ବଣ୍ଡାଘାଟିରେ କରୋନା ଘଟଣା; ଜିଲ୍ଲାପାଳ ପହଞ୍ଚି ବିଭିନ୍ନ ଗ୍ରାମ ପରିଦର୍ଶନ କଲେ

Advertisment

ବଣ୍ଡାଘାଟିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ନିର୍ଦେଶ ଦେଲେ

ବଣ୍ଡାଘାଟିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ନିର୍ଦେଶ ଦେଲେ

ବଣ୍ଡାଘାଟିରେ କରୋନା ଘଟଣା; ଜିଲ୍ଲାପାଳ ପହଞ୍ଚି ବିଭିନ୍ନ ଗ୍ରାମ ପରିଦର୍ଶନ କଲେ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବଣ୍ଡାଙ୍କୁ କରୋନା ଛୁଇଁବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇଛନ୍ତି। ଗତକାଲି ବ୍ଲକ ପ୍ରଶାସନ ତରଫରୁ ବଣ୍ଡାଘାଟିର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଥିଲେ। ଆଜି ଜିଲ୍ଲାପାଳ ଵାଇ. ବିଜୟ ଏବଂ ସିଡିଏମଓ ବଣ୍ଡାଘାଟି ପରିଦର୍ଶନରେ ଯାଇଥିଲେ। ମୁଦୁଲିପ଼ଡା ପଞ୍ଚାୟତର ଦାନ୍ତିପଡା ଗ୍ରାମକୁ ଯାଇ ଲୋକଙ୍କ ସହ କରୋନା ମହାମାରୀ ସଂପର୍କରେ ପଚାରିଥିଲେ। ଲୋକେ ଏହାର ଭୟାବହତା ସଂପର୍କରେ ଜିଲ୍ଲାପାଳଙ୍କୁ କହିଥିଲେ। ତେବେ ଜିଲ୍ଲାପାଳ ଲୋକଙ୍କୁ ଭୟ ନକରି ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ଏବଂ ବାରମ୍ବାର ହାତକୁ ଧୋଇବାକୁ ପରାମର୍ଶ ଦେଇଥିଲେ।

ଏଠାରେ କାମ କରୁଥିବା ବିଭିନ୍ନ ଏନଜିଓମାନଙ୍କୁ ପ୍ରତ୍ୟେକ ଗ୍ରାମ ବୁଲି ଲୋକଙ୍କୁ କରୋନା ସଚେତନତା କରାଇବା ନେଇ ନିର୍ଦେଶ ଦେଇଥିଲେ। ଏଥିସହ ସମସ୍ତ ଆଶାକର୍ମୀ ଏବଂ ଅଂଗନବାଡି କର୍ମୀଙ୍କୁ ଗାଁ ଗାଁ ବୁଲି ପ୍ତତ୍ୟେକ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସଂଦେହ ହେଲେ କରୋନା ଟେଷ୍ଟ କରାଇବା ନେଇ ନିର୍ଦେଶ ଦେଇଥିଲେ। ବ୍ଲକ ପ୍ରଶାସନ ଏବଂ ତହସିଲଦାରଙ୍କ ତରଫରୁ ସମସ୍ତ ଗ୍ରାମରେ ଯେପରି ରାସନ ଇତ୍ୟାଦି ପହଞ୍ଚି ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଜିଲ୍ଲାପାଳ ଲୋକଙ୍କୁ ଗ୍ରାମରେ ରହିଥିବା ସମସ୍ୟା ସଂପର୍କରେ ପଚାରିଥିଲେ।

publive-image Sambad

ଗ୍ରାମବାସୀ ପାନୀୟ ଜଳ ସହ ରାସ୍ତାଘାଟ, ପିଡିଏସ ଚାଉଳ କମ୍ ଦିଆଯାଉଥିବା ଅଭିଯୋଗ କରିଥିଲେ। ଗ୍ରାମରେ ରହିଥିବା ଗୋଟିଏ ନଳକୂପରେ ପାଣି ବାହାରୁ ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଚୁଆ ପାଣି ଉପରେ ନିର୍ଭର କରୁଥିବା କହିଥିଲେ। ସେହିପରି ଅଂଗନବାଡି କେନ୍ଦ୍ର ନଥିବା,ବୃଦ୍ଧ ଓ ବୃଦ୍ଧାଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ କରିଥିଲେ।

ଜିଲ୍ଲାପାଳ ଏହି ଅଭିଯୋଗୁଡିକର ତଦନ୍ତ କରି ତୁରନ୍ତ ସମାଧାନ କରିବା ନେଇ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ପରେ ଏଠାରେ ଥିବା ମେଡିକାଲ ଏବଂ ଟିଏମସି ସେଣ୍ଟର ବୁଲି ତଦାରଖ କରିଥିଲେ। ବଣ୍ଡା ଲୋକଙ୍କୁ ଯେପରି ସ୍ବାସ୍ଥ୍ୟଗତ ସମସ୍ୟାରେ ବାଧା ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତଙ୍କୁ ତାଗିଦ କରିଥିଲେ। ଜିଲ୍ଲାପାଳ ସାମ୍ବାଦିକଙ୍କୁ କହିଥିଲେ ଯେ କୋରାପୁଟର ଅନକାଡେଲିରେ ହାଟ ହେଉଥବାରୁ ଏହି ସଂପ୍ରଦାୟର ଲୋକେ ସେହି ହାଟକୁ ଯିବା ଫଳରେ କରୋନା ମହାମାରୀ ଏହି ଅଂଚଳକୁ ଗ୍ରାସ କରିଛି। ତେବେ ୧୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୮ ଜଣ ସକ୍ରିୟ ରହିଛନ୍ତି। ତେବେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି, କୌଣସି ସମସ୍ୟା ନାହିଁ।

ତେବେ ଜିଲ୍ଲାପାଳଙ୍କ ଏହି ଗସ୍ତ ପରେ ବଣ୍ଡାଘାଟିରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି। ଏଥିସହ ଜିଲ୍ଲା ପ୍ରଶାସନର ତତ୍ପରତା ପରେ କରୋନା ସଂକ୍ରମଣ ମଧ୍ୟ ଆଗକୁ କମିବ ବୋଲି ଆଶା କରାଯାଉଛି। ଏହି ଗସ୍ତବେଳେ ବିଡିଓ ହୃଦରଂଜନ ସାହୁ,ତହସିଲଦାର ରାମକୃଷ୍ଣ ନାୟକ, ସିଡିଏମଓ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି, ଆଇଆଇସି କରୁଣାକର ବସନ୍ତ କଅଁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe