କରୋନା ସ୍ବାବ ପରୀକ୍ଷା ପାଇଁ ଟ୍ରାକ୍ଟରରେ ନଦୀ ପାର ହେଲା ପ୍ରଶାସନ

Advertisment
କରୋନା ସ୍ବାବ ପରୀକ୍ଷା ପାଇଁ ଟ୍ରାକ୍ଟରରେ ନଦୀ ପାର ହେଲା ପ୍ରଶାସନ

ରାୟଗଡ଼ା: କରୋନା ସ୍ବାବ ଟେଷ୍ଟିଂ ପାଇଁ ଟ୍ରାକ୍ଟରରେ ନଦୀ ପାର ହେଲେ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଟିମ୍। ନାଗାବଳୀ ନଦୀ ଉପରେ ବ୍ରିଜ୍ ନିର୍ମାଣଧୀନ ଥିବା ବେଳେ ନଦୀରେ ଆଣ୍ଠୁଏ ପାଣି ଥିବାରୁ ଆନ୍ଧ୍ର ସୀମାନ୍ତ ରାୟଗଡ଼ା ବ୍ଲକର ଅନିଜା, ଏମ୍ଫଲୱାଲସା ଗ୍ରାମକୁ ଯିବା ପାଇଁ ପ୍ରଶାସନ ବିକଳ୍ପ ଭାବେ ଏହି ପଦକ୍ଷେପ ନେଇଛି। ଅନିଜାରେ ପହଞ୍ଚି ଦୁଇ ଗ୍ରାମବାସୀଙ୍କ ସ୍ବାବ ଟେଷ୍ଟ ପରେ ୯ ଜଣ ପଜିଟିଭ୍ ବାହାରିଥିବା ସୂଚନା ମିଳିଛି।

ରାୟଗଡ଼ାରେ ସଂକ୍ରମଣ ବଢ଼ିବା ପରେ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜି ବ୍ଲକର ଅନିଜା ଓ ଏମ୍ଫଲୱାଲସା ଗ୍ରାମରେ ରାପିଡ୍ ରେସପନସ୍ ଟିମ୍ ପହଞ୍ଚି ଦୁଇ ଗ୍ରାମବାସୀଙ୍କୁ ଆଶ୍ରମ ସ୍କୁଲରେ ଏକାଠି କରି କରୋନା ସଂପର୍କରେ ସଚେତନ କରିଥିଲା। କୌଣସି ଭୟ ନ କରି ସ୍ବାବ ଟେଷ୍ଟ କରିବା ସହ ପଜିଟିଭ୍ ଚିହ୍ନଟ ହେଲେ ମେଡ଼ିସିନ୍ ଦ୍ବାରା କରୋନାକୁ ହରାଇବା ସମ୍ଭବ ବୋଲି ରାପିଡ୍ ରେସପନସ ଟିମର ଡା. ସୁନୀଲ୍ ପ୍ରସାଦ ମହାପାତ୍ର ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହା ପରେ ଉଭୟ ଗ୍ରାମର ୨୮୩ ଗ୍ରାମବାସୀ ସ୍ବାବ ଟେଷ୍ଟ କରିଥିଲେ।

ସେଥି ମଧ୍ୟରୁ ୯ ଗ୍ରାମବାସୀଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଥିଲା। ଏମ୍ଫଲୱାଲସାରୁ କେହି ପଜିଟିଭ୍ ଚିହ୍ନଟ ହୋଇନଥିବା ବେଳେ ସମସ୍ତ ଆକ୍ରାନ୍ତ ଅନିଜା ଗାଁର। ପଜିଟିଭ୍ ଚିହ୍ନଟ ସମସ୍ତଙ୍କୁ ସପ୍ତାହେ ଲାଗି ମେଡ଼ିସିନ୍ ପ୍ରଦାନ କରାଯାଇ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଛି। ପଜିଟିଭ୍ ଚିହ୍ନଟ ୯ ଜଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି। ପ୍ରଶାସନ ପକ୍ଷରୁ ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ମାଝି, ପିଇଓ ଗୌରାଙ୍ଗ ପାଣିଗ୍ରାହୀ, ଡିଇଓ ଜି. ସୀମାଦ୍ରି, ରାପିଡ୍ ରେସପନସ ଟିମ୍ ଡା. ଶ୍ରୀ ମହାପାତ୍ର, ଫାର୍ମାସିଷ୍ଟ୍ ରେଣୁକା କୁମାରୀ ସାହୁ, ପୁରୁଷ ସ୍ବାସ୍ଥ୍ୟକର୍ମୀ ସାନନ୍ଦ ବାତ୍ରିୟା, ମହିଳା ସ୍ବାସ୍ଥ୍ୟକର୍ମୀ ଜି. କରୁଣା କୁମାରୀ, କୋଭିଡ଼୍ ଏଏନ୍ଏମ୍ ମଞ୍ଜୁଳା ପଣ୍ଡିତ, କେରେଡା ସରପଞ୍ଚ ଗୋବର୍ଦ୍ଧନ କଣ୍ଡାଗିରି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅନିଜା ଗାଁରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସମସ୍ତ ଆକ୍ରାନ୍ତ ଏବେ ତାଡ଼ମା କୋଭିଡ଼୍ କେୟାର ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଗ୍ରାମରେ କରୋନା ବ୍ୟାପିବାର ସମ୍ଭାବନା ଥିବାରୁ ପ୍ରଶାସନ ପଦକ୍ଷେପ ସ୍ବରୂପ ପୂରା ଗାଁରେ କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ତେବେ ନାଗାବଳୀ ନଦୀରେ ପାଣି ଥିବାରୁ ଗାଁକୁ ଯିବା ପାଇଁ ଚିନ୍ତାରେ ପଡ଼ିଥିଲେ ସ୍ବାସ୍ଥ୍ୟ ବିଭାଗ ଟିମ୍। ବିଡ଼ିଓ ଶ୍ରୀ ମାଝି ସରପଞ୍ଚ ଗୋବର୍ଦ୍ଧନ କଣ୍ଡାଗିରିକୁ ଅବଗତ କରିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବା ପୂର୍ବରୁ ସରପଞ୍ଚ ଗାଁରେ ଥିବା ଏକ ଟ୍ରାକ୍ଟରକୁ କେରେଡା ଗାଁ ନିକଟକୁ ଆଣିଥିଲେ। କେରେଡ଼ାରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଓ ପ୍ରଶାସନିକ ଅଧିକାରୀ ଟ୍ରାକ୍ଟରରେ ବସି ଅନିଜା ଗାଁକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe