ମୋଦୀ ସରକାର ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Advertisment
ମୋଦୀ ସରକାର ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Sambad

ବାଲେଶ୍ବର: ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଗୁଡ଼ିକର ଦରବୃଦ୍ଧି ଜନସାଧାରଣଙ୍କୁ ବାଧୁଛି। ପ୍ରତିଦିନ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ସିଲିଣ୍ତରର ମୂଲ୍ୟ ବୃଦ୍ଧି ଘଟୁଥିବାରୁ ଏହାର କୁପ୍ରଭାବ ସିଧା ରୋଷେଇଶାଳ ଉପରେ ପଡ଼ିଛି। ପରିସ୍ଥିତି ଏଭଳି ହେଲାଣି ଯେ ଭାରତର ଅର୍ଥନୀତି ଶ୍ରୀଲଙ୍କା ଭଳି ହେବାକୁ ବସିଲାଣି। ଏହି ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନରେ ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ନେତୃତ୍ବରେ ‘ମେହେଙ୍ଗାଇ ମୁକ୍ତ ଭାରତ ଅଭିଯାନ’ ସ୍ଲୋଗାନ ନେଇ ଏକ ବିକ୍ଷୋଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଥିଲା। ମିଶନ ପଡ଼ିଆରୁ ଶତାଧିକ ଦଳୀୟ କର୍ମୀ ମୋଦୀ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ପ୍ରତିଦିନ ଗରିବ, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତଙ୍କୁ ଶୋଷଣ କରିବା ପାଇଁ ଯୋଜନା କରିବା ସହ ଅମ୍ବାନୀ, ଅଦାନି ଭଳି କମ୍ପାନି ଗୁଡ଼ିକୁ କିଭଳି ଲାଭ ମିଳିବ ସେନେଇ ଯୋଜନା କରୁଛନ୍ତି। ଏହି ଅବସରରେ ଜିଲ୍ଲା ସଭାପତି ନିଜ ପ୍ରତିକ୍ରିୟାରେ କହିଥିଲେ କି, ମୋଦି ସରକାର ଆଠବର୍ଷ ହେଲା କ୍ଷମତାରେ ରହି ପେଟ୍ରୋଲ ଓ ଡିଜେଲ ଉପରେ ଦରବୃଦ୍ଧି କରାଇ ପ୍ରାୟ ୨୬ ଲକ୍ଷ ୫୧ହଜାର ୯୧୯କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି। ଯେଉଁମାନେ ଗାଡ଼ି ଚଳାଉଛନ୍ତି ଏବଂ ଯେଉଁମାନେ ଚଳାଉ ନାହାନ୍ତି ସେମାନଙ୍କ ମୁଣ୍ତରେ ଏକଲକ୍ଷ ଟଙ୍କା ଲେଖାଏଁ ବୋଝ ଲଦି ଦେଇଛନ୍ତି। ଦେଶରେ ୨୬ କୋଟି ପରିବାର ରହୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରୁ ୧ଲକ୍ଷ ଟଙ୍କା ତେଲ ବାବଦରେ ଟିକସ ଆଦାୟ କରିଛନ୍ତି, ପ୍ରତିଦିନ ସରକାର ୮୦ ପଇସା ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଉପରେ ବୃଦ୍ଧି କରି ଟିକସ ବୋଝ ବଢ଼ାଉଛନ୍ତି। ଗତ ୧୪ ଦିନ ମଧ୍ୟରେ ୧୨ଥର ତୈଳଦର ବୃଦ୍ଧି ହେଲାଣି।

ବିଜେପି ସମେତ ଅନ୍ୟାନ୍ୟ ଦଳ କଂଗ୍ରେସ ମୁକ୍ତ ଭାରତ ସ୍ଲୋଗାନ ଦେଉଥିବା ବେଳେ କେବଳ କଂଗ୍ରେସ ଦଳ ଦରବୃଦ୍ଧି ବିରୋଧରେ ସ୍ବର ଉତୋଳନ କରୁଛି। ସ୍ବାଧୀନାତ ପୂର୍ବରୁ ଓ ଏବେବି କଂଗ୍ରେସ ଦଳ ଲୋକଙ୍କ ସ୍ବାର୍ଥ କଥା କହୁଥିଲା ବେଳେ ଅନ୍ୟ ଦଳ ଗୁଡ଼ିକ କେବଳ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଶ୍ରୀ ଗିରି କହିଥିଲେ। ପ୍ରଧାନମନ୍ତ୍ରୀ ଜାଣିଛନ୍ତି ଭାରତର ଅବସ୍ଥା ମଧ୍ୟ ଶ୍ରୀଲଙ୍କାର ଅର୍ଥନୀତି ଭଳି ଖରାପ ହେଉଛି। ତେଣୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ରିହାତି ସ୍କିମ୍‌ ବନ୍ଦ ନକଲେ ରାଜ୍ୟ ଗୁଡ଼ିକର ପରିସ୍ଥିତି ଶ୍ରୀଲଙ୍କା ଅର୍ଥନୀତି ଭଳି ହେବ ବୋଲି ଚେତାଇ ଦେଇଛନ୍ତି। ଏହି ବିକ୍ଷୋଭ ସମୟରେ ଦଳର ବରିଷ୍ଠ ନେତା ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ବିକାଶ ଦାସ, ସ୍ମାରକ ଦାଶ, ଶେଖ୍ ୟୁନୁସ୍‌, ପଶୁପତି ଉପାଧ୍ୟାୟ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସୁଧାଂଶୁ ଶେଖର ଜେନା, କର୍ଣ୍ଣ ବେହେରା, କୃଷକ ସେଲ୍ ସଭାପତି ନିରଞ୍ଜନ ବେହେରା, ବିଳାସିନୀ ବେହେରା, ଜୀବନ ମହାପାତ୍ର, ନବପ୍ରସାଦ ବେହେରା, ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe