ବିଦ୍ୟାଳୟରେ ତାଲା: ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ଧାରଣା

Advertisment
ବିଦ୍ୟାଳୟରେ ତାଲା: ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ଧାରଣା

Sambad

ନରସିଂହପୁର: ଶିକ୍ଷକ ଓ କର୍ମଚାରୀ ପଦବି ପୂରଣ କରିବାକୁ ଦାବି କରି ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ବାଲିଝରୀ ମଦନଗୋପାଳ ହାଇସ୍କୁଲ୍‌ ଫାଟକରେ ତାଲା ପକାଇ ଗତ ୧୦ ତାରିଖରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଦେଇଥିବା ଧାରଣା ଆଜି  ଚତୁର୍ଥ ଦିନରେ ପହଞ୍ଚିଛି। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ପୂର୍ବାହ୍ଣ ୧୧ଟାରେ ସ୍ଥାନୀୟ ତହସିଲଦାର ଆଲୋକ କୁମାର ଦେହୁରୀ ଧାରଣାସ୍ଥଳରେ ପହଞ୍ଚିଥିଲେ। ଏହି ଅବସରରେ ତହସିଲଦାର ଶ୍ରୀ ଦେହୁରୀ ଏନ୍‌ସିସି ଶିକ୍ଷକ ଦାୟିତ୍ବ ନେବା ପାଇଁ ବିଦ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଥିଲେ। ତେବେ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଓ ଧାରଣାରତ ଅଭିଭାବକମାନଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ  ବି ଏ ନେଇ କୌଣସି ନିର୍ଯାସ ବାହାରି ନ ଥିବା ତହସିଲଦାର ଶ୍ରୀ ଦେହୁରୀ ପ୍ରକାଶ କରିଛନ୍ତି। ଫଳରେ ଆଜି ମଧ୍ୟ ବିଦ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ ଶିକ୍ଷକ ଓ କର୍ମଚାରୀ ପଦ ପୂରଣ ଦିଗରେ ବିଭାଗ ପକ୍ଷରୁ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ଗତକାଲି ଅଭିଭାବକମାନେ ସମସ୍ତ ଛାତ୍ରଛାତ୍ରୀଙ୍କ ସମୂହ ଭାବେ ବିଦ୍ୟାଳୟ ପରିତ୍ୟାଗ ପାଇଁ ପ୍ରଧାନଶିକ୍ଷକଙ୍କ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି।

ବିଦ୍ୟାଳୟରେ ଏନ୍‌ସିସି ଶିକ୍ଷକ ଅଭାବ ଯୋଗୁଁ ଚଳିତ ଶିକ୍ଷାବର୍ଷ ପିଲାମାନେ ଏନ୍‌ସିସି ନେବାରୁ ବଞ୍ଚିତ ହୋଇଥିଲେ। ଦୁଇଜଣ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ କାର୍ଯ୍ୟରତ ଥିଲା ବେଳେ ସେମାନେ ଏନ୍‌ସିସି ଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଅନାଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଏହି ପଦ ଖାଲି ପଡ଼ିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ୧୦ଜଣ ସହକାରୀ ଶିକ୍ଷକ, ଜଣେ ପ୍ରଧାନଶିକ୍ଷକ, ଜଣେ କିରାଣି ଓ ଜଣେ କ୍ରୀଡ଼ା ଶିକ୍ଷକ ରହିବା କଥା। ମାତ୍ର ୨୦୧୪ ମସିହାରୁ ହିନ୍ଦୀ ଶିକ୍ଷକ, ୨୦୧୭ରୁ ସଂସ୍କୃତ ଶିକ୍ଷକ, ୨୦୧୮ରୁ କ୍ରୀଡ଼ା ଶିକ୍ଷକ, ୨୦୨୦ରୁ ବିଜ୍ଞାନ ଶିକ୍ଷକ, ରାତ୍ରି ଜଗୁଆଳି, ଝାଡ଼ୁଦାର ଓ ୨୦୨୧ ମେ’ ମାସରୁ କିରାଣି ପଦକୁ ମିଶାଇ ୭ଟି ପଦବି ଖାଲି ପଡ଼ିଛି।

ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଥିଲା। ଏବେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଗତ ୧ତାରିଖ ଦିନ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା। ନଭେମ୍ବର ୯ ତାରିଖ ସୁଦ୍ଧା ଦାବି ପୂରଣ ‌ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦିଆଯିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe