କରୋନା କାହାଣୀ: ଦୁଃଖ ଦରିଆରେ ଭାସୁଛି ଆନନ୍ଦଙ୍କ ପରିବାର

କରୋନା କାହାଣୀ: ଦୁଃଖ ଦରିଆରେ ଭାସୁଛି ଆନନ୍ଦଙ୍କ ପରିବାର

Sambad

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ କୁମାରଟଙ୍କା ଗ୍ରାମର ଆନନ୍ଦ ମହାରଣା(୩୪)। ବାଙ୍ଗାଲୋରର ଚାଟାର୍ଡ ଷ୍ଟାଣ୍ଡାର୍ଡ ବ୍ୟାଙ୍କରେ କ୍ୟାସିୟର ଥିଲେ। ମାସିକ ୪୬ ହଜାର ଟଙ୍କା ଦରମା ପାଉଥିଲେ। ହସଖୁସିରେ ଚଳୁଥିଲା ସଂସାର। ବାପା ରାମଚନ୍ଦ୍ର, ମା’ ଜେମାମଣୀ, ବୁଢୀ ମା’ ମୂଷି, ପତ୍ନୀ କଳ୍ପନା, ୪ ବର୍ଷର ଝିଅ ଆଲିସା ଓ ସାନଭାଇ ପ୍ରମୋଦଙ୍କୁ ନେଇ ୬ ପ୍ରାଣୀ ପରିବାର। କୋଭିଡ କଟକଣା ଜାରି ହୋଇଯିବା ପରେ ଗତ ୨୦୨୦ ଜୁନ୍ ମାସରେ ଆନନ୍ଦ ବାଙ୍ଗାଲୋରରୁ ଘରକୁ ପଳାଇ ଆସିଲେ। ଘରକୁ ଆସି ହୋମ୍ କ୍ବାରାଣ୍ଟିନରେ ଥିବା ସମୟରେ ଅସୁସ୍ଥ ହୋଇପଡ଼ିଲେ। ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ସ୍ବାବ ପରୀକ୍ଷା ପରେ ରିପୋର୍ଟ ଅସ୍ପଷ୍ଟ (ନନ୍‌କନକ୍ଲୁସିଭ)ଆସିଲା। ଆନନ୍ଦ କିନ୍ତୁ ଅଧିକରୁ ଅଧିକ ସଂକଟାପନ୍ନ ହୋଇଗଲେ। ଜୁଲାଇ ୧୯ ତାରିଖରେ ଆନନ୍ଦଙ୍କୁ ଛତାସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଗଲା। ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଲା। ଆନନ୍ଦଙ୍କ ଅକାଳ ବିୟୋଗରେ ପରିବାର ଉପରେ ଆକାଶ ଛିଡ଼ି ପଡ଼ିଲା।

ଏହା ମଧ୍ୟରେ ୬ ମାସ ବିତି ଗଲାଣି। ଆନନ୍ଦଙ୍କ ପରିବାର ଏବେ ଭାସୁଛି ଦୁଃଖଦରିଆରେ। ମାନସିକ ଦୁଃଖ ଓ ଆର୍ଥିକ ଅଭାବ ପରେ ପତ୍ନୀ କଳ୍ପନା ଛୋଟିଆ ଝିଅ ଆଲିସାକୁ ନେଇ ଚାଲି ଯାଇଛନ୍ତି ନିଜ ବାପ ଘରକୁ। ସାନଭାଇ ପ୍ରମୋଦଙ୍କ ଉପରେ ଏବେ ସାରା ପରିବାର ବୋଝ। ଭାଇଙ୍କ ରୋଜଗାରରେ ପରିବାର ବେଶ୍ ଆନନ୍ଦରେ ଚଳୁଥିଲା ସିନା ଏବେ କିନ୍ତୁ ରାତି ପାହିଲେ ଦାନା ମୁଠାଏ ଯୋଗାଡ଼ କରିବା କଷ୍ଟକର। ଏଭଳି ସ୍ଥିତିରେ ମୃତ ଆନନ୍ଦଙ୍କ ସାନଭାଇ ରାଜମିସ୍ତ୍ରୀମାନଙ୍କ ସାଙ୍ଗରେ ଯାଉଛନ୍ତି ହେଲପର କାମ କରିବା ପାଇଁ। ଦୈନିକ ଯାହା ମଜୁରି ମିଳୁଛି ସେଇଥିରେ ଦୁଃଖକଷ୍ଟରେ ଚଳୁଛି ପରିବାର। ଆନନ୍ଦଙ୍କ ଅକାଳ ବିୟୋଗଜନିତ ଦୁଃଖ ସାଙ୍ଗକୁ ପରିବାରର ଆର୍ଥିକ ଅନାଟନ ସନ୍ତୁଳି ଦେଉଛି ସାରା ପରିବାରକୁ। ଏ ମହାମାରୀ କରୋନା ପୋଷିଲା ପୁଅକୁ ଛଡାଇ ନେଇ ଆମକୁ ଦୁଃଖ ଦରିଆରେ ଭସାଇ ଦେଇଗଲା ବୋଲି କାନ୍ଦିକାନ୍ଦି କହିଛନ୍ତି ବୃଦ୍ଧା ଜେଜେ ମା’ ମୂଷିଙ୍କ ସମେତ ପରିଣତ ବୟସର ବାପା ରାମଚନ୍ଦ୍ର, ମା’ ଜେମାମଣୀ ଓ ପତିହରା ପତ୍ନୀ କଳ୍ପନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe