ଝାରସୁଗୁଡ଼ା: ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ଯୋଗୁଁ ଏବେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇ ପଡ଼ିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ଆଗକୁ ଏହି ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା ହେବାର ଆଶା ଦେଖା ଦେଇଛି। ଝାରସୁଗୁଡ଼ା ସହରରେ ବିମାନବନ୍ଦର ଓ ରେଲ ଜଙ୍କସନ୍ ଥିବା ଦୃଷ୍ଟିରୁ ଏଠାକୁ ବହିରାଗତ ଆଗନ୍ତୁକଙ୍କ ସଂଖ୍ୟା ଅଧିକ। ଏଠାକୁ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ଲୋକେ ଯିବା ଆସିବା କରନ୍ତି। ବେଲପାହାଡ଼ଠାରେ ଥିବା ଟିଆର୍ଏଲ୍ କ୍ରୋସାକିକୁ ଜାପାନୀ ଓ ବେଦାନ୍ତକୁ ଚୀନ ନାଗରିକଙ୍କ ଯିବା ଆସିବା ହେଉଥିବା ଦୃଷ୍ଟିରୁ ଏହି ଅଞ୍ଚଳ କରୋନା ସଂକ୍ରମଣ ପାଇଁ ଏକ ସମ୍ବେଦନଶୀଳ ସ୍ଥାନ ପାଲଟିଛି। ମାତ୍ର ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେ, ବିଦେଶୀ ଲୋକଙ୍କ ଆଗମନ ଉପରେ ସତର୍କ ଦୃଷ୍ଟି ଦିଆଯାଇଛି। ବେଦାନ୍ତ କାରଖାନାକୁ ଚୀନ ଲୋକ ଯିବା ଆସିବା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବେଦାନ୍ତ କାରଖାନାରେ ଏବେ ଚୀନ ଲୋକ ନାହାନ୍ତି ବୋଲି ଏସ୍ପି ଅଶ୍ୱିନୀ ମହାନ୍ତି ସ୍ପଷ୍ଟ କରିଛନ୍ତି। ଟିଆର୍ଏଲ୍ କୁ ମଧ୍ୟ ସେହି ଅନୁଯାୟୀ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି।
ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉପରେ କଡ଼ା ନଜର ରଖାଯାଇଛି। ଏଠାରେ ଜାନୁଆରି ମାସରୁ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ତେବେ ରେଳ ଜଙ୍କସନ ଉପରେ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ରେଳ ଯୋଗେ ବହୁ ସଂଖ୍ୟାରେ ଯାତ୍ରୀ ଆସୁଥିବାରୁ ଏମାନଙ୍କ ସ୍କ୍ରିନିଂ ବ୍ୟବସ୍ଥା କରିବା ପାଇଁ କର୍ମଚାରୀଙ୍କ ଅଭାବ ରହିଛି। ତଥାପି ଆଗାମୀ ଦିନରେ ରେଳ ଷ୍ଟେସନ ଓ ବସ୍ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
କରୋନା ପ୍ରତିରୋଧ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ କିନ୍ତୁ ସହରର ବଜାର ବ୍ୟବସ୍ଥା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ଦିନ ରାତି ଗହଳି ଲାଗୁଥିବା ଷ୍ଟେସନ ଛକର ହୋଟେଲ ଗୁଡ଼ିକ ଏବେ ଖାଲି ପଡ଼ିଛି। ମନୋହାରୀ, କପଡ଼ା ମାର୍କେଟରେ ଆଉ ଗୋଟିଏ ବି ଗ୍ରାହକଙ୍କ ଦେଖା ମିଳୁନାହିଁ। ରେଳ ଯାତ୍ରୀ ସଂଖ୍ୟା ଆଶାତୀତ ଭାବରେ କମି ଯିବାରୁ ରେଳ ଷ୍ଟେସନ ଖାଁ ଖାଁ ଲାଗୁଛି। ଷ୍ଟେସନ ନିକଟରେ ଥିବା ବାଇକ ଷ୍ଟାଣ୍ଡ ସଂପୂର୍ଣ୍ଣ ଖାଲି ପଡ଼ିଛି। ଏଠାରେ ବାଇକ ଓ କାର୍ ପାର୍କିଂ କରି ଲୋକେ ଟ୍ରେନ୍ରେ ଯାତାୟତ କରୁଥିବାରୁ ହଜାର ହଜାର ଯାନବାହାନ ରହିଥାଏ। ମାତ୍ର କରୋନା ଭୟରେ ଲୋକେ ଅତି ଆବଶ୍ୟକ ନହେଲେ ଘରୁ ପଦାକୁ ଯାଉନଥିବାରୁ ଏହା ଖାଲି ପଡ଼ିଛି।
/sambad/media/post_attachments/wp-content/uploads/2020/03/JSG1-300x169.jpeg)
ମଲ୍ ଗୁଡ଼ିକ ଆଂଶିକ ଖୋଲିବାକୁ ନିର୍ଦ୍ଦେଶ
ଗତ ୧୬ ତାରିଖ ସନ୍ଧ୍ୟାରୁ ବନ୍ଦ କରି ଦିଆଯାଇଥିବା ମଲ୍ ଗୁଡ଼ିକୁ ଆଂଶିକ ଖୋଲିବାକୁ ଆଜି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମଲ୍ ଗୁଡ଼ିକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଖାଦ୍ୟ ସାମଗ୍ରୀ, ତେଜରାତି ସାମଗ୍ରୀ ଓ ଔଷଧ ବିକ୍ରୟ କରି ପାରିବେ। ଏଥିପାଇଁ ତାଙ୍କୁ ୬ ଗୋଟି ସର୍ତ୍ତ ମାନିବାକୁ କୁହାଯାଇଛି। ମଲ୍ ଗୁଡ଼ିକ ଉପରୋକ୍ତ ତିନି ପ୍ରକାର ଜିନିଷ ବିକ୍ରି କରିପାରିବେ, ମଲ୍ ମଧ୍ୟକୁ କେବଳ ଗ୍ରାହାକ ପଶି ପାରିବେ, ଯେଉଁଠି ୧୦ ରୁ ୧୫ ଜଣ ମଧ୍ୟରେ ରହିବେ, ମଲ୍ କର୍ମଚାରୀ ଜ୍ୱର, ଥଣ୍ଡା, କାଶକଫରେ ଆକ୍ରାନ୍ତ ନଥିବେ, ମଲ ଗୁଡ଼ିକ ବାରମ୍ବାର ବିଶୋଧନ କରାଯିବା, ଯିବା ଓ ଆସିବା ବେଳେ ହାତ ଧୋଇବା ବ୍ୟବସ୍ଥା କରାଯିବା ଓ ବ୍ୟକ୍ତିଗତ ସୁରକ୍ଷା ଓ ସାମାଜିକ ଦୁରତ୍ୱ ସଂପର୍କରେ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମଲ ଗୁଡ଼ିକୁ ଯାଞ୍ଚକାରୀ ଦଳ ବାରମ୍ବାର ଯାଞ୍ଚ କରିବେ ଓ ଉପରୋକ୍ତ ନିୟମରେ ଖିଲାପ କଲେ ଟ୍ରେଡ଼୍ ଲାଇସେନ୍ସ ବାତିଲ କରିବା ସହିତ ମାମଲା ରୁଜୁ କରାଯିବା ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
Follow Us