DailyO
ବାରିପଦା: ଭାଲେଣ୍ଟାଇନ୍ ଡେ’ରେ ବିବାହ କରିଥିଲେ। ମାତ୍ର ପ୍ରଥମ ପତ୍ନୀ ଥାଉ ଥାଉ ଦ୍ବିତୀୟ ବିବାହ କରିବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ଆଇନଗତ ଭାବେ ବିବାହ ବିଚ୍ଛେଦ ନକରି ଦ୍ବିତୀୟ ବିବାହ କରିଥିବାରୁ ବାରିପଦା ରିଜର୍ଭ ପୁଲିସ କନେଷ୍ଟବଳ ମିନକେତନ ପଲେଇ(୩୫)ଙ୍କୁ ଗିରଫ କରିଛି ବାରିପଦା ଟାଉନ୍ ଥାନା ପୁଲିସ। ପ୍ରଥମ ପତ୍ନୀ ତପସ୍ବିନୀ ପଲେଇଙ୍କ ଅଭିଯୋଗ ଆଧାରରେ ଏନେଇ ଟାଉନ୍ ଥାନାରେ ଦଫା ୪୯୪/୨୯୪/୫୦୬/୩୪ ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବାରିପଦା ୱାର୍ଡ ନଂ-୨୧, ପୂର୍ଣ୍ଣଚନ୍ଦ୍ରପୁର ନିବାସୀ ଗିରଫ ପୁଲିସ କର୍ମଚାରୀ ମିନକେତନ ଅଭିଯୋଗକାରିଣୀ ତପସ୍ବିନୀଙ୍କୁ ୧୪ ଫେବ୍ରୁଆରି ୨୦୧୩ରେ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ମଧ୍ୟ ରହିଛି। ମାତ୍ର ଅତିରିକ୍ତ ଯୌତୁକ ଦାବି କରି ମିନକେତନ ତାଙ୍କୁ ନିର୍ଯାତନା ଦେଇଥିବା ତପସ୍ବିନୀ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଏନେଇ ମିନକେତନଙ୍କ ବିରୋଧରେ ଏକ ମାମଲା ମଧ୍ୟ ଚାଲିଛି। ତେବେ ଇତି ମଧ୍ୟରେ ତାଙ୍କ ସ୍ବାମୀ ଆଉ ଜଣେ ମହିଳାଙ୍କ ସହିତ ରହୁଥିବା ଜାଣିବାକୁ ପାଇଥିଲେ ତପସ୍ବିନୀ। ଆଇନଗତ ଭାବେ ବିଚ୍ଛେଦ ହୋଇନଥିଲେ ମଧ୍ୟ ମିନକେତନ ଉକ୍ତ ମହିଳାଙ୍କ ସହିତ ସ୍ବାମୀ-ସ୍ତ୍ରୀ ଭଳି ରହିବା ସହିତ ସେମାନଙ୍କ ଏକ ଶିଶୁକନ୍ୟା ରହିଥିବା ତପସ୍ବିନୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ପ୍ରକାଶ।
Follow Us