କରୋନା କାହାଣୀ: କୋଡିଏ ବର୍ଷର ଚାକିରି ଛାଡ଼ିବାକୁ ପଡ଼ିଲା, ଚାଷକୁ ଆଦରିଲେ

କରୋନା କାହାଣୀ: କୋଡିଏ ବର୍ଷର  ଚାକିରି ଛାଡ଼ିବାକୁ ପଡ଼ିଲା, ଚାଷକୁ ଆଦରିଲେ

ମାର୍ଶାଘାଇ: ମହାମାରୀ କରୋନା କେନ୍ଦ୍ରାପଡ଼ା ଜିଲ୍ଲାର ବଛରାଇ ପଂଚାୟତର ପେଣ୍ଠ ଗ୍ରାମର ସଂଜୟ କୁମାର ଦାସଙ୍କ ଜୀବିକା ବଦଳାଇ ଦେଇଛି। ସଂଜୟଙ୍କ ପରିବାର କହିଲେ ପତ୍ନୀ ମମତା ଦାସ ଓ ଏକମାତ୍ର ଦିବ୍ୟାଙ୍ଗପୁତ୍ର ପ୍ରଦ୍ୟୁମ୍ନ। ପ୍ରଦ୍ୟୁମ୍ନଙ୍କ ଆଖିକୁ ଭଲ ଦିଶେନାହିଁ। ଦେହଯାକ ଛୋଟଛୋଟ ମାଂସ ପିଣ୍ତୁଳା ଓ ଗୋଟିଏ ଗୋଡ ଫାଇଲେରିଆ ରୋଗୀ ପରି। ସରକାରୀ ସାହଯ୍ୟ ଆକାରରେ ଦିବ୍ୟାଙ୍ଗ ଭତ୍ତା ପାଉଛି ସେ । ଗତ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଠିକ୍ ଭାବେ ଦେଖି ନପାରିବା କାରଣରୁ ସେ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲା। ସଂଜୟ ତାମିଲନାଡୁର ଗୁମୁଡିପୁଣ୍ତିଠାରେ ଥିବା ଏକ ପ୍ଲାଏଉଡ୍ କମ୍ପାନିରେ ଦୀର୍ଘ ୨୦ବର୍ଷ ଧରି କାମ କରି ଆସୁଥିଲେ। ଘରକୁ ପଇସାପତ୍ର ପଠାଉଥିଲେ। ସେଥିରେ ଦିବ୍ୟାଙ୍ଗ ପୁଅର ପାଠପଡ଼ା ଖର୍ଚ୍ଚ ସାଙ୍ଗକୁ ପୁଅର କ୍ରମାଗତ ଅସୁସ୍ଥତା ଯୋଗୁ ପ୍ରତିମାସରେ ଔଷଧ ଖର୍ଚ୍ଚ ମେଂଟାଇବା ବି କଷ୍ଟକର ଥିଲା।

କରୋନା ସଂକ୍ରମଣ ଯୋଗୁ କମ୍ପାନି ବନ୍ଦ ହୋଇଗଲା। ବହୁକଷ୍ଟରେ ବାଟ ଖର୍ଚ୍ଚ ପାଇଁ ୨ହଜାର ଟଙ୍କା ଯୋଗାଡ କରି ନିଜ ଭିଟାମାଟରେ ପହଂଚିଥିଲେ। ଏବେ ଆଉ ପ୍ରବାସୀ ହେବାକୁ ମନରେ ସାହସ ପାଉନି। ଫଳରେ ଗୁଜୁରାଣ ମେଂଟାଇବାକୁ ପୈତୃକ ସମ୍ପତ୍ତି ଥିବା ୧୦ଗୁଣ୍ଠ ଜମିରେ ପନିପରିବା ଚାଷ କରୁଛନ୍ତି। ଆଜି ସୁଦ୍ଧା କଳଲଙ୍ଗଳରେ ହଳଠାରୁ ଆରମ୍ଭ କରି ମଂଜି, ରାସାୟନିକ ସାର, କୀଟନାଶକ ପାଇଁ ବହୁତ ଖର୍ଚ୍ଚ ହେଲାଣି ବୋଲି ସେ କହନ୍ତି। ପାଣିପାଗର ବିଚିତ୍ରତା ଓ ରୋଗପୋକରେ ପନିପରିବା ନଷ୍ଟ ନ ହେଲେ ପରିଶ୍ରମ ବୃଥା ଯିବନାହିଁ ବୋଲି ସଂଜୟ ଆଶା ରଖିଛନ୍ତି। ନ ହେଲେ ଦିବ୍ୟାଙ୍ଗ ପୁଅ ଓ ପତ୍ନୀକୁ ନେଇ ଚାଲିଥିବା ତେଲଲୁଣର ସଂସାର ପାଇଁ ପୁଣି ପ୍ରବାସ ଯିବାକୁ ପଡିପାରେ ବୋଲି ସଂଜୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe