କରୋନା କାହାଣୀ; ଏବେ ପାନ ଦୋକାନ ଭରସା‌

Advertisment
କରୋନା କାହାଣୀ; ଏବେ ପାନ ଦୋକାନ ଭରସା‌

Sambad

ଗରଦପୁର: କୈଳାସ ଚନ୍ଦ୍ର ବେହେରା (୫୦)। ଗରଦପୁର ବ୍ଲକ ତିକନପୁରରେ ଘର। ସ˚ସାର ସୁରୁଖୁରୁରେ ଚାଲିଥିଲା। ମହାରାଷ୍ଟ୍ରର ଥାନେରେ ଗତ ୩୦ ବର୍ଷ ହେବ ସିସ୍କୋପ ମେଟାଲାଇଜି˚ କମ୍ପାନିରେ କାମ କରୁଥିଲେ। ମାସକୁ ଭଲ ଦରମା ସହିତ ବୋନସ ବି ମିଳୁଥିଲା। କରୋନା ସବୁ ବିଗାଡ଼ି ଦେଲା। ମହାମାରୀ କରୋନା ପ୍ରଭାବରେ କମ୍ପାନି ବନ୍ଦ ରହିଲା। ତିନି ମାସ କାଳ ସେଠାରେ କାମ ନ କରି କୈଳାସ ସେଠାରେ ବସି ରହିଲେ। ଗଲା ଜୁନରେ ଗ୍ରାମକୁ ଫେରି ଆସିଲେ। ଗାଁରେ ତାଙ୍କର ମାତ୍ର ୬ ଗୁଣ୍ଠ ଜମି। ଏମିତି ବିପତ୍ତି ବେଳେ କୈଳାସଙ୍କ ବାପା ବି ଆରପାରିକୁ ଚାଲିଗଲେ। ଏବେ ପରିବାର ପ୍ରତିପୋଷଣ ତାଙ୍କ ପାଇଁ କାଠିକର ପାଠ ହୋଇପଡ଼ିଛି। ଗାଁ ମୁଣ୍ତ ଛକରେ ଏକ ଭଡ଼ା ଘରେ ଏକ ଛୋଟ ପାନ ଦୋକାନ କରିଛନ୍ତି ସେ। ପତ୍ନୀ ରେଣୁବାଳା ମଧ୍ୟ ଦୋକାନ ଚଳାଇବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ଝିଅ ରାଜେଶ୍ବରୀ ଭଲ ପାଠ ପଢ଼ୁଥିଲେ ବି ଯୁକ୍ତ ୨ ପାସ କରିବା ପରେ ଅର୍ଥାଭାବରୁ ଆଉ ଅଧିକ ପଢ଼ି ପାରୁନାହାନ୍ତି।

ଏକମାତ୍ର ପୁଅ କ୍ଷିରୋଦ ଏବେ ୧୦ମ ଶ୍ରେଣୀରେ ପଢୁଛନ୍ତି। ଅର୍ଥାଭାବରୁ ପୁଅର ଟିଉସନ୍‌ ଦରମା ବି ଦେଇହେଉନାହିଁ। ଭୋକ ଉପବାସରେ ଦୁଃଖ କଷ୍ଟରେ ଏହି ପରିବାରର ଜୀବନ ବିତୁଛି। ଗାଁ ପାନ ଦୋକାନରେ କେତେ ଅଧିକ ବା ବିକ୍ରି ହେବ ? ଦିନକୁ ଖୁବ ବେଶିରେ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ସେଥିରୁ ମିଳୁଥିବା କିଞ୍ଚିତ ଲାଭରେ ପରିବାର ଚଳାଇବା ଖୁବ କଷ୍ଟସାଧ୍ୟ ହୋଇ ପଡ଼ିଛି। କୈଳାସଙ୍କୁ ଯଦି ସରକାରଙ୍କ ତରଫରୁ ବ୍ୟାଙ୍କ ଜରିଆରେ ସ୍ବତନ୍ତ୍ର ଋଣ ମିଳିପାରନ୍ତା ତେବେ ସେ ଏକ ଭଲ ତେଜେରାତି ଦୋକାନ କରି ଦି ପଇସା ରୋଜଗାର କରି ପାରନ୍ତେ ବୋଲି କୈଳାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe