ଭାବି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଭାବି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

Representational image

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବାଗଲୋର ଗ୍ରାମରେ ଭାବି ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ମାମଲାର ବିଚାର କରି ସୋମବାର ନୂଆପଡ଼ା ଅତିରିକ୍ତ ଦୌରାଜଜ୍‌ ମିନାକ୍ଷୀ ଦାସ ଅଭିଯୁକ୍ତ ବାଗଲୋର ଗ୍ରାମର ଦ୍ରୋଣ ପହରିଆ (୩୪)କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ, ବୋଡ଼େନ ଥାନା ବାଗଲୋର ଗ୍ରାମର ଦ୍ରୋଣ ଓ କାଠଫାର ଗ୍ରାମର ଭୋଲାମଣି ପହରିଆ (୨୪)ଙ୍କ ମଧ୍ୟରେ ବିବାହ ପାଇଁ ଉଭୟ ପରିବାର ସମ୍ମତିରେ ପ୍ରସ୍ତାବ ହୋଇଥିଲା। ପହରିଆ ସଂପ୍ରଦାୟ ନିୟମ ଅନୁସାରେ ବିବାହ ପୂର୍ବରୁ ଝିଅ ପୁଅ ଘରକୁ ଆସି ଏକ ମାସ  ରହିଥାନ୍ତି। ତେଣୁ ଭୋଲାମଣି ଦ୍ରୋଣଙ୍କ ଘରକୁ ଆସି କିଛି ଦିନ ରହିବା ପରେ ୨୦୧୭ ଅଗଷ୍ଟ ୨୯ ତାରିଖ ଅପରାହ୍‌ଣ ୩ଟାରେ ଖାଇବାକୁ ନେଇ ଉଭୟ ମଧ୍ୟରେ ଝଗଡ଼ା ହୋଇଥିଲା।

ଏଥିରେ ଦ୍ରୋଣ ରାଗି ଯାଇ ଭୋଲାମଣିଙ୍କ ତଣ୍ଟିକୁ ଚିପି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ଭୋଲାମଣିଙ୍କ ବାପା ଜାନାଲାଲ ପହରିଆ ବୋଡ଼େନ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ଦ୍ରୋଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଅତିରିକ୍ତ ଦୌରାଜଜ୍‌ ମିନାକ୍ଷୀ ଦାସ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଦ୍ରୋଣକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆହୁରି ୬ ମାସ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ କାର୍ତ୍ତିକେଶ୍ବର ମହାରଣା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe