ଏମସିଏଲ ଖଣିରେ ‘ଫାଷ୍ଟ କମ୍ ଫାଷ୍ଟ ଲୋଡ୍’  

ଏମସିଏଲ ଖଣିରେ ‘ଫାଷ୍ଟ କମ୍ ଫାଷ୍ଟ ଲୋଡ୍’  

ସୁନ୍ଦରଗଡ଼: କୋଇଲା ପରିବହନରେ  ଫାଷ୍ଟ୍ କମ୍ ଫାଷ୍ଟ ଲୋଡ୍ ପାଇଁ ଜିଲ୍ଲାପାଳ ଆଦେଶ କରିଥିଲେ ମଧ୍ୟ ଟ୍ରକ ମାଲିକଙ୍କ  ଟଣାଓଟରା ଓ ସଂଘର ଦୁର୍ବଳତା ଯୋଗୁଁ ଏହା ଗତ ୬ ବର୍ଷ ଧରି କାର୍ଯ୍ୟକାରୀ ହୋଇପାରି ନଥିଲା। ପ୍ରଭାବଶାଳୀ ଟ୍ରକ ମାଲିକମାନେ ଖଣି ଭିତରେ ଧସେଇ ପଶି ବା ଏମସିଏଲ ଅଧିକାରୀଙ୍କ ସହ ଶଳାସୁତୁରା କରି ବହୁ ଟ୍ରିପ୍ କୋଇଲା ଲୋଡ୍ କରି ନେଉଥିବା ବେଳେ ଧାଡ଼ିରେ ଥିବା ଶତାଧିକ ଟ୍ରକ ମାଲିକ ଦୈନିକ ଗୋଟିଏ, ଦୁଇ ଟ୍ରିପ୍ ପାଇବା ମୁସ୍କିଲ ହୋଇପଡ଼ୁଥିଲା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଠାରୁ ଫାଷ୍ଟ୍ କମ୍ ଫାଷ୍ଟ ଲୋଡ୍ ଆରମ୍ଭ ହୋଇଛି।

ଏମସିଏଲ ଖଣିରୁ କୋଇଲା ପରିବହନ କରି ଆସୁଥିବା ୩ଟି ସଂଘ ଟ୍ରକମାଲିକମାନଙ୍କ ସାମାଜିକ, ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସହମତି ପ୍ରକାଶ କରିବା ସହ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନବଗଠିତ ୟୁନାଇଟେଡ୍ କୋଲ୍ ଟ୍ରକର୍ସ ଆସୋସିଏସନ୍ ମାଧ୍ୟମରେ ଟ୍ରକଗୁଡ଼ିକ କ୍ରମାଙ୍କ କରି ଖଣିକୁ ଛଡ଼ାଯାଇଛି। ଏହି ବ୍ୟବସ୍ଥିତ ପ୍ରକ୍ରିୟା ଆରମ୍ଭ ସମୟରେ ଅତିଥି ଭାବେ ଏମସିଏଲ ମହାପ୍ରବନ୍ଧକ ସଞ୍ଜୟ ଝା ଯୋଗ ଦେଇ କ୍ରମିକ ସଂଖ୍ୟା ହିସାବରେ ଶୃଙ୍ଖଳିତ ରୂପେ ଖଣିରୁ କୋଇଲା ଲୋଡ଼ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନବଗଠିତ ସଂଘ ଅଧ୍ୟକ୍ଷ ବଟକିଶୋର ମିଶ୍ର, ସଂଜୟ ନନ୍ଦ, ରିତେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ୬ ବର୍ଷ ଅପେକ୍ଷା ପରେ ନ୍ୟାୟ ପାଇଥିବା ପ୍ରକାଶ କରି ଟ୍ରକ ମାଲିକମାନେ ଖୁସି ବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe