ସମବାୟ ବ୍ୟାଙ୍କ ଭିତରେ ଚୋର: ବିଶ୍ୱାସ ହରାଉଛି ବ୍ୟାଙ୍କ, ଅଡୁଆରେ ଗ୍ରାହକ

Advertisment
ସମବାୟ ବ୍ୟାଙ୍କ ଭିତରେ ଚୋର: ବିଶ୍ୱାସ ହରାଉଛି ବ୍ୟାଙ୍କ, ଅଡୁଆରେ ଗ୍ରାହକ

Indian Cooperative

ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କରେ ଆକାଉଣ୍ଟ ଟାମ୍ପରିଂ ଓ ଏଟିଏମ ଚୋରୀ କରି ଟଙ୍କା ହଡପ ମାମଲାର ଚୋର ଧରାପଡୁନି। ଚୋର ଏଟିଏମ ଚୋରୀ କରି ଟଙ୍କା ଉଠାଇଛି। ଜାଲ ଦସ୍ତଖତ କରି ଆକାଉଣ୍ଟକୁ ଟାମ୍ପରିଂ କରି ଟଙ୍କା ଉଠାଇଛି। ହେଲେ ଧରାପଡିନି ବ୍ୟାଙ୍କ ଭିତରର ଚୋର, ଯାହାକୁ ନେଇ ଅଡୁଆରେ ପଡିଛନ୍ତି ଗ୍ରାହକ। ବ୍ୟାଙ୍କ କର୍ମଚାରୀ ସାମ୍ବାଦିକ ସମ୍ମିଳନୀ କରି ବ୍ୟାଙ୍କ ଉପରେ ଭରସା ରଖିବାକୁ କହୁଥିଲେ ହେଁ ପ୍ରତିଦିନ ଗ୍ରାହକମାନେ ନିଜ ଆକାଉଣ୍ଟ ବନ୍ଦ କରିବାରେ ଲାଗିଛନ୍ତି। ବଲାଙ୍ଗୀର ଏସପିଙ୍କ ତତ୍ୱାବଧାନରେ ତଦନ୍ତ ଚାଲିଥିଲେ ବି ଏହି ଟଙ୍କା ଚୋରୀର ଚୋରକୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ କରି ନାହିଁ।

କେନ୍ଦ୍ର ସମବାୟ ବ୍ୟାଙ୍କର ଘୋଟାଲାକୁ ନେଇ ହରଡଘଣାରେ ଗ୍ରାହକମାନେ ପଡିଛନ୍ତି। ଗୋଟିଏ ପରେ ଗୋଟିଏ ଟଙ୍କା ହଡପର ତଥ୍ୟ ସାମ୍ନାକୁ ଆସିବା ପରେ ଗ୍ରାହକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରତିଦିନ ଗ୍ରାହକମାନେ ବ୍ୟାଙ୍କକୁ ଆସି ନିଜ ନିଜ ଆକାଉଣ୍ଟ ବନ୍ଦ କରୁଛନ୍ତି। ଆଉ କେହିକେହି ନିଜ ଟଙ୍କା ସବୁ କାଢି ନେଉଥିବା ବି ଦେଖିବାକୁ ମିଳୁଛି। କେତେ ଜଣ ଗ୍ରାହକ ବ୍ୟାଙ୍କରୁ ସବୁ ପ୍ରକାର ବ୍ୟବସାୟିକ ସଂପର୍କ ବି ତୁଟାଇ ଦେଉଛନ୍ତି। ଏସବୁ ଭିତରେ ବ୍ୟାଙ୍କ କର୍ତ୍ତୃପକ୍ଷ ଖୋଲାଖୋଲି ଚୋର କିଏ ତାଙ୍କ ନାଁ ନେଉଛନ୍ତି। ବ୍ୟାଙ୍କ ମ୍ୟାନେଜରଙ୍କ କହିବା ହେଲା, ଅସ୍ଥାୟୀ କର୍ମଚାରୀ ତ୍ରିପାଠୀ ବାବୁ ଚୋର। ଯିଏକି ଏବେ ଆଉ ବ୍ୟାଙ୍କରେ କାମ କରୁ ନାହାନ୍ତି। ପୁଲିସର ଛାନଭିନରେ ତାଙ୍କ ଘରୁ ୧୩ଟି ଫିକ୍ସ ଡିପୋଜିଟ କାଗଜପତ୍ର ବାହାରିଛି। ତେଣୁ ଆଗକୁ ଆଉ ସେଭଳି ଘଟଣା ହେବ ନାହିଁ ବୋଲି କହୁଛନ୍ତି।

ବ୍ୟାଙ୍କ କହିବାନୁସାରେ, ତ୍ରିପାଠୀ ବାବୁ ୨୦୧୮ ଡିସେମ୍ବରରେ ଡିଇଓ ଭାବରେ ଯୋଗଦେଇଥିଲେ। କିଛି ଦିନ ଭିତରେ କର୍ମଚାରୀଙ୍କ ବିଶ୍ୱାସ ଜିଣି ୟୁଜର ଆଇଡି ଓ ପାସୱାର୍ଡ ସେ ନେଇଯାଇଥିଲେ। ପ୍ରଥମେ ଏଟିଏମ ପାସୱାର୍ଡ ଚୋରୀ କରି ଟଙ୍କା ଉଠାଇଥିଲେ। ପରେ କର୍ମଚାରୀଙ୍କ ୟୁଜରଆଇଡି ପାସୱାର୍ଡରେ ଟଙ୍କା ଉଠାଇ ହଡପ କରିଥିଲେ। ଗୋଟିଏ ଆକାଉଣ୍ଟ ମୋଡିଫାଏ କରିବା ସମୟରେ ସେ ଧରାପଡିଥିଲେ। ତାପରେ ବ୍ୟାଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା କିନ୍ତୁ ପୁଲିସ ତଦନ୍ତ କରୁଥିଲେ ହେଁ ଏ ପର୍ଯ୍ୟନ୍ତ ତ୍ରିପାଠୀ ବାବୁଙ୍କୁ ଗିରଫ କରିନି।

ଏହି ମାମଲା ଟାଉନଥାନାରେ କିଛି ଦିନ ପଡି ରହିବା ପରେ ଏବେ ଏସପିଙ୍କ ତତ୍ୱାବଧାନରେ ତଦନ୍ତ ଚାଲିଛ। ତଥାପି ଚୋର ଗିରଫ ହୋଇ ନାହିଁ। କୋପରେଟିଭ ଏମ୍ପ୍ଲଇଜ ଫେଡେରେସନ କହିଛି ଯେ, ତ୍ରିପାଠୀ ବାବୁ ହିଁ ସବୁ ଚୋରୀର ମାଷ୍ଟର। ତାଙ୍କୁ ଗିରଫ କରାଯାଉ ଓ ଯଦି ଏହି ମାମଲାରେ ଆଉ କେହି ସଂପୃକ୍ତ ତାଙ୍କୁ ବି ଗିରଫ କରାଯାଉ। ନଚେତ ଆଗାମୀ ଦିନରେ କର୍ମଚାରୀ ଫେଡେରେସନ ଆନ୍ଦୋଳନମୁହାଁ ହେବ। ଏଭଳି ବିବାଦ ଭିତରେ ଏବେ ବ୍ୟାଙ୍କ ଲୋକଙ୍କଠାରୁ ବିଶ୍ୱାସ ହରାଇବାକୁ ବସିଛି। ଚୋର ଖୁବ ଶୀଘ୍ର ଗିରଫ ନ ହେଲେ ବ୍ୟାଙ୍କର ଅବସ୍ଥା ଦୁର୍ବଳ ଆଡକୁ ଗତି କରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe