ମିଥ୍ୟା ମାମଲାରେ ବ୍ୟବସାୟୀଙ୍କୁ ହଇରାଣ ଅଭିଯୋଗ: ଡିଆଇଜିଙ୍କୁ ଫେରାଦ୍‌ ହେଲେ ଦମ୍ପତ୍ତି

ମିଥ୍ୟା ମାମଲାରେ ବ୍ୟବସାୟୀଙ୍କୁ ହଇରାଣ ଅଭିଯୋଗ: ଡିଆଇଜିଙ୍କୁ ଫେରାଦ୍‌ ହେଲେ ଦମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଗ୍ରାମର ଜଣେ ବ୍ୟବସାୟୀଙ୍କ ନାମରେ ପୁଲିସ ମିଥ୍ୟା ମାମଲା ରୁଜୁ କରି ହଇରାଣ କରିଥିବା ଅଭିଯୋଗ ହୋଇଛି। ପୁଲିସର ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆଜି ଏକ ଦମ୍ପତ୍ତି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଫେରାଦ୍‌ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଜଣେ ବ୍ୟକ୍ତିଙ୍କ କଥାରେ ପଡ଼ି ବିନା କାରଣରେ ପୁଲିସ ତାଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ବୋଲି ଉଭୟେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ବାମୀ, ସ୍ତ୍ରୀ ଅନୁରୋଧ କରିଛନ୍ତି।

ହିଂଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଗ୍ରାମର ବାବୁଲା ନାୟକ କରଡ଼ାକଣା ଗ୍ରାମରେ ଘରଭଡ଼ା ନେଇ ଆଲୁମିନିୟମ ଓ କଂସା ସାମଗ୍ରୀ ବେପାର କରିଥାନ୍ତି। ସେ ବିଭିନ୍ନ ଅଞ୍ଚଳ ବୁଲି ତାହା ବିକ୍ରି କରି ପରିବାରର ଭରଣପୋଷଣ କରୁଛନ୍ତି। ହିଂଜିଳିକାଟୁ ଥାନା ସନ୍ତୋଷପୁର ଗ୍ରାମର ଜଣେ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କଠାରୁ ସେ ସାମଗ୍ରୀ ଆଣିଥାନ୍ତି। ପରେ ସେ ଅଧିକ ଦର କହିବାରୁ ବାବୁଲା ଅନ୍ୟ ଜଣେ ବ୍ୟବସାୟୀଙ୍କ ନିକଟରୁ ସାମଗ୍ରୀ ନେଇଥିଲେ। ଏଥିରେ ସେହି ହୋଲ୍‌ସେଲ୍‌ ବ୍ୟବସାୟୀ ଜଣକ ପ୍ରତିଶୋଧ ପରାୟଣ ହୋଇ ଟଙ୍କା ବାକି ଥିବା ନେଇ ହିଂଜିଳିକାଟୁ ଥାନାରେ ମିଥ୍ୟା ମାମଲା ରୁଜୁ କରିଥିଲେ ବୋଲି ବାବୁଲା କହିଛନ୍ତି। ଏଭଳି ମିଥ୍ୟା ଅଭିଯୋଗରେ ବିଶ୍ବାସ କରି ସେପ୍ଟେମ୍ବର ୨୫ତାରିଖ ରାତିରେ ହିଂଜିଳିକାଟୁ ପୁଲିସ ତାଙ୍କୁ ଥାନାକୁ ନେଇଥିଲା।

ରାତି ସାରା ଥାନାରେ ରଖି ଆରଦିନ ସକାଳେ ପୁଲିସ ଛାଡ଼ିଥିଲା। ଏଭଳି ଅନ୍ୟାୟ ବିରୋଧରେ ବାବୁଲା ଗଞ୍ଜାମ ଏସ୍‌.ପି.ଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ମାର୍ଚ୍ଚ ମାସ ୨୧ତାରିଖରେ ହଠାତ୍‌ ହିଂଜିଳିକାଟୁ ଥାନାର ଜଣେ ସବ୍ଇନ୍‌ସ୍ପେକ୍ଟର୍‌ ରାତିରେ ବାବୁଲାଙ୍କ ଘରକୁ ଯାଇ ତାଙ୍କୁ ଥାନାକୁ ଟେକି ନେଇଥିଲେ। ଏସ୍‌.ପି.ଙ୍କ ନିକଟରେ ଅଭିଯୋଗ କରିବା ଘଟଣାକୁ ନେଇ ସେ ନିସ୍ତୁକ ମାଡ଼ ମାରି ନିର୍ଯାତନା ଦେଇଥିଲେ ବୋଲି ବାବୁଲା ଅଭିଯୋଗ କରିଛନ୍ତି। ଆରଦିନ ସକାଳେ ତାଙ୍କୁ ପୁଲିସ ଛାଡ଼ି ଦେଇଥିଲା।

ମାର୍ଚ୍ଚ ୨୩ତାରିଖରେ ପୁଣିଥରେ ପୁଲିସ ତାଙ୍କୁ ଟେକି ନେଇ ଠକେଇ ମାମଲାରେ କୋର୍ଟ ଚାଲାଣ କରିଥିଲା। ୨୬ତାରିଖରେ ବାବୁଲା ଜାମିନ୍‌ ପାଇଥିଲେ। ସେହି ହୋଲ୍‌ସେଲ୍‌ ବ୍ୟବସାୟୀଙ୍କ ପ୍ର‌ରୋଚନାରେ ପଡ଼ି ପୁଲିସ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ଏଭଳି ହଇରାଣ କରିଥିବା ବାବୁଲା ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ବାବୁଲା ଡିଆଇଜିଙ୍କ ନିକଟରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe