ଅନ୍ଧାରରେ କୁମ୍ଭକାର ପରିବାର: କରୋନା ପ୍ରଭାବରେ ମାନ୍ଦା ପଡିଛି ଦୀପ ବ୍ୟବସାୟ

Advertisment
ଅନ୍ଧାରରେ କୁମ୍ଭକାର ପରିବାର: କରୋନା ପ୍ରଭାବରେ ମାନ୍ଦା ପଡିଛି ଦୀପ ବ୍ୟବସାୟ

ବାଦାମପାହାଡ/ ପଢିଆ: ଦିନକ ପରେ ଦୀପାବଳି। ଚଳିତବର୍ଷ କରୋନା କଟକଣା ମଧ୍ୟରେ ପାଳନ ହେବାକୁ ଯାଉଛି ଦୀପାବଳି। ଏଥିପାଇଁ କୁମ୍ଭାର  ଚକିରୁ ହଜାର ହଜାର ମାଟି ଦୀପ ପ୍ରସ୍ତୁତ କରିଛନ୍ତି କୁସୁମୀ ବ୍ଲକର କୁମ୍ଭକାରମାନେ। ମୁଣ୍ଡ ଝାଳ ତୁଣ୍ଡରେ  ମାରି ମାଟିରେ ପ୍ରସ୍ତୁତ କରିଛନ୍ତି ଅନେକ ଆକର୍ଷଣୀୟ ଘରକରଣା ସାମଗ୍ରୀ ଓ ପାର୍ବଣ ଜିନିଷ। ହେଲେ ଏଥର କରୋନା କଟକଣା ଯୋଗୁଁ ଆସୁନାହାନ୍ତି ଗ୍ରାହକ କିମ୍ବା ବିକ୍ରି ହେଉନାହିଁ ଜିନିଷ। ଫଳରେ ବିନା ଆୟରେ ମୁଣ୍ଡରେ ହାତ ଦେଇ ବସିଛନ୍ତି କାରିଗର।

ଦୀର୍ଘ ୮ ମାସ ହେବ କରୋନା କଟକଣା ପାଇଁ ହାତବାନ୍ଧି ବସିଥିବା ବେଳେ, ଦିପାବଳୀ ପାଇଁ ଦୀପ ସହ ମାଟି ଜିନିଷ ତିଆରି କରିଛନ୍ତି ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅଞ୍ଚଳର ବାଦାମପାହାଡ,  ହାଟବାଦଡା, ଝିପାବନ୍ଧ, ବାସିଲା ଅଞ୍ଚଳର କୁମ୍ଭକାରମାନେ ।    ହେଲେ ସେସବୁକୁ ବିକ୍ରି କରିବା ନେଇ ଏବେ ଚିନ୍ତାରେ ଅଛନ୍ତି କୁମ୍ଭକାର । କାରଣ କରୋନା ମହାମାରୀ କାରଣରୁ ମାନ୍ଦା ରହିଛି ବ୍ୟବାସାୟ । ପୂର୍ବ ପରି ହାଟ ବଜାର ବସୁ ନଥିବାରୁ ଏସବୁ ସାମଗ୍ରୀ ବିକ୍ରି କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ ।

ପୂର୍ବରୁ ଯେଉଁ ସାମଗ୍ରୀମାନ ପ୍ରସ୍ତୁତ ହେଉଥିଲା ବ୍ୟବସାୟୀମାନେ ସେସବୁକୁ ନେଇଯାଉଥିଲେ, ହେଲେ ବେପାର ମାନ୍ଦା ଥିବାରୁ ଏଥର ଏହି ସବୁ ସାମଗ୍ରୀ ପଡି ରହିଛି । କୁମ୍ଭାରମାନଙ୍କୁ ସେମାନଙ୍କ ଜିନିଷର ଉଚିତ ମୂଲ୍ୟ ମିଳିପାରୁ ନଥିବା ବେଳେ, କଞ୍ଚାମାଲ ଓ ଜାଳେଣିର ସମସ୍ୟା ମଧ୍ୟ ଲାଗିରହିଛି । ଯାହାକୁ ନେଇ ସରକାରୀ ସହାୟତା ଦାବି ହୋଇଛି।

publive-image

ଦିନ ଥିଲା କୁସୁମୀ ବ୍ଲକର ଝିପାବନ୍ଧ ଗାଁର ମାଟି ତିଆରି ସାମଗ୍ରୀର ଚାହିଦା ଖଣ୍ଡମଣ୍ଡଳରେ ବେଶ ପ୍ରସିଦ୍ଧ ଥିଲା । ଗାଁର ୧୦୦ ରୁ ଉର୍ଦ୍ଧ୍ବ ପରିବାର ମାଟିରେ ହାଣ୍ଡି, ମାଠିଆ, ସୁରେଇ, ଫୁଲକୁଣ୍ଡ, ଘଟ, ଘୋଡା, ଦୀପ ଆଦି ବିଭିନ୍ନ ଜିନିଷ ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଅଞ୍ଚଳ ସମେତ ପଡୋଶୀ ରାଜ୍ୟ ଝାଡଖଣ୍ଡ  ଅଞ୍ଚଳରେ ମଧ୍ୟ ଏସବୁ ଜିନିଷ ବିକ୍ରି ହେଉଥିଲା । ହେଲେ ଏବେ ପ୍ଲାଷ୍ଟିକ, ଷ୍ଟିଲ, ଚାଇନା ଆଦି ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଥିବା ବେଳେ, କରୋନା କାରଣରୁ ଦୁଃଖ ଆହୁରି ଦୁଇ ଗୁଣା ହୋଇଛି।

ପ୍ରତିବର୍ଷ କୁମ୍ଭକାରମାନେ ଦୀପାବଳିରେ ମାଟିଦୀପ ବିକ୍ରି କରି ଭଲ ଦି ପଇସା ରୋଜଗାର କରିଥାନ୍ତି। କିନ୍ତୁ ଚଳିତ ବର୍ଷ ବିକ୍ରି ହୋଇ ନପାରି ପଡି ରହିଛି ଦୀପ ଓ ମାଟିର ସାମଗ୍ରୀ। କରୋନା କଟକଣା ନିର୍ଦ୍ଦେଶନା ପରେ ସେମାନଙ୍କ ଜିନିଷ ଆଉ ବିକ୍ରି ହୋଇ ପାରିନାହିଁ। କରୋନା ଆରମ୍ଭରୁ ସବୁ ମନ୍ଦିର ମଣ୍ଡପରେ ଭକ୍ତଙ୍କ ପୂଜା ଅର୍ଚ୍ଚନା ବନ୍ଦ ଥିବାରୁ ଏମାନଙ୍କ ବେପାର ସଂମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଆଶା ଥିଲା ଦୀପାବଳିରେ ଭଲ ବିକ୍ରି ସହିତ ଭଲ ଦି ପଇସା ରୋଜଗାର ହେବ। ହେଲେ ସଂକ୍ରମଣ ଭୟ ଓ ସରକାରଙ୍କ ଗାଇଡଲାଇନ ସବୁ ଆଶା ମଉଳାଇ ଦେଇଛି।

ତେବେ କୋଭିଡ କଟକଣା ପାଇଁ ବାଣ ଫୁଟିବା ଉପରେ ଲାଗୁ ହୋଇଥିବା କଟକଣା ଯୋଗୁଁ ଏବର୍ଷ ବହୁ ମାତ୍ରାରେ ମାଟି ସାମଗ୍ରୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାରର ଆଶା ରଖିଛନ୍ତି କୁମ୍ଭକାରମାନେ। କୁସୁମୀ ବ୍ଲକର କୁମ୍ଭକାରମାନେ ଦୀପାବଳିରେ ମାଟିର ଦୀପ କିଣିବାକୁ ସମସ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe