କାହାର ପେଟ ପୁରୁଛି, ଆଉ କିଏ ଦୁଇ  ଓଳି ଉପାସ, କନ୍ଧମାଳରେ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ ପ୍ରହସନ

ସରପଞ୍ଚ ଓ ପିଇଓଙ୍କ ମନମୁଖି, ତଦାରଖ କରିବାକୁ କେହି ନାହିଁ  

କାହାର ପେଟ ପୁରୁଛି, ଆଉ କିଏ ଦୁଇ  ଓଳି ଉପାସ, କନ୍ଧମାଳରେ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ ପ୍ରହସନ

ଫୁଲବାଣୀ: କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ଆଜି ୧୦ ଦିନରେ ପହଞ୍ଚିଛି। ଲକ ଡାଉନ ଅବଧି ଶେଷ ହେବାକୁ ଆହୁରି ୧୧ ଦିନ ବାକି ରହିଛି। ଏହି ସମୟ ମଧ୍ୟରେ କାମଧନ୍ଦା ବନ୍ଦ ଯୋଗୁଁ ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କଠାରୁ ଉଠାଦୋକାନୀ ପର୍ଯ୍ୟନ୍ତ ସାହାଯ୍ୟ ବ୍ୟବସ୍ଥା କରିଛନ୍ତି। ଏହା ବାଦ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରୀବ,ଅସହାୟଙ୍କୁ ଦୁଇ ଓଳି ରନ୍ଧାଖାଦ୍ୟ ପଞ୍ଚାୟତ ପକ୍ଷରୁ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥି ନିମନ୍ତେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଛି।

ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଏହି ଦାୟିତ୍ବ ବୁଝିବେ। ପ୍ରଶାସନିକ ଅଧିକାରୀ ଏହାର ତଦାରଖ କରିବେ। ହେଲେ କନ୍ଧମାଳରେ ପଞ୍ଚାୟତର ରନ୍ଧାଖାଦ୍ୟ ବଣ୍ଟନ ସତେ ଯେମିତି ପ୍ରହସନରେ ପରିଣତ ହୋଇଛି। କାହାର ପେଟ ପୁରୁଛି ତ ଆଉ କିଏ ଉପବାସରେ ରହୁଛି। ଜିଲ୍ଲାରେ ସମୁଦାୟ ୧୭୧ଟି ପଞ୍ଚାୟତ ରହିଛି। ୩ ଦିନ ହେଲା ପଞ୍ଚାୟତଗୁଡିକରେ ରନ୍ଧାଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି। ହେଲେ ଅଧିକାଂଶ ପଞ୍ଚାୟତରେ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଆଉ କେତେକ ପଞ୍ଚାୟତରେ ଏହା ଆଦୌ ଆରମ୍ଭ ହୋଇ ନଥିବା ଜଣା ପଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପଞ୍ଚାୟତ କାର୍ଯ୍ୟାଳୟ ପାଖାପାଖି ଗାଁଗୁଡିକର ଗରୀବ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ହେଲେ କିଛି ଦୁରରେ ଥିବା ଗାଁକ ରନ୍ଧାଖାଦ୍ୟ ଯାଉ ନାହିଁ। ଯଦିଓ ଦିଆଯାଉଛି ତାହା ପୁଣି ବିଳମ୍ବରେ। ଆଉ ସକାଳ ଓଳିରେ। ରାତିରେ ଆଉ ରନ୍ଧାଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ ହେଉଛି।

ଖଜୁରୀପଡା ବ୍ଳକର ସୁଡ୍ରୁକୁମ୍ପା, ଦୁତିପଡା, ଚକାପାଦ ବ୍ଳକର ଲାଇନପଡା, ଶଙ୍କରଖୋଲ ଆଦି ପଞ୍ଚାୟତର ବିଭିନ୍ନ ଗାଁରେ ଗରୀବ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏମିତି ବିଭିନ୍ନ ଗାଁର ଗରୀବ ଓ ଅସହାୟ ବୃଦ୍ଧବୃଦ୍ଧା ଥାଳି ଧରି ରନ୍ଧାଖାଦ୍ୟକୁ ଅପେକ୍ଷା କରୁଛନ୍ତି। ଦିନ ୨ଟା ସୁଦ୍ଧା ଖାଦ୍ୟ ପହଞ୍ଚୁ ନାହିଁ। ସକାଳେ ଦିଆଯାଉଛି। ହେଲେ ରାତିକୁ ଆଉ କାହାର ଦେଖା ନାହିଁ ବୋଲି କହନ୍ତି ବହୁ ଗ୍ରାମବାସୀ। ଅଧିକାଂଶ ପଞ୍ଚାୟତରେ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମନମୁଖୀ କାମ କରୁଥିବାରୁ ଗରୀବ ଓ ଅସହାୟଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚି ପାରୁ ନାହିଁ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ବଡ ଉଦବେଗର ବିଷୟ ଯେ ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ କଡା ନିର୍ଦ୍ଦେଶ ଥିଲେ ବି କାହାର ଦେଖା ମିଳୁ ନାହିଁ। ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe