କରୋନା କଟକଣା ଆଣିଲା ନୂଆ ଆଶା : କୁମ୍ଭାରଙ୍କ ଗାଁ କୁମ୍ଭାରପୁଟ ଚଳଚଞ୍ଚଳ 

Advertisment
କରୋନା କଟକଣା ଆଣିଲା ନୂଆ ଆଶା : କୁମ୍ଭାରଙ୍କ ଗାଁ କୁମ୍ଭାରପୁଟ ଚଳଚଞ୍ଚଳ 

ଜୟପୁର: ଦୀପାବଳି ଆସିଲେ ହାତ ତିଆରି ଦୀପର ଆଦର ବଢ଼ିଯାଏ। ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଏହି ଆଦର ନୂଆ ଆଶା ଆଣିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରପୁଟ ଗାଁରେ ରହୁଥବା ୧୨୦ ପରିବାରଙ୍କ ମଧ୍ୟରେ। ଏହି ଗାଁର କୁମ୍ଭକାରଙ୍କୁ ଏହି ଆଶା ଏପରି ଉଦ୍ଦିପନାରେ ପରିଣତ କରି ଦେଇଛି ଯେ ଦିନରାତିକୁ ଏକ୍ କରି ଦେଇଛନ୍ତି । ଦିନ ଥିଲା ଏହି ଗାଁର ପାଖାପାଖି ୯୦ ପରିବାର କୌଳିକ ବୃତ୍ତିକୁ ଛାଡି ଅନ୍ୟବୃତ୍ତିକୁ ଆପଣେଇ ଥିଲେ। ବାକରି ୩୦ଟି ପରିବାର ଏହି କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ଗାଁର ୧୨୦ ପରିବାରରୁ ଅର୍ଧାଧିକ ଲୋକେ ଦୀପ ତିଆରିରେ ଲାଗିଛନ୍ତି। ସାଧାରଣତଃ ଦୀପାବଳୀ ସମୟରେ ମାଟି ଦୀପକୁ ଭରଷା କରି ଚଳୁଥିବା ପରିବାରଙ୍କର ଆଶା ଓ ଉଦ୍ଦିପନା ମଧ୍ୟ ଦେଖିବାକୁ ମିଳେମ। ଚଳିତବର୍ଷ ବାଣକୁ ନେଇ କଟକଣା ଦେଖିବାକୁ ମିଳିଛି। କାଳେ ଲୋକେ ଚାଇନା ଦୀପ ଓ ଲିଚୁ ଲାଇଟ ବଦଳରେ କିଏ ଦୀପ କେତେଟି ନେବେ ସେଥିପାଇଁ କାର୍ତିକ ଆରମ୍ଭର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ସେମାନଙ୍କର ପ୍ରସ୍ତୁତି। ଗତବର୍ଷ ଭଲ ବ୍ୟବସାୟ ହୋଇଥିବାବେଳେ ଚଳିତବର୍ଷ ଏହି ଆଶା ଦୀପାବଳି ବେପାରକୁ ଦ୍ବିଗୁଣିତ କରିଛି।

publive-image

ଆଧୁନିକତା ଓ ଚାଇନାବାଣର ଚାକଚକ୍ୟ ଭିତରେ ଦୀପାବଳିରେ ଦୀପ ଜାଳିବା ପରମ୍ପରା ଧୀରେ ଧୀରେ ଲିଭିଯିବାକୁ ବସିଥିବାବେଳେ ସେଥିରୁ ଜୀବନ ସାଉଣ୍ଟୁଛନ୍ତି କିଛି କୌଳିକବୃତ୍ତିକୁ ଆବୋରିଥିବା ଏହି କୁମ୍ଭାର ପରିବାର। ଆଜି କାଲି ସଂସ୍ଥାସୁନ୍ଦର ମଝବୁତ ହେବ ବୋଲି କାନ୍ଥବାଡ଼ରେ ଶୋଭାଯାଉଛି ଚାଇନା ତିଆରି ଲିଚୁ। ତଥାପି ଏମିତି କିଛି ମଣିଷ ଅଛନ୍ତି ଯିଏ ନିଜର ସାରା ଜୀବନକୁ ଦୀପ ତିଆରି ପାଇଁ ସମର୍ପିତ କରିଦେଇଛନ୍ତି। ଧୀରେ ଧୀରେ ହାତ ତିଆରି ଦୀପର କାରିଗରୀ କାମ ବନ୍ଦ ହୋଇଯାଉଥିବା ବେଳେ ଏବେ ବି କୋରାପୁଟ ଜିଲ୍ଲାର ଜୟପୁର ସହର ଉପକଣ୍ଠରେ ରହିଥିବା ଏହି ଗାଁ ଭିନ୍ନ ଆଶା ନେଇ ଯିଁ ଉଠିଛି। କାଳେ ଏହି କରୋନା କଟକଣା ତାଙ୍କ କୌଳିକ ବୃତ୍ତିକୁ ନୂଆ ଆଶା ଦେବ ସେଥିପାଇଁ ଦିନ ରାତିକୁ ଏକ କରି ଦେଇଛନ୍ତି। ଏହିଠାରେ ନିଜର ଛୋଟ ସଂସାର ନେଇ ଜୀବିକା ନିର୍ବାହ କରୁଛନ୍ତି ଏହି କୁମ୍ଭାର ପରିବାର। ବର୍ଷତମାମ ମାଟିରେ କଳସ, ସରା, ମାଠିଆ ଓ ଦୀପ ଗଢ଼ିଥାନ୍ତି। ଦୀପାବଳି ପାଇଁ ତାଙ୍କର କାମ ଦୁଇ ଗୁଣ ବଢ଼ିଯାଇଥାଏ।

ଏନେଇ ପ୍ରମିଳା କୁମ୍ଭାରଙ୍କ କହିବାନୁଯାୟୀ, ପର୍ବ ପର୍ବାଣୀ ଆସିଲେ ଯାଇ ଦୁଇ ପଇସା ରୋଜଗାର ହୁଏ। ତଥାପି ବର୍ଷ ସାରା ପେଟ ପାଟଣା ପାଇଁ ମାଟିର ସାମଗ୍ରୀ ତିଆରି କରିଥାଉ। ପୁରୁଣା ପରମ୍ପରାକୁ ଏବେ ସାଇତି ରଖିବା ସହିତ ପରିବାର ଖୁସି ଓ ପିଲାର ପାଠ ପଢ଼ା ପାଇଁ ଏହି କାମକୁ ବଞ୍ଚେଇ ରଖିବାକୁ ପଛେଇ ନାହାନ୍ତି ସେ କହିଛନ୍ତି।

ଏନେଇ ଗୁରୁବାରୀ କୁମ୍ଭାର କହିଛନ୍ତି ଯେ ଆଧୁନିକ ଯୁଗରେ ଦରଦାମ୍ର ବୃଦ୍ଧି ହୋଇଥିବା ବେଳେ ମାଟିର ଦାମ୍ ମଧ୍ୟ ଅକାଶ ଛୁଆଁ ହେଲାଣି। ଏମିତିକି ମାଟି ପାଇଁ ଅନେକ ଅଞ୍ଚଳ ବୁଲିବାକୁ ପଡ଼ୁଛି। ଗୋଟିଏ ଟ୍ରିପ୍ ମାଟିର ଦାମ୍ ୮୦୦୦ ଟଙ୍କା ଟପିଲାଣି। ନଦୀ ପଠାରୁ ମାଟି ଆଣିବାକୁ ପଡ଼ୁଛି। ଏହାକୁ ଆଣି ଭଲରେ ଚକିଟି ସେଥିରେ ବାଲି ମିଶାଇ ପାଉଁଶ ସାହାଯ୍ୟରେ ଦୀପ ନିର୍ମାଣ କରିବା ପରେ କୋଇଲା ବା ଝାଟିରେ ଏହାକୁ ପୋଡ଼ିବା ପରେ ବିକ୍ରି ପାଇଁ ଦୀପ ପ୍ରସ୍ତୁତ ହୋଇଥାଏ। ଦିନକୁ ୨୦୦ରୁ ୩୦୦ ଦୀପ ତିଆରି କରିବାରେ ଯେଉଁ ପରିଶ୍ରମ ଓ ପଇସା ଖର୍ଚ ହୁଏ ସେତିକି କିନ୍ତୁ ଲାଭ ମିଳେ ନାହିଁ। କିନ୍ତୁ ଚଳିତବର୍ଷ ଭଲ ବେପାର ଆଶା ରହିଛି। ଗତବର୍ଷ ସହରରୁ ଆମ ନିକଟରୁ ଦୀପ ନେବାକୁ ବେପାରି ଆସି ନ ଥାନ୍ତି। ଚଳିତବର୍ଷ ଦୀବାବଳୀ ଆହୁରୀ ଦେଢ ସପ୍ତାହ ରହିଥିବାବେଳେ ବେପାରିଙ୍କୁ ସୁଅ ଛୁଟୁଛି ବୋଲି ସେ କହିଛନ୍ତି।

publive-image

ଏନେଇ ବ୍ୟବସାୟୀ ମନବଧ ସାହୁ କହିଛନ୍ତି ଯେ ଦୀପାବଳି ସମୟରେ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ପାଇଁ ସେଠାରୁ ଦୀପ ଆଣି ଜୟପୁରରେ ବିକ୍ରି କରୁ। ହାତ ତିଆରି ଦୀପର ଚାହିଦା ଥିବା ବେଳେ ପ୍ରାୟ ମାସେ ଆଗରୁ ବରାଦ ଦେଇଥାନ୍ତି। ନଖି ଦୀପ, ଦେବାଲି ଦୀପ, ଲୁକା, ମଡ଼ା ଓ ରଙ୍ଗ ଦୀପର ଚାହିଦା ଥିବା କହିଛନ୍ତି ମନବଧ। ଦୀପ ୧୦୦ଟାକୁ ୪୦ରୁ ୫୦ ଟଙ୍କା ରଖିଥିବା ବେଳେ ଗ୍ରାହକଙ୍କ ମୂଲଚାଲ କଷ୍ଟ ଦେଇଥାଏ। ତଥାପି ଗ୍ରାହକଙ୍କ ଖୁସି ପାଇଁ ୨୦ ଟଙ୍କାରୁ ୩୦ ଟଙ୍କାରେ ବିକ୍ରି କରିବାକୁ ପଡ଼େ। ଏହି ସମୟରେ ୩୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ ବୋଲି ସେ କହିଛନ୍ତି।

*ପାଠ ସହ ସାଠ ଜରୁରୀ:ମନୁ*
ପାଠ ଯେତିକି ଦରକାର ତାହାଠାରୁ ଅଧିକ ସାଠ ଦାରକାର। ବାପା ଭଗବାନ ଓ ମା ଗୁରୁବାରୀଙ୍କଠୁ ଶିକ୍ଷା କରି ଏବେ କୁନି କୁମ୍ଭକାର ପାଲଟିଛନ୍ତି ମନୁ କୁମ୍ଭାର। ସ୍ଥାନୀୟ କୁମ୍ଭାରପୁଟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢେ। ହେଲେ କରୋନା ହେତୁ ପାଠପଢା ବନ୍ଦ ହୋଇଥିବାବେଳେ ଅନଲାଇନରେ ପାଠପଢା ଚାଲିଛି। ହେଲେ ମନୁ ପାଖରେ ନାହିଁ ମୋବାଇଲ। ଦୀପ ବିକ୍ରିରୁ ମିଳିବାକୁ ଥିବାରୁ ଅର୍ଥରୁ ଏକ ମୋବାଇଲ କିଣିବେ। ଆଉ ପାଠ ପଢି ବଡ ମଣିଷ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe