ଫି ବୃଦ୍ଧିକୁ ନେଇ ଉତ୍ତେଜନା, କଲେଜ ମୁଖ୍ୟଫାଟକରେ ତାଲା

Advertisment
ଫି ବୃଦ୍ଧିକୁ ନେଇ ଉତ୍ତେଜନା, କଲେଜ ମୁଖ୍ୟଫାଟକରେ ତାଲା

ଦଶରଥପୁର: ଦଶରଥପୁର ବ୍ଲକର ସାଧୁଗୌଡ଼େଶ୍ୱର ମହାବିଦ୍ୟାଳୟରେ ରିଆଡ୍‌ମିସନ୍ ଓ ପରୀକ୍ଷା ଫି ବୃଦ୍ଧିକୁ ନେଇ ଆଜି ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ, ଗତବର୍ଷ କୋଭିଡ୍ ମହାମାରୀ, ପ୍ରଳୟଙ୍କାରୀ ବନ୍ୟା ଏବଂ ବାତ୍ୟା ଯୋଗୁଁ ମହାବିଦ୍ୟାଳୟ ବନ୍ଦ ରହିଥିଲା। ଫଳରେ ଛାତ୍ରଛାତ୍ରୀମାନେ ରିଆଡ୍‌ମିସନ୍‌ର ସୁଯୋଗ ପାଇନଥିଲେ।

ଚଳିତ ବର୍ଷ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଷିକ ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ଓ ରିଆଡ୍‌ମିସନ୍ ଫିକୁ ମିଶାଇ ଧାର୍ଯ୍ୟ କରିଥିବା ଅତିରିକ୍ତ ଦେୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ରାଉତଙ୍କୁ ଭେଟି ଛାତ୍ରଛାତ୍ରୀମାନେ ଗତ ମଙ୍ଗଳବାର ଅସନ୍ତୋଷ ଜଣାଇଥିଲେ। କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ସକାଳେ କଳା, ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀ ଏକତ୍ର ହୋଇ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ନାରାବାଜି କରିଥିଲେ।

ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ମଙ୍ଗଳପୁର ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ରାଉତ ଥାନାଧିକାରୀ ଶ୍ରୀ ମହାନ୍ତିଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନାକରି +୩ ଶ୍ରେଣୀର ସବୁ ବିଭାଗରେ ରିଆଡ୍‌ମିସନ୍ ଓ ପରୀକ୍ଷା ଫିରେ ୧୫ଶହ ଟଙ୍କା କମ୍ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe