ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି ଘଟଣା: ବନ୍ଦ ହେଲା ନିର୍ମାଣ କାମ, ଲାଗିଲା ଫଳକ

ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି ଘଟଣା: ବନ୍ଦ ହେଲା ନିର୍ମାଣ କାମ, ଲାଗିଲା ଫଳକ

ରାୟଗଡ଼ା: ଗୁଣପୁର ବ୍ଲକର ମରମା ପଞ୍ଚାୟତରେ ଆନ୍ଧ୍ରର ରାସ୍ତା ନିର୍ମାଣ କାମକୁ ପ୍ରଶାସନ ବନ୍ଦ ରଖିବା ସହ ସୀମା ନିର୍ଧାରଣ କରି ସୂଚନା ଫଳକ ଲଗାଇଛି। ଓଡ଼ିଶା ସୀମାରେ ଅନୁପ୍ରବେଶ ରୋକିବାକୁ ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ସ‌ରୋଜ କୁମାର ମିଶ୍ର ଗତକାଲି ନିର୍ଦେଶ ଦେଇଥିଲେ। ଗୁଣପୁର ଉପଖଣ୍ଡ ପ୍ରଶାସନ ଆଜି ତ୍ବରିତ୍ ଭାବେ ଏହାକୁ କାର୍ଯ୍ୟକାରୀ କରିଛି। ସୂଚନା ଫଳକ ଲାଗିବା ପରେ ଏଣିକି ସୀମାରେ ଆନ୍ଧ୍ରର ଅନୁପ୍ରବେଶ ସହ ଜବରଦଖଲ କମିବ ବୋଲି ସୀମାନ୍ତବାସୀ ଆଶା କରିଛନ୍ତି।

ଗୁଣପୁର ବ୍ଲକ ମରମା ପଞ୍ଚାୟତରୁ ୨ କିମି ଦୂର ଓଡ଼ିଶା ସୀମାରେ ଆନ୍ଧ୍ର  ସରକାରଙ୍କ ପକ୍ଷରୁ ବେଆଇନ ଭାବେ ରାସ୍ତା ନିର୍ମାଣ କାମ ଚାଲିଥିଲା। ଗତ ଏକ ମାସ ଧରି ଆନ୍ଧ୍ରର ଭାମିନି ମଣ୍ଡଳର ଆନ୍ତର୍ଜଲିରୁ ଇରିଡି ଘାଟି ଦେଇ ଗୁଜୁବାଇ ଓ ମୁନିଙ୍ଗଖୋଳା ଗ୍ରାମ ଅଭିମୁଖେ ଏହି ରାସ୍ତା ନିର୍ମାଣ ହେଉଥିଲା।

ଫେବ୍ରୁଆରି ୨୦ ତାରିଖରେ  ଗୁଣପୁର ଉପଖଣ୍ଡ ପ୍ରଶାସନ ଏ ସଂପର୍କରେ ସୂଚନା ପାଇବା ପରେ ଉପଜିଲ୍ଲାପାଳ ସୋନାଲ୍ ଜେନା ନିର୍ମାଣସ୍ଥଳରେ ପହଞ୍ଚି ରାଜସ୍ବ ଓ ଜଙ୍ଗଲ ବିଭାଗ ଦ୍ବାରା ସୀମା ରାସ୍ତାର ତଦନ୍ତ କରିଥିଲେ। ତଦନ୍ତ ପୂର୍ବରୁ ଆନ୍ଧ୍ର ଉକ୍ତ ରାସ୍ତାର ୭୦ ପ୍ରତିଶତ ନିର୍ମାଣ ସହ କଲର୍ଭଟ ଗୁଡ଼ିକର ମରାମତି ସାରିଥିବା ଜଣା ପଡିବା ପରେ ନିର୍ମାଣ କାମ ବନ୍ଦ ରଖିବାକୁ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେନା ଜିଲ୍ଲାପାଳଙ୍କ ଜରିଆରେ ଆନ୍ଧ୍ର ସରକାରଙ୍କୁ ଅବଗତ କରିଥିଲେ। ଜିଲ୍ଲା ପ୍ରଶାସନର ପଦକ୍ଷେପ ପରେ ନିର୍ମାଣ କାମ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe