କଂଟାବାଡ଼ରେ ମନରେଗା କାମରେ ଦୁର୍ନୀତି ଅଭିଯୋଗ

କଂଟାବାଡ଼ରେ ମନରେଗା କାମରେ ଦୁର୍ନୀତି ଅଭିଯୋଗ

ଖୋର୍ଦ୍ଧା: କରୋନା କଟକଣା କୋହଳ ହୋଇ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଯେତିକି ତ୍ୱରାନ୍ୱିତ ହେଉଛି, ବିଭିନ୍ନ ସରକାରୀ କାର୍ଯ୍ୟରେ ସେତିକି ପରିମାଣରେ ଦୁର୍ନୀତି ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି । ବେଗୁନିଆ ବ୍ଲକରେ କଂଟାବାଡ଼ ପଂଚାୟତରେ ମନରେଗା ଯୋଜନାରେ ପ୍ରାୟ ୫୦ଲକ୍ଷ ଟଙ୍କାର ହୋଇଥିବା ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ପଂଚାୟତବାସୀ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଦାବି କରିଛନ୍ତି ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, କରୋନା ମହାମାରୀ ସମୟରେ ଗାଁ ଲୋକଙ୍କ ରୋଜଗାର ହରାଇଥିଲେ । ସେମାନଙ୍କ ରୋଜଗାର ଯେପରି ସୁରକ୍ଷିତ କରାଯିବ ସେନେଇ ମନରେଗା ଯୋଜନାରେ ବିଭିନ୍ନ କାର୍ଯ୍ୟ କରାଯାଇଥିଲା । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୫୦ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଇଛି । ତେବେ ପ୍ରାୟ ସମସ୍ତ ମନରେଗା କାମରେ ପଂଚାୟତର ଜବ କାର୍ଡ ପାଇଥିବା ହିତାଧିକାରୀଙ୍କୁ କାମ ମିଳିନାହିଁ । ଲୋକଙ୍କୁ କାମ ଯୋଗାଇବା ବଦଳରେ ଜେସିବି ଦ୍ୱାରା ମାଟି ଖୋଳାଯାଉଛି । କେବଳ ଏହାନୁହେଁ, ଏନେଇ ଅଭିଯୋଗ କରିବା ପରେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଉକ୍ତ କାର୍ଯ୍ୟଗୁଡ଼ିକର ବିଲ୍ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ମନରେଗା ଯେଜନାରେ ପୋଖରୀ ଖୋଳାଇବାକୁ ତିନିଟି ଭିନ୍ନ ଯୋଜନାରେ ଅନୁଦାନ ଆସିଥିଲା । କିନ୍ତୁ ଠିକାଦାର ଗଙ୍ଗାଧର ସାହୁ, ଲକ୍ଷ୍ମୀଧର ସାହୁ ଓ ପ୍ରଭାତ କୁମାର ସାହୁ ଗୋଟିଏ ପୋଖରୀକୁ ଜେସିବିରେ ଖୋଳି ଏହାର ତିନିଟି ଭିନ୍ନ ବିଲରେ ଅର୍ଥ ପାଇଛନ୍ତି ବୋଲି ବେଗୁନିଆ ବ୍ଲକର ସାଂସଦଙ୍କ ପ୍ରତିନିଧି ଶିଶିର କୁମାର ଆଚାର୍ଯ୍ୟ, କଂଟାବାଡ଼ ନାଏବ ସରପଂଚ ବାସନ୍ତୀ ସାମନ୍ତରାୟ, ଗ୍ରାମବାସୀ ତଥା ଜବ କାର୍ଡଧାରୀ ଭରତ ବାରିକ, ବିମ୍ବାଧର ସେଠୀ, ରବି ବେହେରା, ଗଙ୍ଗାଧର ସେଠୀ, ମୀନତି ସାହୁଙ୍କ ସହ ୪୦ରୁ ଉର୍ଧ୍ଵ ବ୍ୟକ୍ତି ସ୍ୱାକ୍ଷର କରି ସମସ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe