ଭୁବନେଶ୍ୱର: ଓଡ଼ିଶାରେ କୋଭିଡ-୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲା ମହାମାରୀ କରୋନା ସଂକ୍ରମଣ ତାଲିକାରେ ଶୀର୍ଷରେ ପହଞ୍ଚି ଯାଇଛି ବୋଲି ଆଇସିଏମଆର-ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଭୁବନେଶ୍ୱରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଆଜି ସୂଚନା ଦେଇଛନ୍ତି।
ରାଜ୍ୟରେ କୋଭିଡ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଥିବାରୁ ପଜିଟିଭିଟି ହାର ହ୍ରାସ ପାଇଛି, ଯାହା ଓଡ଼ିଶା ପାଇଁ ଏକ ଭଲ ସଙ୍କେତ ବୋଲି ସେ କହିଛନ୍ତି । କୋଭିଡ ପରୀକ୍ଷା ଫଳାଫଳ ଅନୁଯାୟୀ ଏବେ ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣରେ ଶୀର୍ଷ ସ୍ଥାନରେ ପହଞ୍ଚିଛି। ସେହିପରି ଆଗାମୀ ଦିନମାନଙ୍କରେ କରୋନାଭାଇରସ୍ ସଂକ୍ରମଣ ଅନ୍ୟ ଜିଲ୍ଲାମାନଙ୍କରେ ବି ବୃଦ୍ଧି ପାଇପାରେ ଡାକ୍ତର ପତି ଆଜି ଗଣମାଧ୍ୟମଙ୍କୁ କହିଛନ୍ତି। ଅନ୍ୟପଟେ ଦେଖିବାକୁ ଗଲେ କୋଭିଡ ହଟସ୍ପଟ୍ ଥିବା ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଛି।
ଗଞ୍ଜାମ ଜିଲ୍ଲାରେ କରାଯାଇଥିବା ସିରୋଲୋଜିକାଲ୍ ସରଭିଲାନ୍ସ ଉପରେ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ଜିଲ୍ଲାରେ ଏହି ସଂକ୍ରମଣ ନିୟନ୍ତ୍ରଣରେ ଥିବା ରିପୋର୍ଟରେ ଦର୍ଶାଯାଇଛି।
ଗଞ୍ଜାମ ଜିଲ୍ଲାରେ ଏଯାବତ ସର୍ବାଧିକ ୧୩,୫୭୫କୋଭିଡ-୧୯ ମାମଲା ପଞ୍ଜିକୃତ କରାଯାଇଥିବା ବେଳେ କୌଣସି ନୂଆ ମାମଲା ରିପୋର୍ଟ କରାଯାଇ ନାହିଁ । ସାମ୍ନାକୁ ଆସୁଥିବା କୋଭିଡ ପଜିଟିଭ ମାମଲା କେବଳ କଣ୍ଟାକ୍ଟ ଟ୍ରେସିଂରୁ ହେଉଛି ବୋଲି ଡାକ୍ତର ପତି କହିଛନ୍ତି।
Follow Us