ରାୟଗଡ଼ାରେ କରୋନା ଉପରମୁହାଁ: ସୀମାନ୍ତ ଖୋଲା, ଷ୍ଟେସନରେ ନାହିଁ କଟକଣା

Advertisment
ରାୟଗଡ଼ାରେ କରୋନା ଉପରମୁହାଁ: ସୀମାନ୍ତ ଖୋଲା, ଷ୍ଟେସନରେ ନାହିଁ କଟକଣା

ରାୟଗଡ଼ା: ରାୟଗଡ଼ାରେ ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ। ମାର୍ଚ୍ଚ ଶେଷ ସୁଦ୍ଧା ସ୍ଥିତି ନିୟନ୍ତ୍ରଣରେ ଥିଲା। ଏପ୍ରିଲ୍ ପହିଲାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଜିଲ୍ଲାରୁ ୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋମବାର ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣା ହୋଇ ୧୬ରେ ପହଞ୍ଚିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସୀମାନ୍ତ ପଥ ଖୋଲାମେଲା ରହିଛି। ଷ୍ଟେସନ ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ଉପରେ ପ୍ରଶାସନର କୌଣସି କଟକଣା ନାହିଁ। ଯାହା ଆଗାମୀ ଦିନରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିପାରେ।

ମାର୍ଚ୍ଚ ୩୦ରେ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଶୂନ ଥିଲା। ମାର୍ଚ୍ଚ ୩୧ରେ ୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରଠୁ କରୋନା ଗ୍ରାଫ୍ ବଢ଼ି ଚାଲିଛି। ଏପ୍ରିଲ୍ ୧ରେ ୭ ସଂକ୍ରମିତ, ଏପ୍ରିଲ୍ ୨ରେ ୫ ସଂକ୍ରମିତ, ଏପ୍ରିଲ୍ ୩ରେ ୮ ସଂକ୍ରମିତ, ଏପ୍ରିଲ୍ ୪ରେ ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ଅଧିକ ସଂକ୍ରାମକ ସ୍ଥିତିରେ ପହଞ୍ଚିଲାଣି। ରାୟଗଡ଼ା ଆନ୍ଧ୍ରପ୍ରଦେଶକୁ ଲାଗିଥିବା ବେଳେ ସୀମାନ୍ତ ଜିଲ୍ଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ସ୍ଥିତି ଅଣାୟତ୍ତ ଯୋଗୁ ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ସେହିପରି ସୀମାନ୍ତ ଗଜପତି, କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆନ୍ଧ୍ରରେ ସ୍ଥିତି ଅଧିକ ଚିନ୍ତାଜନକ ଥିବା ସତ୍ତ୍ବେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୁଲିସ୍, ପ୍ରଶାସନ ପକ୍ଷରୁ ଯାଞ୍ଚ କଡାକଡ଼ି କରାଯାଇନି। ଦୈନିକ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ସମେତ ଅନ୍ୟ ରାଜ୍ୟରୁ ବହୁ ମାଲବାହୀ ଟ୍ରକ୍ ରାୟଗଡ଼ା ସହର ଦେଇ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ଜିଲ୍ଲାର କଳକାରଖାନାକୁ ମଧ୍ୟ ଦୈନିକ ଶହ ଶହ ଟ୍ରକ୍ ଆସୁଛି। ବିଭିନ୍ନ ହୋଟେଲ୍, ଢ଼ାବାରେ ମାଲବାହୀ ଟ୍ରକ୍, ଡ୍ରାଇଭର ହେଲପର ଖାଦ୍ୟପାନ କରିବା ସହ ବିଶ୍ରାମ ନେଉଛନ୍ତି।

publive-image

ଅନ୍ୟପକ୍ଷରେ ରାୟଗଡ଼ା ଷ୍ଟେସନ ଦେଇ ରେଳ ଚଳାଚଳ ସ୍ବାଭାବିକ ହେବାରେ ଲାଗିଛି। ଗୁଜୁରାଟ, ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, ଚେନ୍ନାଇ, ଆନ୍ଧ୍ର, ତେଲେଙ୍ଗାନାରେ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିବା ବେଳେ ଏହି ସବୁ ରାଜ୍ୟରୁ ଆସୁଥିବା ଟ୍ରେନ୍ ରାୟଗଡ଼ା ଷ୍ଟେସନ ଦେଇ ଯାତାୟାତ କରୁଛି। କାମ ଅନ୍ବେଷଣରେ ଜିଲ୍ଲାର ବହୁ ଶ୍ରମିକ, ବେସରକାରୀ ସଂସ୍ଥାରେ କାର୍ୟ୍ୟରତ ଯୁବକ, ଯୁବତୀ ପୁଣି ଉକ୍ତ ରାଜ୍ୟ ମୁହାଁ ହେଉଥିବା ବେଳେ ଷ୍ଟେସନରେ କେଉଁ ଯାତ୍ରୀ କୁଆଡେ ଯାଉଛନ୍ତି ତାହାର ସଠିକ୍ ଯାଞ୍ଚ ହେଉନି। ବିଶେଷ କରି ବିଶାଖାପାଟଣା-କରୋବା, ବିଶାଖାପାଟଣା-ଦିଲ୍ଲୀ ନିଜାମୁଦ୍ଦିନ୍, ପୁରୀ-ଗାନ୍ଧୀଧାମ ଟ୍ରେନରେ ପ୍ରବାସୀଙ୍କ ଯାତାୟାତ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ସଂକ୍ରମଣ ବଢ଼ିବାାର ଆଶଙ୍କା ଥିବାରୁ ଏବେ ସଂକ୍ରମଣ ରାଜ୍ୟମୁହାଁ ହେଉଥିବା ଜିଲ୍ଲାର କର୍ମଜୀବୀ ଯୁବକ, ଯୁବତୀ, ଶ୍ରମିକ ସଂକ୍ରମିତ ହୋଇ ଜିଲ୍ଲାକୁ ଫେରିଆସି ସୁପର ସ୍ପ୍ରେଡର୍ ସାଜି ପାରନ୍ତି। ଯାହା ଆଜିର ସଂକ୍ରମିତଙ୍କ କ୍ଷେତ୍ରରୁ ସ୍ପଷ୍ଟ ହୋଇଛି।

ରାୟଗଡ଼ାଲରେ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧୩ ଜଣ ରାୟଗଡ଼ା ପୌର ପରିଷଦରୁ ରହିଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ କୋଭିଡ଼୍ କେୟାର ସେଣ୍ଟର୍, କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସଂଖ୍ୟକ ବେଡ୍ ଓ ପର୍ୟ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ୍ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି। କରୋନା ପ୍ରଥମ ଲହରୀରେ ରାୟଗଡ଼ା ଜିଲ୍ଲା ଶେଷ ଆକ୍ରାନ୍ତ ଜିଲ୍ଲା ଭାବେ ସାମିଲ୍ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଟପିବା ସହ ପରିସ୍ଥିତି ଅଣାୟତ୍ତ ହୋଇ ପଡିଥିଲା। କରୋନାର ଦ୍ବିତୀୟ ଲହରୀ ପୂର୍ବରୁ ସୀମାନ୍ତରେ ଯାଞ୍ଚ କଡାକଡ଼ି ସହ ରାୟଗଡ଼ା ଷ୍ଟେସନ ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ଉପରେ ପ୍ରଶାସନ ନଜର ରଖିବା ଜରୁରି ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe