ଦେଢ଼ କୋଟି ଟଙ୍କା ନେଇ ଠିକାଦାର ଛୁ’, ୩ ବର୍ଷ ହେବ ପଟ୍ଟାମୁଣ୍ଡାଇ ଇକୋଟଏଲେଟ୍‌ରେ ତାଲା

Advertisment
ଦେଢ଼ କୋଟି ଟଙ୍କା ନେଇ ଠିକାଦାର ଛୁ’, ୩ ବର୍ଷ ହେବ ପଟ୍ଟାମୁଣ୍ଡାଇ ଇକୋଟଏଲେଟ୍‌ରେ ତାଲା

Sambad

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇକୋଟଏଲେଟ୍‌ ୩ ବର୍ଷ ହେବ ତାଲା ପଡ଼ି ରହିଛି। ବିଲ୍‌ ପାଇଯିବା ପରେ ଠିକାଦାରଙ୍କର ଦେଖା ମିଳୁ ନଥିବା ବେଳେ ଖତ ଖାଉଥିବା ଟଏଲେଟ୍‌କୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି।
ପଟ୍ଟାମୁଣ୍ଡାଇ ବଜାରରେ ସାଧାରଣ ବ୍ୟବହାର ପାଇଁ କୌଣସି ଶୌଚାଳୟ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ୩ ବର୍ଷ ତଳେ ପୌରାଞ୍ଚଳର ୧୦ରୁ ଅଧିକ ସ୍ଥାନରେ  ଏହି ଟଏଲେଟ ନିର୍ମାଣ କରାଯାଇଥିଲା। କଏନ୍‌ ଗଳାଇଲେ ଏହାର କବାଟ ଖୋଲିବ ଓ ଲୋକେ ଏହାକୁ ବ୍ୟବହାର କରିବେ। ରାଜ୍ୟ ବାହାରର ଏକ ଠିକା ସଂସ୍ଥା ଏହାର ଟେଣ୍ଡର ନେଇ ନିର୍ମାଣ କାମ କରିଥିଲା। କିଛି ସ୍ଥାନରେ ନିର୍ମାଣ ସରିଥିବା ବେଳେ ଅନ୍ୟ କିଛି ସ୍ଥାନରେ ଅଧାପନ୍ତରିଆ ହୋଇ ଟଏଲେଟ୍ ପଡ଼ି ରହିଲା। ଫଳରେ କୌଣସି ଗୋଟିଏ ବି ବ୍ୟବହାର ନହୋଇ ସବୁଥିରେ ଏବେ ତାଲା ପଡ଼ି ରହିଛି। ପୌର କର୍ତ୍ତୃପକ୍ଷ ଏହି ଘଟଣାରେ ଚୁପ୍‌ ବସିଥିବା ବେଳେ ଏହାର ଚାବି କେଉଁ ଆଡ଼େ ଗାଏବ ହୋଇଯାଇଛି। ଇକୋଟଏଲେଟ୍‌ର ଏଭଳି ସ୍ଥିତିକୁ ନେଇ ଗତ କାଉନସିଲ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।  ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ବାଇଁ ଏଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ବଜେଟରେ ୨୦ ଲକ୍ଷ ଟଙ୍କା ବ୍ୟୟବରାଦ କରିବାକୁ ଚିଠା ପ୍ରସ୍ତାବ ଆଗତ କରିବାକୁ କହିବାରୁ କାଉନସିଲରମାନେ ବିରୋଧ କରିଥିଲେ। ଏଗୁଡ଼ିକ କାର୍ଯ୍ୟକ୍ଷମ କରା ନ ଯାଇ ଠିକାଦାରଙ୍କୁ କିପରି ବିଲ୍‌ ପଇଠ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଥିଲେ।

କାଉନସିଲର ଗୋପୀବଲ୍ଲଭ ନାୟକ ଓ ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ବାଇଁଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହେବା ସହ ଏହି ବ୍ୟୟବରାଦକୁ ସ୍ଥଗିତ ରଖାଯାଉଥିଲା। ବିଲ୍‌ ଦେଇଥିବା ନିର୍ବାହୀ ଅଧିକାରୀ ଶ୍ରୀ ସ୍ବାଇଁ ଗତ ସପ୍ତାହରେ ଏଠାରୁ ବଦଳି ହୋଇ ବାଙ୍କୀକୁ ଯାଇଛନ୍ତି। ଫଳରେ ଏହି ପ୍ରକଳ୍ପ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ପଟ୍ଟାମୁଣ୍ଡାଇ। ପ୍ରତିଦିନ ଏଠାକୁ ବେପାର ବଣିଜ ପାଇଁ ଆଖପାଖ ୫ଟି ବ୍ଲକର ଶତାଧିକ ଲୋକ ନିର୍ଭର କରିଥା’ନ୍ତି। ଏଠାରେ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ବ୍ଲକ ଅଫିସ, ପୋଷ୍ଟ ଅଫିସ ଭଳି ସରକାରୀ କାର୍ଯ୍ୟାଳୟ ଓ ଅନେକ ବ୍ୟାଙ୍କ ରହିଛ। ଜନସାଧାରଣଙ୍କ ସୁବିଧା ଓ ସହରର ସ୍ବଚ୍ଛତା ନିମନ୍ତେ ଇକୋଟଏଲେଟ୍‌ ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ ଇକୋଟଏଲେଟ୍‌ ପିଛା ୭ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ହୋଇଛି। ମାତ୍ର ନିର୍ମାଣର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଏ ସମ୍ପର୍କରେ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁ କହିଛନ୍ତି ଯେ ଏହି ଟଏଲେଟ ପୂର୍ବରୁ ନିର୍ମାଣ କରାଯାଇଛି। ଯାହା ତ୍ରୁଟିବିଚ୍ୟୁତି ହୋଇଛି ତାହା ଉପରେ ସେ ଦୃଷ୍ଟି ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe