ମାସକରେ ଶତକ ଟପିଲା ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଶେଷଜ୍ଞ କରୋନା ସଂକ୍ରମିତ!

ମାସକରେ ଶତକ ଟପିଲା ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଶେଷଜ୍ଞ କରୋନା ସଂକ୍ରମିତ!

ରାୟଗଡ଼ା: ଜୁନ୍ ୩ରେ ରାୟଗଡ଼ାରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ଆକ୍ରାନ୍ତ। ଠିକ୍ ମାସକ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଟପି ୧୧୫ରେ ପହଞ୍ଚିଛି। ଜିଲ୍ଲାର ଗୁଣପୁର, ରାମନାଗୁଡ଼ା, ବିଷମକଟକ, କୋଲନରା, କାଶୀପୁର ବ୍ଲକ୍ ସମେତ ଗୁଣପୁର ଓ ରାୟଗଡ଼ା ପୌର ପରିଷଦରେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ପ୍ରବାସୀ ଫେରନ୍ତା ସଂକ୍ରମଣ ବାଣ୍ଟିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ପ୍ରବାସୀଙ୍କ ସହ ମିଶି ସମସ୍ୟାକୁ ଦ୍ବିଗୁଣିତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହା ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି।

ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସି କାଶୀପୁର ବ୍ଲକର ୯ ଜଣ ସଂକମ୍ରିତ ହୋଇଥିଲେ। ସେହିପରି ଆନ୍ଧ୍ରପ୍ରଦେଶରୁ ଫେରିବା ସମୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ବିଷମକଟକ ବ୍ଲକ୍ କୁମ୍ଭାରଢ଼ାମୁଣୀର ୨ ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ପର୍ଶରେ ଆସି ଆଉ ଜଣେ ଚିହ୍ନଟ ହୋଇଛନ୍ତି। ଏଥି ସହିତ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରୁ ଫେରିଥିବା ରାମନାଗୁଡ଼ା ବ୍ଲକର ୩ ଜଣ, ଦିଲ୍ଲୀରୁ ଫେରିଥିବା ବିଷମକଟକର ଜଣେ, ରାୟଗଡ଼ା ପୌର ପରିଷଦରୁ ୩ ଜଣ, ଗୁଣପୁର ପୌର ପରିଷଦରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ଗୁଣପୁର ବ୍ଲକ୍ ବିଜୟପୁର ଆକ୍ରାନ୍ତ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। କୋଏମ୍ବାଟୁରରୁ ଫେରିବା ପରେ ସ୍ବାମୀ, ସ୍ତ୍ରୀ, ୪ ବର୍ଷର ଝିଅ କରୋନା ଆକ୍ରାନ୍ତ ପରେ ଏବେ ଗାଁର ୯୦ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଜୟପୁର ଆକ୍ରାନ୍ତ ସୁପର ସ୍ପ୍ରେଡର ସାଜିଛନ୍ତି। ଅନ୍ୟପକ୍ଷରେ କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ମଧ୍ୟ କରୋନା କବଳରୁ ବର୍ତ୍ତି ନାହାନ୍ତି। ଜିଲ୍ଲା ଭେଷଜ ନୀରିକ୍ଷକଙ୍କ ସମେତ ଜଣେ ସ୍ବାସ୍ଥ୍ୟ କର୍ମୀ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିଛି। ଟୁ ନଟ୍ ଟୁ ମେସିନରେ ସ୍ବାବ ପରୀକ୍ଷା ପରେ ବିଶେଷଜ୍ଞଙ୍କ ସ୍ବାବ ପଜିଟିଭ୍ ଆସିବା ପରେ ମାଇକ୍ରୋ ବାଇଓଲୋଜିଷ୍ଟଙ୍କ ପରାମର୍ଶକ୍ରମେ ପୁଣି ଥରେ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଛି।

ଯଦି ରିପୋର୍ଟ ପଜିଟିଭ୍ ଆସେ ତାହାହେଲେ ସ୍ଥିତି ଭୟଙ୍କର ହେବ। କାରଣ ଆକ୍ରାନ୍ତ ଡାକ୍ତର ବର୍ହି ବିଭାଗରେ ରୋଗୀ ଦେଖିବା ସହ ଏସଏନସିୟୁ ପରିଦର୍ଶନ କରିଛନ୍ତି। ବହୁ ଶିଶୁଙ୍କ ସମେତ ସଂପର୍କୀୟ ଓ ମେଡ଼ିକାଲ୍ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। କରୋନା ଆକ୍ରାନ୍ତ ସନ୍ଦେହ କରାଯାଉଥିବା ଡାକ୍ତର ଗତ କିଛି ଦିନ ତଳେ ଗଞ୍ଜାମ ଯାଇ ଫେରିଥିଲେ। ଗଞ୍ଜାମରେ ରହଣି ସମୟରେ ପ୍ରାଇଭେଟ୍ ପ୍ରାକ୍ଟିସ୍ କରି ରୋଗୀ ଦେଖିବା ସମୟରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ସରକାରୀ ଭାବେ ସ୍ବାବ ରିପୋର୍ଟ ପଜିଟିଭ୍ ଆସିନି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe