ଗୁଣପୁର ସହରାଞ୍ଚଳ ବଢ଼ାଉଛି ଚିନ୍ତା; ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ମାର୍କେଟ୍ ବୁଲିଲେ ଏସ୍‌ପି

ଆଜି ଜିଲ୍ଲାରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଅମାନିଆଙ୍କଠୁ ୪୯ ହଜାର ଫାଇନ୍ ଆଦାୟ

ଗୁଣପୁର ସହରାଞ୍ଚଳ ବଢ଼ାଉଛି ଚିନ୍ତା; ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ମାର୍କେଟ୍ ବୁଲିଲେ ଏସ୍‌ପି

ରାୟଗଡ଼ା: ଦିନକୁ ଦିନ ରାୟଗଡ଼ା ଜିଲ୍ଲାରେ କ‌ରୋନା ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିଜ କାର୍ଯ୍ୟାଳୟରେ ସମୀକ୍ଷା କରିଥିବା ବେଳେ ଏସପି ବିବେକାନନ୍ଦ ଶର୍ମା ମାର୍କେଟ୍ ବୁଲି ଲୋକଙ୍କୁ ସଚେତନ କରିଛନ୍ତି। ଜିଲ୍ଲାରୁ ଆଜି ଚିହ୍ନଟ ୧୪ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗୁଣପୁର ସହରରୁ ୧୧ ଜଣ ଅଛନ୍ତି। ମାସ୍କ ପରିଧାନ ସହ ଓ ସାମାଜିକ ଦୂରତା ହିଁ ସଂକ୍ରମଣ ରୋକିବାର ଏକ ମାତ୍ର ମାଧ୍ୟମ ହୋଇଥିବାରୁ ନିୟମକୁ କଡାକଡ଼ି କରିଛି ପୁଲିସ୍, ପ୍ରଶାସନ। ଯାଞ୍ଚ ସମୟରେ ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ରାୟଗଡ଼ା ପୁଲିସ୍ ପକ୍ଷରୁ ୪୯ ହଜାର ଜରିମାନା ଆଦାୟ କରିଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କରୋନାର ଦ୍ବିତୀୟ ଲହରୀକୁ ମୁକାବିଲା କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ବ୍ଲକର ଲୋକମାନେ  ବାହାରକୁ ଯାଇ ଫେରୁଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସହ ସଙ୍ଗରୋଧରେ ରଖିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।  ଆବଶ୍ୟକ ପଡିଲେ  କୋଭିଡ  ଚିକିତ୍ସା କରାଇବାକୁ ନିର୍ଦେଶ ହୋଇଛି। ସେହିପରି ରେଳଷ୍ଟେସନ, ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରି ଲକ୍ଷଣ ଥିଲେ ସେମାନଙ୍କୁ ସଙ୍ଗରୋଧରେ ରଖିବା ସହ ଚିହ୍ନଟ ରୋଗୀଙ୍କୁ କୋଭିଡ଼ କେୟାର  ସେଣ୍ଟରରେ ଚିକିତ୍ସା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ସମସ୍ତ ବସ ମାଲିକ ମାନଙ୍କୁ ବସ ଛାଡିବା ପୂର୍ବରୁ ସାନିଟାଇଜ କରିବା, ସମସ୍ତ ଯାତ୍ରୀ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ ଜିଲ୍ଲପାଳ ପରାମର୍ଶ ଦେଇଛନ୍ତି। ବାହାରୁ କାମ କରିବାକୁ ଆସୁଥିବା ଲୋକଙ୍କୁ କାହା ସହିତ ମିଳାମିଶା  ନ କରିବା ଏବଂ  କାମ ସରିଲେ ହୋଟେଲ ଛାଡି ପଳାଇବାକୁ ନିର୍ଦେଶ ହୋଇଛି। ବୃଦ୍ଧ, ବୃଦ୍ଧା, ରୋଗାକ୍ରାନ୍ତ ବ୍ୟକ୍ତି ଓ ଶିଶୁଙ୍କୁ ଅଯଥାରେ ବାହାରେ ନ ବୁଲିବାକୁ   ଓ ଆବଶ୍ୟକସ୍ଥଳେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆକ୍ରାନ୍ତ ବଢ଼ୁଥିବାରୁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ଓ କର୍ମଚାରୀ ନିୟୋଜିତ ରଖିବାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଡିଆରଡିଏ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ପିଏ ଆଇଟିଡିଏ ଟୁକୁ ବାରିକ, ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ଏନଏଚଏମ୍ ଡିପିଏମ ରାଜେଶ୍ବର ରାଓ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହଣରେ ଏସପି ଡିଆଇବି ଛକରୁ ବାହାରି ମାର୍କେଟ୍ ଅଞ୍ଚଳ, ସପିଂ ମଲ୍, ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା, ଦୈନିକ ବଜାର ସ୍ଥିତି ଅନୁଧ୍ୟାନ କରିଥିଲେ। କିଛି ଦୋକାନରେ ମାସ୍କ ଓ ସାମାଜିକ ଦୂରତା ନିୟମର ଉଲ୍ଲଂଘନ ହୋଇଥିବାରୁ ଜରିମାନା ଆଦାୟ ହୋଇଥିଲା। ବ୍ୟାଙ୍କ ଭିଡ଼ କମାଇବାକୁ ପର୍ଯ୍ୟାୟକ୍ରମେ ଗ୍ରାହକଙ୍କୁ ଭିତରକୁ ଛାଡ଼ିବାକୁ ଏସପି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe