ବର୍ଷା ଜଳ ଅମଳ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗ

ମାଟି ତଳେ ଲୁଚିଛି ଦୁର୍ନୀତିର ପେଡ଼ି

ବର୍ଷା ଜଳ ଅମଳ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗ

Sambad

ଜଗତସିଂହପୁର ଟାଉନ୍: ଜଗତସିଂହପୁର ପୌରାଞ୍ଚଳରେ ମୁକ୍ତା(ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପରେ ଆଖିବୁଜା ଦୁର୍ନୀତିର ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି। ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଠାରୁ ସବିଶେଷ ତଥ୍ୟ ମାଗିଥିବା ବେଳେ ସାଂଘାତିକ ଚିତ୍ର ପଦାକୁ ଆସିଛି। ଏକାଧିକ ଜାଗାରେ ପ୍ରକଳ୍ପ ଭାଙ୍ଗିରୁଜି ଯାଇଥିବା ବେଳେ କେତେକ ମାଟି ଓ ବାଲିରେ ପୋତି ହୋଇ ଗଲାଣି। କେତେକ ସ୍ଥାନରେ ପ୍ରକଳ୍ପ କରାଯାଇଥିବା ଦର୍ଶା ଯାଇଛି। କିନ୍ତୁ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଗୋଟିଏ ଧାଡ଼ିରେ ୮ରୁ ୯ଟି ଲେଖାଁଏ ପ୍ରକଳ୍ପ କରାଯାଇଛି। କେଉଁଠି ଗଡ଼ାଣି ଜାଗାରେ ପ୍ରକଳ୍ପ ହୋଇଛି ତ ଆଉ କେଉଁଠି ପ୍ରକଳ୍ପ ମାଟିରେ ପୋତି ହୋଇ ରହିଛି। ବର୍ଷାଦିନେ ଖାଲୁଆ ଜାଗାରେ ଆପେ ଆପେ ପାଣି ଜମି ବର୍ଷା ଜଳ ସଂରକ୍ଷିତ ହେଉଛି। ଅର୍ଥାତ୍‌ ଅନାବଶ୍ୟକ ସ୍ଥଳେ ପ୍ରକଳ୍ପ ନିର୍ମାଣ କରାଯାଇଛି।  ତେଣୁ କିଏ ଓ କିପରି ଏହି ପ୍ରକଳ୍ପ ପାଇଁ ସର୍ଭେ କରିଥିଲା ବୋଲି ଏବେ ପ୍ରଶ୍ନ ହେଉଛି। ଗୋଟିଏ ଧାଡ଼ିରେ ଏକାଧିକ ପ୍ରକଳ୍ପକୁ ଅନୁମତି ମିଳିଲା କିପରି ?

ଧାର୍ଯ୍ୟ ଯୋଜନା ଆଧାରରେ ହୋଇନଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ଯାଞ୍ଚ କରାନଯାଇ ଯୋଜନାବଦ୍ଧ ଭାବେ ଅର୍ଥ ଲୁଟ୍‌ ହୋଇଥିବା ଏଥିରୁ ସ୍ପଷ୍ଟ। ୨୦୨୧-୨୨ ଆର୍ଥିକ ବର୍ଷରେ ପୌର ପରିଷଦର ନିର୍ବାଚିତ ପ୍ରତିନିଧି ନ ଥିବା ବେଳେ ପ୍ରଶାସକଙ୍କ ହାତରେ ଦାୟିତ୍ବ ରହିଥିଲା। ଏତେ ବଡ଼ ଦୁର୍ନୀତି ସମ୍ପର୍କରେ ସେମାନେ କେମିତି ଟେର୍ ପାଇ ନ ଥିଲେ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଚଳିତବର୍ଷ ମଧ୍ୟ ବ୍ୟାପକ ଦୁର୍ନୀତି ନେଇ ଜଣେ ପାରିଷଦ ଅଭିଯୋଗ ଉଠାଇଥିଲେ। ୨୦୨୧-୨୨ର ୨୨୧ ପ୍ରକଳ୍ପ ଓ ୨୦୨୨-୨୩ର ୨୬୫ ପ୍ରକଳ୍ପ ଏହିପରି ମୋଟ ୪୮୬ର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ଭିଜିଲାନ୍ସକୁ କାଗଜପତ୍ର ମିଳିବା ପରେ ଗୋଟି ଗୋଟି କରି ତଦନ୍ତ କରାଯିବ ଓ ଆବଶ୍ୟକ ପଡ଼ିଲେ ମାଟି ଖୋଳି ନିୟମ ପାଳନ କରାଯାଇଛି କି ନାହିଁ ସରଜମିନ୍ ତଦନ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe