ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନରେ ଅଚଳାବସ୍ଥା

Advertisment

୩୧ରେ ଜୟପୁର କମିସନର ସଭ୍ୟାଙ୍କ ଅବସର,୧୨ଦିନ ହେବ କମିସନ ଅଚଳ

୩୧ରେ ଜୟପୁର କମିସନର ସଭ୍ୟାଙ୍କ ଅବସର,୧୨ଦିନ ହେବ କମିସନ ଅଚଳ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନରେ ଅଚଳାବସ୍ଥା

ଜୟପୁର:  ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ (ଡିଷ୍ଟ୍ରିକ୍ଟିଟ୍ କନ୍ଜ୍ୟୁମର ଡିସପ୍ୟୁଟସ୍ ରିଡ୍ରେସାଲ କମିସନ)ରେ ଏବେ ଦେଖାଦେଇଛି ଅଚଳାବସ୍ଥା ।  କୋରାପୁଟ ଜିଲ୍ଲା ଜୟପୁରରେ ଥିବା କମିସନରେ ଗତ ୨୦୧୯ଏପ୍ରିଲ ୭ତାରିଖ ଦିନ ସଭାପତି ଥିବା ବରିଷ୍ଠ ଆଇନଜୀବୀ ବିପିନ ଚନ୍ଦ୍ର ମହାପାତ୍ର ଅବସର ନେଇଥିଲେ। ତା ପର ଠାରୁ ଏଠାରେ ଆଉ ସଭାପତି ପଦବୀରେ ନିଯୁକ୍ତି ହୋଇପାରିନି। ଏଠାରେ ସଭ୍ୟା ଥିବା ନିବେଦିତା ରଥ, ସଭ୍ୟ ଜ୍ୟୋତିରଂଜନ ପୁଜାରୀଙ୍କ ମଧ୍ୟରୁ ମହିଳା ସଭ୍ୟା ଭାରପ୍ରାପ୍ତ ସଭାପତି ଭାବେ ଦାୟିତ୍ବ ତୁଲାଇ ଆସିଥିଲେ। ଗତ ନଭେମ୍ବର ୩୦ତାରିଖ ଦିନ ତାଙ୍କ କାର୍ଯ୍ୟକାଳ ସରିଛି। ଏବେ ଏଠାରେ ଜଣେ ମାତ୍ର ସଭ୍ୟ ଶ୍ରୀ ପୁଜାରୀ ରହିଛନ୍ତି।

ଅନ୍ୟପକ୍ଷରେ ଜଣେ ମହିଳା ସଭ୍ୟ ଓ ସଭାପତି ନିଯୁକ୍ତି ମିଳିଲେ ଯାଇ ଜୟପୁର ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ ଚାଳି ପାରିବ। ଏଠାରେ ଏବେ ୧୬୦ଟି ଖାଉଟି ବିବାଦ ମାମଲା ରହିଛି। ଏମାନଙ୍କର ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଆଉ କମିସନ୍ ବସି ପାରିବ ନାହିଁ ବୋଲି ସୂଚନା ମିଳିଛି।  ସେଭଳି ନବରଙ୍ଗପୁର ଜିଲ୍ଲାରେ ସଭାପତି ରହିଥିବା ବେଳେ ଜଣେ ସଭ୍ୟଙ୍କର ଏହାରି ମଧ୍ୟରେ ମୃତ୍ୟୁ ହୋଇଥିବା ବେଳେ ମହିଳା ସଭ୍ୟା ଜଣଙ୍କର କାର୍ଯ୍ୟକାଳ ସରିଛି। ସେପରି ମାଲାକାନଗିରୀ ଜିଲ୍ଲାରେ ସଭାପତି ପଦବୀ ପାଙ୍କା ପଡ଼ିଥିବା ବେଳେ ୨ଜଣ ସଭ୍ୟ ହିଁ ଏହାକୁ କାର୍ଯ୍ୟନ୍ବୟନ କରି ଆସୁଛନ୍ତି। ରାୟଗଡାଜିଲ୍ଲାରେ ନିଯୁକ୍ତି ମିଳିଥିବା ସଭାପତି ଜଣକ ଯଦିଓ ନିଯୁକ୍ତି ରାୟଗଡା ପାଇଁ କରାଯାଇଛି। ତେବେ ସେ ଡେପୁଟେସନରେ ବ୍ରହ୍ମପୁରରେ କାମ କରୁଥିବା ବରିଷ୍ଠ ଆଇନଜୀବୀ କେଏନ୍ ସାମନ୍ତରାୟ କହିଛନ୍ତି। ସେଠାରେ ବି ୨ଜଣ ସଭ୍ୟ ହିଁ ଖାଉଟି କମିସନକୁ ପରିଚାଳନା କରି ଆସୁଛନ୍ତି।

ଜିଲ୍ଲାରେ ଥିବା ଖାଉଟି ଅଦାଲତ ଗୁଡିକରେ ଆବଶ୍ୟକ ସ˚ଖ୍ୟକ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇ ଦେବାକୁ ୧୯୯୯, ମାର୍ଚ୍ଚ ୨୨ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ ନିର୍ଦ୍ଦେଶ ବି କାର୍ଯ୍ୟକାରୀ କରାଗଲା ନାହିଁ। ଏ ନେଇ ଆସୋସିଏସନ ପକ୍ଷରୁ ୨୦୧୫ରେ ଦାୟର ଅଦାଲତ ଅବମାନନା ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଅନ୍ୟ ପକ୍ଷରେ ଅବିଭକ୍ତ କୋରାପୁଟଜିଲ୍ଲା ଆଦିବାସୀ ଅଧ୍ୟୁଷିତ। ଏଠାରେ ନ୍ୟାସ୍ତସ୍ବାର୍ଥ ବ୍ୟବସାୟୀ ମାନେ ଲୋକଙ୍କୁ  ବିଭିନ୍ନ  ବ୍ରାଣ୍ଡେଡ୍ ସାମଗ୍ରୀରେ ବି ଗୁଣବତ୍ତା ଏବଂ ସେବା ଉପଲବ୍ଦ କରୁ ନଥିବା ବେଳେ  ଲୋକେ ଅଧିକା ଠକାମିରେ ପଡ଼ୁଛନ୍ତି। ଏହି ସ୍ଥିତିରେ ଖାଉଟି ନିଜ ଆପତ୍ତିଅଭିଯୋଗ କରିବାକୁ ଯାଇ ତ୍ବରିତ୍ ନ୍ୟାୟ କିଭଳି ପାଇବେ ସହଜେ ଅନୁମେୟ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା  ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ (ଡିଷ୍ଟ୍ରିକ୍ଟିଟ୍ କନ୍ଜ୍ୟୁମର ଡିସପ୍ୟୁଟସ୍ ରିଡ୍ରେସାଲ କମିସନ)ରେ ଖାଲି ପଡ଼ିଥିବା ସଭାପତି ଓସଭ୍ୟ, ସଭ୍ୟା ନିଯୁକ୍ତି ତୁରନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe