ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠିକାଦାର ସଂଘ ପକ୍ଷରୁ ଏମଜିଏନଆରଇଜିଏସ ମେଟେରିଆଲ ଟଙ୍କା ଦେବାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବହେଳା କରୁଥିବା ଅଭିଯୋଗ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। ଠିକାଦାର ସଂଘର ସଭାପତି ମଦନ ବିହାରୀ ସାମଲଙ୍କ ଅଭିଯୋଗ ଅନୁସାରେ ଝରିଗାଁ ବ୍ଳକର ଠିକାଦାର ମାନେ ପ୍ରାୟ ୧୪ ମାସ ତଳେ ମନରେଗା କାମ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ମନରେଗା ଟଙ୍କା ଆସିନଥିବା ଯୋଗୁଁ ଠିକାଦାରମାନେ ଟଙ୍କା ପାଇନଥିଲେ। ତେବେ ବର୍ତ୍ତମାନ ମନରେଗା ମେଟେରିଆଲ ଟଙ୍କା ଆସିବାକୁ ଥିବା ବେଳେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ମେଟେରିଆଲ ଟଙ୍କା ବାବଦରେ ଆଲୋଚନା କରିଥିଲେ।
ତେବେ ଝରିଗାଁ ବିଡ଼ିଓ ମେଟେରିଆଲ ଟଙ୍କା ବାବଦକୁ ପିସି ମାଗୁଥିବା ଅଭିଯୋଗ କରିଛନ୍ତି। ପିସି ନଦେବା ଯୋଗୁଁ ଠିକାଦାରମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି। ଝରିଗାଁ ବ୍ଳକର ପ୍ରାୟ ୬୦ ଜଣ ଠିକାଦାର ୧୨ କୋଟି ଟଙ୍କା ପାଇବେ ବୋଲି କହିଛନ୍ତି। ଏହାର ପ୍ରତିବାଦ କରି ଆଜି ସକାଳୁ ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଥିବା କହିଛନ୍ତି। ଠିକାଦାରମାନଙ୍କ ମେଟେରିଆଲ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିବୁ ବୋଲି ଠିକାଦାର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ସେହିପରି ମନରେଗା ପକ୍ଷରୁ ୫ଟି ବିଦ୍ୟାଳୟ ହୋଇଥିବାବେଳେ ମେଟେରିଆଲ ଟଙ୍କା ନ ମିଳିଲେ ୫ଟି ବିଦ୍ୟାଳୟଗୁଡିକୁ ତାଲା ପକାଇବା ପାଇଁ ଠିକାଦାର ସଂଘ ନିଷ୍ପତି ନେଇଥିବା ସୂଚନା ମିଳିଛି। ତେବେ ଘଟଣା ନେଇ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ସେ ଛୁଟିରେ ଥିବାର ସୂଚନା ମିଳିଛି।
Follow Us