂକ୍ରାନ୍ତି ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନବରଜ ଭଙ୍ଗା କାର୍ଯ୍ୟକୁ ବିରୋଧ କରି ପୁଲିସ ସହିତ ଗାଁ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଲାଠି ମାଡ଼ କରିଥିଲା ବେଳେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଅନେକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ତେବେ ଆଜି ସେହି ଘଟଣାର ଏକ ମାସ ପରେ ସଂକ୍ରାନ୍ତି ଦିନ ସେହି ଗାଁ ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ଵାଗତ କରିଥିବାର ଦେଖିବାକୁ ମିଳିଛି। ତେବେ ଏହି ଏକ ମାସ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଲୋକ ମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ହୋଇଥିଲା ବେଳେ ଭାଇଚାରା ଫେରିଛି। ଯାହା ଫଳରେ କି ଗାଁର ମୁରବି ଓ ଯୁବକ ମାନେ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନକୁ ନିମନ୍ତ୍ରଣ କରିଥିଲେ। ଆଜି ଗାଁ ଲୋକଙ୍କ କଥା ରକ୍ଷା କରି ଉଭୟ ଜିଲ୍ଲାପାଳ ଓ ଏସପି ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିର୍ବାଚନ ଆଦର୍ଶ ଆଚରଣବିଧି ରହିଥିବାରୁ ଗାଁ ଲୋକଙ୍କ କୌଣସି ଦାବି ସମ୍ପର୍କରେ ଆଲୋଚନା କରାଯାଇ ନଥିଲା। ଆସନ୍ତା ୨୮ ତାରିଖ ପରେ ସ୍ଥାନୀୟ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ଜିଲ୍ଲାପାଳ ଓ ଏସପି ଦେଇଛନ୍ତି।

publive-image Sambad

ଅପରପକ୍ଷରେ ଗାଁରେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ବିରୋଧ ଓ ଆନ୍ଦୋଳନ ପାଇଁ ଗାଁରେ ଅଶାନ୍ତ ପରିବେଶ ରହିଥିବା ବେଳେ ଏବେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ସ୍ବାଭାବିକ ହେବାକୁ ଯାଉଛି। ପୂର୍ବରୁ କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ଗାଁରେ ଆନ୍ଦୋଳନ ଓ ବାହାର ଲୋକ ମାନେ ଆସି ସାଧାରଣ ଲୋକଙ୍କୁ ପ୍ରଶାସନ ବୀରୋଧରେ ଆନ୍ଦୋଳନ ପାଇଁ କହୁଥିଲେ। ଯାହା ଫଳରେ କି ଢ଼ିଙ୍କିଆ ଗାଁ ଲୋକେ ଏକ ପ୍ରକାର ମାନସିକ ଯନ୍ତ୍ରଣା ଭିତରେ ରହୁଥିଲେ। ଏବେ ଜିଲ୍ଲା ପ୍ରଶାସନ ସିଧାସଳଖ ଲୋକ ମାନଙ୍କ ସହିତ ଆଲୋଚନା କରିବା ପରେ ଗାଁରେ ଭାଇଚାରା ଫେରିଛି। ତେଣୁ ଆଗକୁ କିଭଳି ଏହା ବଜାୟ ରହିବ ସେ ନେଇ ଗାଁ ଲୋକେ ଏକାଠି ନିଷ୍ପତ୍ତି ନେବେ ବୋଲି ଗାଁର ମୁରବୀ ନିର୍ଭୟ ସାମନ୍ତରାୟ, ଅକ୍ଷୟ ଦାସ, ନିତ୍ୟାନନ୍ଦ ସ୍ବାଇଁ, ପ୍ରଦିପ ଶତପଥୀ, ବିବେକାନନ୍ଦ ସ୍ବାଇଁ, ନିର୍ଭୟ ଦାସ, ପ୍ରଶାନ୍ତ ମଲିକ, ନିବାସ ଦାସ, ଚଗଲା ବର୍ଦ୍ଧିନ, ପ୍ରମୁଖ ଅନେକ ଲୋକ ଏହି ଆଲୋଚନାରେ ଉପସ୍ଥିତ ରହି ପ୍ରକାଶ କରିଛନ୍ତି। ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଅଳ୍ପ ସମୟ ପାଇଁ ଲୋକଙ୍କ ସହିତ ଆଲୋଚନା ହେଲା ପରେ ଜିଲ୍ଲାପାଳ ପାରୁଲ ପଟୱଆରୀ ଓ ଏସପି ଅଖିଳେଶ୍ବର ସିଂହ ସହିତ ବିଡ଼ିଓ କୈଳାସ ବେହେରା, ଅତିରିକ୍ତ ଏସ ପି ନିମାଇଁ ସେଠୀ ପ୍ରମୁଖ ଗାଁ ଲୋକଙ୍କ ସହିତ ଫୁଲଖାଇ ମନ୍ଦିରକୁ ଯାଇଥିଲେ। ପରେ ଢ଼ିଙ୍କିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହିତ ଗାଁରେ ଶାନ୍ତି ସ୍ଥାପନ ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ। ଆଜିର ଏହି ଆଲୋଚନା ଆଗାମୀ ଦିନରେ ଢ଼ିଙ୍କିଆ ଗାଁରେ ଏକ ପରିବର୍ତ୍ତନର ଆଶା ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe