ରୋଗୀଙ୍କୁ ଆମ୍ବୁଲାନ୍ସ ନ ନେଇ ଫେରିଯିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଟୁଇଟ, ‘କରୋନା ଲକ୍ଷଣ ଥିବା ରୋଗୀଙ୍କୁ ୧୦୮/୧୦୪ ଆମ୍ବୁଲାନ୍‌ସରେ ନିଆଯାଇ ପାରିବ’

Advertisment
ରୋଗୀଙ୍କୁ ଆମ୍ବୁଲାନ୍ସ ନ ନେଇ ଫେରିଯିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଟୁଇଟ, ‘କରୋନା ଲକ୍ଷଣ ଥିବା ରୋଗୀଙ୍କୁ ୧୦୮/୧୦୪ ଆମ୍ବୁଲାନ୍‌ସରେ ନିଆଯାଇ ପାରିବ’

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ କରୋନା ସଂକ୍ରମଣ ସନ୍ଦେହରେ ୧୦୮ ଆମ୍ବୁଲାନ୍ସ ଚାଳକ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ମନା କରି ଦେବା ପରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସୋମବାର ଗଞ୍ଜାମ ଜିଲ୍ଲାପାଳ ଏକ ଟୁଇଟ କରିଛନ୍ତି।

ଏହି ଟୁଇଟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ପୂର୍ବରୁ ଏହା ସ୍ପଷ୍ଟ କରାଯାଇଥିଲା କି କରୋନା ଲକ୍ଷଣ ଥିବା ରୋଗୀଙ୍କୁ ୧୦୮/୧୦୪ ଆମ୍ବୁଲାନ୍‌ସରେ ନିଆଯାଇ ପାରିବ। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ପୁନର୍ବାର ଆଜି ଆମେ ଏହାକୁ ଆଉ ଥରେ ସ୍ପଷ୍ଟ କରି କହୁଛୁ ଯେ କେରୋନା ଲକ୍ଷଣ ଥିବା ରୋଗୀଙ୍କୁ ହସ୍‌ପିଟାଲ ପର୍ଯ୍ୟନ୍ତ ୧୦୮/୧୦୪ ଆମ୍ବୁଲାନ୍‌ସରେ ସହଜରେ ଲୋକମାନେ ନେଇ ପାରିବେ। ଏଥିସହିତ ଆମର ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ସମର୍ଥନ କରିବା ସହ ସେମାନଙ୍କ ସହ ଅସଦାଚରଣ ନ କରିବାକୁ ଅନୁରୋଧ କରୁଛୁ । କେବଳ ଏତିକି ନୁହେଁ, କରୋନା ଯୁଦ୍ଧରେ ଲଢ଼ୁଥିବା କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଦିଅନ୍ତୁ।

ଉଲ୍ଲେଖଯୋଗ୍ୟ, ସୋମବାର ପ୍ରହଲ୍ଲାଦ ନଗରର ବାସିନ୍ଦା ମନୋଜ ପ୍ରହରାଜ ମଧୁମେହରେ ପୀଡିତ ହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଅମ୍ବୁଲାନ୍‌ସକୁ ଡକା ଯାଇଥିଲା। ଖବର ପାଇ ଆମ୍ବୁଲାନ୍‌ସ ବି ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। କିନ୍ତୁ ମନୋଜ ପ୍ରହରାଜ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଭାବି ଆମ୍ବୁଲାନ୍‌ସ ଚାଳକ ଓ ତାଙ୍କ ସହିତ ଆସିଥିବା ଅନ୍ୟ କର୍ମଚାରୀ ତାଙ୍କୁ ନେବା ପାଇଁ ମନା କରି ଦେଇଥିଲେ। ପ୍ରହରାଜଙ୍କୁ ନେବା ପାଇଁ ୧୦୪ ହେଲ୍‌ପଲାଇନକୁ ଫୋନ କର ଓ କୋଭିଡ ଆମ୍ବୁଲାନ୍‌ସକୁ ଡକାଅ ବୋଲି କହି ଘଟଣାସ୍ଥଳରୁ ଚାଲି ଯାଇଥିଲା ଆମ୍ବୁଲାନ୍‌ସ। ଏହାପରେ ଛଟପଟ ହୋଇ ପ୍ରହରାଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe