ନୂଆ ଡାକ୍ତର ନିଯୁକ୍ତିକୁ ନେଇ ହୋଇଥିବା ସଭାକୁ କଂଗ୍ରେସର ବିରୋଧ

‘ସରକାରୀ କାର୍ଯ୍ୟକ୍ରମକୁ ବି ବିଜେଡି ହାଇଜ୍ୟାକ୍‌ କରୁଛି’

ନୂଆ ଡାକ୍ତର ନିଯୁକ୍ତିକୁ ନେଇ ହୋଇଥିବା ସଭାକୁ କଂଗ୍ରେସର ବିରୋଧ

ନୂଆପଡ଼ା:  ରାଜ୍ୟ ସରକାର ନୂଆପଡ଼ା ଜିଲ୍ଲାରେ ୨୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ବେଳେ ରବିବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନା ସଭାଗୃହରେ ଏକ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା। ତେବେ ଉକ୍ତ ସଭାକୁ ଜିଲ୍ଲା କଂଗ୍ରେସ ସମ୍ପୂର୍ଣ୍ଣ ବିରୋଧ କରିଛି। ବିଜେଡି ସରକାରୀ କାର୍ଯ୍ୟକ୍ରମକୁ ବି ନିଜ ଦଳର କାର୍ଯ୍ୟକ୍ରମ ଭାବେ ହାଇଜାକ୍‌ କରୁଥିବା ସୋମବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁରେଶ ଆଜାଦ ଅଭିଯୋଗ କରିଛନ୍ତି। ଶ୍ରୀ ଆଜାଦ କହିଛନ୍ତି ଯେ ଜିଲ୍ଲାକୁ ରାଜ୍ୟ ସରକାର ୨୨ ଜଣ ଡାକ୍ତର ଦେଇଥିବାରୁ ଜିଲ୍ଲା କଂଗ୍ରେସ ଏହାକୁ ସ୍ବାଗତ କରୁଛି। ବହୁ ଦିନରୁ ଏହି ଦାବି ରହିଥିଲା। ଡାକ୍ତର ନିଯୁକ୍ତି ପରେ ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହେବ।

ମାତ୍ର ଗତକାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସିଡିଏମ୍‌ଓଙ୍କ ଅଧ୍ୟକ୍ଷତାରେ ଆୟାଜିତ ସ୍ବାଗତ ସଭାରେ ସମସ୍ତଙ୍କୁ ଅଣଦେଖା କରି କେବଳ ବିଜେଡିର ମନ୍ତ୍ରୀ ଓ ନେତାଙ୍କୁ ସାମିଲ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଉକ୍ତ ସ୍ବାଗତ ସଭା ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତଙ୍କୁ ଆମନ୍ତ୍ରଣ କରିବା ସରକାରୀ କଳର ଦାୟିତ୍ବ। ମାତ୍ର କାର୍ଯ୍ୟକ୍ରମର ରୂପରେଖ କିଏ ପ୍ରସ୍ତୁତ କରିଥିଲେ ଓ କାହା ଇଙ୍ଗିତରେ ସମସ୍ତଙ୍କୁ ବାଦ୍‌ ଦେଇ କେବଳ ବିଜେଡି ନେତା ଏବଂ କର୍ମୀଙ୍କୁ ସାମିଲ କରାଗଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ତେଣୁ ଉକ୍ତ ସଭାକୁ କଂଗ୍ରେସ ବିରୋଧ କରିଛି ଏବଂ ଆଗାମୀ ଦିନରେ ଏଭଳି ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ହାଇଜ୍ୟାକ୍‌ କଲେଜ ଜିଲ୍ଲା କଂଗ୍ରେସ ଜୋର୍‌ଦାର ପ୍ରତିବାଦ କରିବ ବୋଲି ଶ୍ରୀ ଆଜାଦ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଅଭୟ ଯୋଷୀ, ଦେବଦତ୍ତ ଦୀକ୍ଷିତ,  କୌଶିକ ସାହୁ, କୁଳଦୀପ ସୂରଜ, ଗୋବିନ୍ଦ ସିଂ ଠାକୁର, ଟୋପ ଦାସ, ଭୀମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe