କରୋନା କାରୁଣ୍ୟ; ବାପା ଡାକ୍ତରଖାନାରେ, ମା’ ମରିଗଲା, ୧୩ବର୍ଷର ପିଲା କିଂକର୍ତ୍ତବ୍ୟବିମୁଢ଼

କରୋନା କାରୁଣ୍ୟ; ବାପା ଡାକ୍ତରଖାନାରେ, ମା’ ମରିଗଲା, ୧୩ବର୍ଷର ପିଲା କିଂକର୍ତ୍ତବ୍ୟବିମୁଢ଼

Sambad

ଜୟପୁର: ବାପା କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ। ମା’ ଘରେ ଅଚାନକ ଭାବେ ମୃତ୍ୟୁ ବରଣ କରିଥିଲେ। ଘରେ ଥିବା ୧୩ ବର୍ଷର ପୁଅ ଓ ୧୧ବର୍ଷର ଝିଅ ଏହି ସମୟରେ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ଯାଇଥିଲେ। ଯେଉଁ ସାହି ପଡ଼ିସା ସକାଳୁ ସଂଧ୍ୟାରେ ଏହି ପରିବାର ଏବଂ ମହିଳାଙ୍କ ସହ ମିଳିମିଶା କରୁଥିଲେ ମହିଳାଙ୍କର ମୃତ୍ୟୁ ପରେ କେହି ଘର ପାଖ ମାଡ଼ି ନଥିଲେ। ଏପରି ଏକ ମାନବିକତାହୀନ ଏବଂ ଦୁଃଖଦ ଘଟଣା ଘଟିଛି ସ୍ଥାନୀୟ ନେହୁରୁନଗର ଅଂଚଳରେ। ପୌରପାଳିକା କଣ୍ଟ୍ରୋଲରୁମକୁ ଏସଂପର୍କରେ ଫୋନ ଆସିବା ପରେ ଶବଦାହ କରୁଥିବା ୪ଜଣ ବଦାନ୍ୟ ଯୁବକ ‌ନେହୁରୁ ନଗର ଯାଇ ଆମ୍ବୁଲାନସରେ ଆଣି କୋଭିଡ୍ ଗାଇଡ୍ ଲାଇନରେ ଶେଷକୃତ୍ୟ ସଂପନ୍ନ କରାଇଥିଲେ। ୧୩ବର୍ଷର ପୁଅ ମୁଖାଗ୍ନି ଦେଇଥିଲେ। ଶଶିଭୁଷଣ ପାଢ଼ୀ ସ୍ଥାନୀୟ ପେପରମିଲରେ କାମ କରୁଥିଲେ। ପେପରମିଲ୍ ଗତ କିଛି ଦିନ ହେବ ବନ୍ଦ ହେବା ପରେ ଘରେ ରହୁଛନ୍ତି। ପତ୍ନୀ ଅବନ୍ତୀ ପାଢ଼ୀ(୫୦), ୧୩ ବର୍ଷର ପୁଅ ଓ ୧୧ ବର୍ଷର ଝିଅକୁ ନେଇ ଶଷିଭୁଷଣଙ୍କର ପରିବାର। ଗତ ୨୪ତାରିଖ ଦିନ ପତି-ପତ୍ନୀ କୋଭିଡ୍ ଭ୍ୟାକ୍ସିନ୍ ନେଇଥିଲେ। ଏହା ପରେ ଉଭୟଙ୍କୁ ଜ୍ବର ଓ ହାତଗୋଡ଼ ବ୍ୟାଥା ହୋଇଥିଲା।

ଉଭୟଙ୍କର ଜ୍ବର କମିବା ନାଁ ନେଇ ନଥିଲା। ଏହାରି ମଧ୍ୟରେ ଶଶିଭୁଷଣ ଗୁରୁତର ହେବା ସହ ଅକ୍ସିଜେନସ୍ତର କମିବା ସହ ନିଶ୍ବାସ ପ୍ରଶାସନ ନେବାରେ ବାଧା ହୋଇଥିଲା। ସେ କୋଭିଡ୍ କେୟାର ସେଣ୍ଟରରେ ଆଡମିଟ୍ ହୋଇଥିଲେ। ଗତ କାଲି ଶଶିଭୁଷଣ ପୁଣି ଗୁରୁତର ହେବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଚିକିତ୍ସାଧୀନ ରହିଛନ୍ତି। ପତ୍ନୀ ଅବନ୍ତୀଙ୍କ ମୃତ୍ୟୁକୁ ନେଇ ଶଶିଭୁଷଣ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏହାକୁ ସେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ନେଗଟିଭ୍ ରିପୋର୍ଟ ଆସିବା ପରେ ବି ଏତେ ବଡ଼ କ୍ଷତି ତାଙ୍କୁ ଭଗବାନ ଦେବ ବୋଲି ସେ ଭାବି ନଥିବା କହିଛନ୍ତି। ବାହୁନି ବାହୁନି କାନ୍ଧି ତାଙ୍କ ପୁଅ ଝିଅ ମା’ ଛେଉଣ୍ଡ ହୋଇଗଲେ ବୋଲି କହିଛନ୍ତି ଶଷିଭୁଷଣ। ଟୀକା ନେବା ପରେ ଜ୍ବର ଓହାତ ଗୋଡ଼ ବ୍ୟଥା ଉଭୟକୁ କମି ନଥିଲା। ପତ୍ନୀ ଅବନ୍ତୀ ଖାଇବା ପିଇବା ବି ଛାଡ଼ି ଦେଇଥିଲେ। ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ। ଏଥିରେ ସେ ମରିଯାଇଥିବେ ବୋଲି କହିଛନ୍ତି ଶଶିଭୁଷଣ। ମା’ର ମୃତ୍ୟୁ ଏବଂ ବାପା ହସ୍ପିଟାଲରେ ରହିବା ପରେ ଏହି ଦୁଇ ପିଲାଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଜିଲ୍ଲାପ୍ରଶାସନ, ବଦାନ୍ୟବ୍ୟକ୍ତି ଏଦିଗରେ ଦୃ‌ଷ୍ଟି ଦେଇ ସହାୁୟତାର ହାତ ବଢ଼ାଇବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe