ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ସାଂଘାତିକ ସ୍ଥିତିରେ

Advertisment
ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ସାଂଘାତିକ ସ୍ଥିତିରେ

ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି। ଲାଗ୍‌ ଲାଗ୍‌ ଦୁଇ ଦିନ ହେଲା ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଶହ ପାର୍‌ ହେଉଛି। ଗତ ବର୍ଷ ଏହି ସଂଖ୍ୟା କେବେ ବି ୩ ଶହ ଛୁଇଁନଥିଲା। କରୋନା ପ୍ରଥମ ଲହରୀରେ ଜିଲ୍ଲାର ଦିନିକିଆ ସର୍ବାଧିକ ଥିଲା ୨୭୨। ପ୍ରକାଶଯୋଗ୍ୟ, ଦ୍ବିତୀୟ ଲହରୀ ଆରମ୍ଭ ହେବାର ମାତ୍ର କେଇଦିନ ବିତିଛି। ମୋଟାମୋଟିଭାବେ, ଏପ୍ରିଲ ପହିଲାରୁ ହିଁ ଜିଲ୍ଲାରେ କରୋନା ଦ୍ବିତୀୟ ଲହରୀ ଅନୁଭୂତ ହୋଇଛି। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଦୈନିକ ଆକ୍ରାନ୍ତ ସଂଖ୍ୟା ୩୦/୩୫ ଭିତରେ ରହୁଥିଲା। ମାତ୍ର ଏପ୍ରିଲ ପହିଲାରୁ ଉପରମୁହାଁ ହୋଇଥିବା ଏହି ସଂଖ୍ୟା, ଆଶାତୀତଭାବେ ବୃଦ୍ଧି ପାଇଚାଲିଛି। ଗତକାଲି ଜିଲ୍ଲାରେ ପ୍ରଥମଥର ପାଇଁ ୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସଂଖ୍ୟା ଜିଲ୍ଲାବାସୀଙ୍କୁ ଭୟଭୀତ କରିବାରେ ଯଥେଷ୍ଟ ଥିଲା। ଆଜି ପୁନର୍ବାର ଜିଲ୍ଲାରୁ ୩୧୭ ଜଣ ଚିହ୍ନଟ ହୋଇଛନ୍ତି; ଯାହାକି ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି। ସୂଚନାଯୋଗ୍ୟ, ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୭,୭୩୩ରେ ପହଞ୍ଚିଛି। ଏଥିମଧ୍ୟରୁ ୧୬,୦୨୮ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୫୨୭ ଜଣ ଚିକିତ୍ସାଧୀ ଅଛନ୍ତି।

ବେଡ୍‌ ମିଳିଲାନି, ମହିଳାଙ୍କ ମୃତ୍ୟୁ
କୋଭିଡ୍‌ ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ କହୁଛନ୍ତି। ସାମାଜିକ ଗଣମାଧ୍ୟମରେ ସ୍ବତନ୍ତ୍ର ଭିଡିଓ ଜାରି କରି ଅନର୍ଗଳ ପ୍ରଚାର କରୁଛି। ବାସ୍ତବରେ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ବେଡ୍‌ ନ ମିଳିବାରୁ ସହରର ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଯାହାକି ଜିଲ୍ଲା ପ୍ରଶାସନର ଅପରାଗପଣିଆକୁ ପଦାରେ ପକାଇ ଦେବାସହ ଆତ୍ମପ୍ରଚାରରେ ବ୍ୟସ୍ତ ଜିଲ୍ଲା ପ୍ରଶାସନର ଅସଲ ମୁଖା ଖୋଲି ଦେଇଛି। କରୋନାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ(୩୨) ହେଉଛନ୍ତି ସ୍ଥାନୀୟ ପୁରୁଣା ଷ୍ଟେସନ ରୋଡ୍‌ ଅଞ୍ଚଳର। ମହିଳା ଜଣକ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ଘାଟଶୀଳାରେ ବିବାହ କରିଥିଲେ। ଗତ କିଛି ମାସ ହେଲା ସେ ରାଉରକେଲା ସ୍ଥିତ ନିଜ ମା’ ଘରକୁ ଆସିଥିଲେ। ଗତ ୮ ତାରିଖରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ଏଣୁ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଏହାର ଦିନକ ପରେ, ଅର୍ଥାତ୍‌ ୯ ତାରିଖରେ ମହିଳା କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ମହିଳାଙ୍କୁ ସ୍ଥାନାନ୍ତର କରିବାକୁ ଆଇଜିଏଚ୍‌ କର୍ତୃପକ୍ଷ ପରିବାରବର୍ଗଙ୍କୁ ଚାପ ପ୍ରୟୋଗ କରିଥିଲେ। ଆଇଜିଏଚ୍‌ରେ ଥିବା ୩ଟି ଭେଣ୍ଟିଲେଟର୍‌ରୁ ଗୋଟିଏ ବି ଖାଲିନାହିଁ। ଏଣୁ ଭେଣ୍ଟିଲେଟର୍‌ ବ୍ୟବସ୍ଥା ଥିବା ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରିବାକୁ କୁଆଡ଼େ ଆଇଜିଏଚ୍‌ କର୍ତୃପକ୍ଷ ରୋକଠୋକ୍‌ ଶୁଣାଇଦେଇଥିଲେ। ଏହାପରେ ପରିବାରବର୍ଗ ଜୟ ପ୍ରକାଶ ହସପିଟାଲ, ଶାନ୍ତି ହସପିଟାଲକୁ ଯୋଗାଯୋଗ କରିଥିଲେ। ମାତ୍ର ସେଠାରେ ମଧ୍ୟ ଭେଣ୍ଟିଲେଟର୍‌ ନ ଥିବାରୁ ସ୍ଥାନାନ୍ତର ସମ୍ଭବ ହୋଇପାରିନଥିଲା। ପ୍ରାୟ ଦେଢ଼ ଦିନଧରି ପରିବାରବର୍ଗ ଭେଣ୍ଟିଲେଟର୍‌ ପାଇଁ ଧାଁ ଧପଡ଼ ହୋଇଥିଲେ, ମାତ୍ର କିଛି ସୁଫଳ ମିଳିନଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରୟେ ୬ଟାରେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ମୃତ୍ୟୁ ପାଇଁ ଭେଣ୍ଟିଲେଟର୍‌ ଯୋଗାଇବାରେ ଅସମର୍ଥ ଜିଲ୍ଲା ପ୍ରଶାସନକୁ ପରିବାରବର୍ଗ ଦାୟୀ କରିଛନ୍ତି।

ବିନା ଟିକାରେ ‘ଟିକା ଉତ୍ସବ’
ପ୍ରଧାନମନ୍ତ୍ରୀଙ୍କ ଅହ୍ବାନକ୍ରମେ ଆଜିଠାରୁ ଦେଶବ୍ୟାପୀ ଟିକା ଉତ୍ସବ ପାଳନ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଟିକା ଉତ୍ସବ ପାଳିତ ହୋଇଛି। ବିଡ଼ମ୍ବନା ଏହା ଯେ, ଗୋଟିଏପଟେ ଟିକା ଉତ୍ସବ ଚାଲିଥିବାବେଳେ ଅନ୍ୟପଟେ ଟିକାକରଣ ପ୍ରକ୍ରିୟା ଠପ୍‌ ହୋଇଯାଇଛି। ଗତ ଦୁଇ ଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଟିକାକରଣ ବନ୍ଦ ରହିଛି। ଗତ ଗୁରୁବାର ଦିନ ବିଭିନ୍ନ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଥିବାବେଳେ ଶୁକ୍ରବାର ଦିନ ଟିକା ଦିଆଯାଇଥିଲା। ତେବେ ଗତ ଶନିବାର ଓ ରବିବାର ଦିନ ଏହା ବନ୍ଦ ରହିଛି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଟିକାର ଅଭାବ ଯୋଗୁଁ ଏହି ସ୍ଥିତି ଉପୁଜିଛି। ଅବଶ୍ୟ ଆଜି ଜିଲ୍ଲାକୁ ୪୪,୬୦୦ ଟିକା ପହଞ୍ଚିଛି। ଏହି ଟିକାକୁ ଜିଲ୍ଲାର ସମସ୍ତ ୭୨ଟି କେନ୍ଦ୍ରକୁ ପଠାଯାଇଛି। ଆସନ୍ତାକାଲିଠାରୁ ଟିକାକରଣ ସ୍ବାଭାବିକ୍‌ ହେବ। ଏଯାବତ୍‌ ଜିଲ୍ଲାରେ ୧ ଲକ୍ଷ ୬୦ ହଜାର ୩ଶହ ଲୋକଙ୍କୁ ଟିକା ଦିଆଯାଇଛି। ଆଗାମୀ ଦିନରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଦୈନିକ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବବୋଲିବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅବସରପ୍ରାପ୍ତ ଆର୍‌ଏସ୍‌ପି ଡିଜିଏମ୍‌ଙ୍କ ମୃତ୍ୟୁ
କରୋନା ଯୋଗୁଁ ଗତକାଲି ଆର୍‌ଏସ୍‌ପିର ଦୁଇ ଜଣ କର୍ମଚାରୀଙ୍କ ପରଲୋକ ଘଟିଥିବାବେଳେ ଆଜି ପୁଣି ଜଣେ ପୂର୍ବତନ ଆର୍‌ଏସ୍‌ପି ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଆର୍‌ଏସ୍‌ପିର ପୂର୍ବତନ ଉପ ମହାପ୍ରବନ୍ଧକ। ସେ ୨୦୧୮ ମସିହାରେ ଆର୍‌ଏସ୍‌ପିରୁ ଅବସର ନେବାପରେ ସମ୍ବଲପୁରରେ ରହୁଥିଲେ। କିଛି ଦିନ ପୂର୍ବେ ସଂକ୍ରମିତ ହେବାରୁ ତାଙ୍କୁ ଭିସୁଟ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ଏକମାତ୍ର ପୁଅ ସଂପ୍ରତି ୱିପ୍ରୋରେ କାର୍ଯ୍ୟରତ ଥିବାବେଳେ ଝିଅ ହାଇଦ୍ରାବାଦରେ ଏମ୍‌ବିଏ ପଢ଼ୁଛନ୍ତି। ଏନେଇ ଆର୍‌ଏସ୍‌ପି ଅଫିସର ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। କରୋନାକୁ ପ୍ରତିହତ କରିବାକୁ ହେଲେ ଜନସାଧାରଣ ସ୍ବତଃସ୍ପୁର୍ତ୍ତଭାବେ ସଚେତନ ହେବା ସହ ନିୟମର କଡ଼ା ପାଳନ କରିବାକୁ ଅଫିସର ସଂଘ ସଭାପତି ବିମଳ ବିଶି ଆହ୍ବାନ କରିଛନ୍ତି।

ଦିନକୁ ଜରିମାନା ଆଦାୟ ଲକ୍ଷେ ଟପୁଛି

ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ବଜାୟ ରଖିବା ଆଦି କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ହେଉଛି ନା ନାହିଁ ସେନେଇ ରାଉରକେଲା ପ୍ରଶାସନ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବିଭିନ୍ନ ମାର୍କେଟ୍‌ କଂପ୍ଲେକ୍ସ, ଫୁଡ୍‌ କୋର୍ଟ, ପରିବା ହାଟ ଆଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଉଛି। ଅପରପକ୍ଷରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ମଧ୍ୟ କରାଯାଉଛି। ପ୍ରାୟ ପ୍ରତିଦିନ ଦୈନିକ ଜରିମାନା ଆଦାୟ ଅର୍ଥ ୧ ଲକ୍ଷ ଟପୁଛି। ପୁଲିସ ହାତରେ ଗତକାଲି ୧୮୮ ଜଣ ଧରାପଡ଼ିଥିଲେ। ଏମାନଙ୍କଠାରୁ ୧ ଲକ୍ଷ ୬୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ୯ ତାରିଖରେ ମଧ୍ୟ ୧ ଲକ୍ଷ ୩୦ ହଜାର ୨୫୦ ଟଙ୍କା, ୮ ତାରିଖରେ ୩୫,୯୦୦ ଟଙ୍କା, ୭ ତାରିଖରେ ୧ ଲକ୍ଷ ୧୧ ହଜାର ୪ଶହ ଟଙ୍କା ଓ ୬ ୯୦,୬୦୦ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe