କରୋନା ମୁକାବିଲା ପାଇଁ ସର୍କଲ ଜେଲରେ ସତର୍କତା: କଏଦୀଙ୍କୁ ଭେଟିପାରିବେ ନାହିଁ ସଂପର୍କୀୟ

Advertisment

ପରିସ୍କାର ରହିବା ନେଇ ସଚେତନତା

ପରିସ୍କାର ରହିବା ନେଇ ସଚେତନତା

କରୋନା ମୁକାବିଲା ପାଇଁ ସର୍କଲ ଜେଲରେ ସତର୍କତା: କଏଦୀଙ୍କୁ ଭେଟିପାରିବେ ନାହିଁ ସଂପର୍କୀୟ

କୋରାପୁଟ: ମହାମାରୀ କରୋନାର ପ୍ରଭାବ ଏବେ ସବୁଆଡେ ଦେଖିବାକୁ ମିଳୁଛି। ଏକାଠି ବେଶୀ ଲୋକ ଜମା ହେବା ଉପରେ କଟକଣା ଲଗାଯାଉଛି। ଏମିତି ପରିସ୍ଥିତିରେ ଜେଲ ଭିତରେ ଅନ୍ତେବାସୀଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ସନ୍ଦେହ। ଏକା ସାଙ୍ଗରେ ଶହ ଶହ ଅନ୍ତେବାସୀ ରହୁଥିବାରୁ ଏବଂ ଏକାଠି ବସବାସ କରୁଥିବାରୁ ସେମାନଙ୍କ ଭିତରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ସର୍କଲ ଜେଲ କର୍ତ୍ତୃପକ୍ଷ ସତର୍କତା ଅବଲମ୍ବନ କରିଛନ୍ତି। ସଂପର୍କୀୟମାନଙ୍କୁ ଭେଟିବା ନେଇ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ବେଳେ ଜେଲ ପରିସର ଭିତରେ ସଫା ସୁତୁରା ଉପରେ ଗୁରୁବ ଦିଆଯାଉଛି। ଏପଟେ ନୂଆ କରି ଜେଲକୁ ଆସୁଥିବା ଅନ୍ତେବାସୀଙ୍କୁ ପୃଥକୀକରଣ ଗୃହରେ ରଖାଯାଉଛି। ଏହା ବାଦ ମାସ୍କ ପିନ୍ଧିବା ସହ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି।

କୋରାପୁଟ ରେ ଥିବା ସର୍କଲ ଜେଲରେ ଏବେ ୭୯୦ ଜଣ ଅନ୍ତେବାସୀ ରହିଛନ୍ତି। ଏମାନେ ଗୋଟିଏ କ୍ୟାମ୍ପସରେ ରହୁଥିଲା ବେଳେ ପରସ୍ପର ସହ ମିଶୁଛନ୍ତି। ପୁଣି ଏହି ଜେଲର କ୍ଷମତା ୫୧୯ ରହିଥିଲା ବେଳେ ଅଧିକ ଅନ୍ତେବାସୀର ରହୁଛନ୍ତି। ତେଣୁ ଭିଡ ଅଧିକ ହେଉଛି। ଖୁନ୍ଦାଖୁନ୍ଦି ହୋଇ ଅନ୍ତେବାସୀ ରହୁଛନ୍ତି। ଫଳରେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏଠାରେ ସହଜରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଆଉ ଜେଲ ଭିତରେ ଥରେ ସଂକ୍ରମଣ ହେଲେ ଏହାକୁ ରୋକିବା କଷ୍ଟକର ହୋଇ ପଡିବ। ବିଶେଷକରି ବାହାର ଲୋକଙ୍କ ପାଖରୁ ଏହି ଭାଇରସ ଜେଲ ଭିତରକୁ ଆସିବାର ଆଶଙ୍କା ରହିଛି। ତେଣୁ ବାହାର ଲୋକଙ୍କ ସହ ଅନ୍ତେବାସୀମାନେ ନ ମିଶିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ।

ଜେଲରେ ଥିବା ଅନ୍ତେବାସୀମାନେ ସେମାନଙ୍କ ସଂପର୍କୀୟମାନଙ୍କୁ ଭେଟିବା ନେଇ ଥିବା ମୁଲାକାତକୁ ସ୍ଥଗିତ ରଖାଯାଇଛି। ଫଳରେ ବାହାରୁ ଏଠାକୁ ଭାଇରସ ସଂକ୍ରମଣ ହୋଇ ପାରିବ ନାହିଁଯ ସେହିପରି ଜେଲରୁ କୋର୍ଟକୁ ଯାଇ ଫେରିବା ସମୟରେ ଅନ୍ତେବାସୀମାନେ ଭଲ ଭାବେ ହାତ ଧୋଇ ଭିତରକୁ ପ୍ରବେଶ କରୁଛନ୍ତି। ଏହା ବାଦ ଜେଲ ଭିତରେ ସଫା ସୁତୁରାକୁ ବଢାଇ ଦିଆଯାଇଛିଯ ନିତି ସାନିଟାଇଜର ଦ୍ଵାରା ଜେଲକୁ ପରିସ୍କାର କରାଯାଉଛି। ଅନ୍ତେବାସୀମାନେ ଜେଲ ଭିତରେ ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି। କେବଳ ଏତିକି ନୁହେଁ, ଜେଲ ଭିତରେ ଅନ୍ତେବାସୀମାନେ ମାସ୍କ ତିଆରି କରୁଛନ୍ତି। ଏହା ସମସ୍ତଙ୍କୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଜେଲ ଡାକ୍ତରଖାନାରେ ଅଧିକ ସତର୍କତା ନିଆଯିବା ସହ ସନ୍ଧିଗ୍ଧଙ୍କ ଉପରେ ନଜର ରଖାଯାଇଛି।

ଜେଲ ଭିତରେ ବ୍ୟାପକ ସତର୍କତା ସତ୍ତ୍ୱେ ନିତି ନୂଆ ନୂଆ ଲୋକ ଜେଲକୁ ଆସୁଥିବାରୁ ଏହା ଜେଲ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢାଇ ଦେଇଛି। ଏବେ ନୂଆ କରି ଜେଲକୁ ଆସୁଥିବା ଲୋକଙ୍କୁ ପୃଥକୀକରଣ ୱାର୍ଡରେ ରଖା ଯାଉଛି। ଅନ୍ୟ ଅନ୍ତେବାସୀଙ୍କ ସହ ଏମାନଙ୍କୁ ମିଶିବାକୁ ଦିଆ ଯାଉନି। ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୌଣସି ଲକ୍ଷଣ ନ ଥିଲେ ସେମାନଙ୍କୁ ସାଧାରଣ ୱାର୍ଡରେ ରଖାଯିବ। ଏଥିନେଇ କୋରାପୁଟ ସର୍କଲ ଜେଲର ଜେଲର ଗଗନ ବିହାରୀ ସାହୁ କହିଛନ୍ତି ଯେ, ଜେଲ ଭିତରେ ଯେମିତି କରୋନା ସଂକ୍ରମଣକୁ ରୋକିହେବ ସେଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ମୁଲାକାତକୁ ସ୍ଥଗିତ ରଖାଯାଇଥିଲା ବେଳେ ନୂଆ ଅନ୍ତେବାସୀଙ୍କୁ ପୃଥକୀକରଣ ୱାର୍ଡରେ ରଖାଯାଇଛି। ଏହା ସହିତ ଜେଲ ଭିତରେ ପରିସ୍କାର, ପରିଛନ୍ନତା ଉପରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

ସେହିପରି ସର୍କଲ ଜେଲର ମେଡିକାଲ ଅଫିସର ଡା. ରାମନରେଶ ଯାଦବ କହିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ନେଇ ଜେଲ ଭିତରେ ଅନ୍ତେବାସୀଙ୍କୁ ସଚେତନ କରାଯାଉଛି। ଥଣ୍ଡା, କାଶ, ଜ୍ୱର ଲାଗି ରହିଲେ ତୁରନ୍ତ ଡାକ୍ତରଖାନାକୁ ଆସିବାକୁ କୁହାଯାଇଛି। ଏମାନଙ୍କୁ ଅଲଗା ଭାବେ ରଖି ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe