କରୋନା କାହାଣୀ; ବଦଳାଇ ଦେଲା ବୃତ୍ତି

Advertisment
କରୋନା କାହାଣୀ; ବଦଳାଇ ଦେଲା ବୃତ୍ତି

ଗରଦପୁର: ମହାମାରୀ କରୋନା ଅନେକ ଲୋକଙ୍କୁ ବେସାହାରା କରିଛି। ଅନେକ ଘର ସଂସାର ଉଜୁଡ଼ି ଯାଇଥିବାବେଳେ ହଜାର ହଜାର ଲୋକ ନିଜ କର୍ମ ସଂସ୍ଥାନ ଛାଡ଼ି ଦୟନୀୟ ଜୀବନ ଜିଉଁଛନ୍ତି। ଗରଦପୁର ବ୍ଲକ୍ ମଦନା ଗ୍ରାମର ରଂଜନ ସ୍ବାଇଁ କରୋନା କଷଣରେ ପେସି ହୋଇ ଯାଇଛନ୍ତି। କରୋନା ତାଙ୍କ ଜୀବିକା ବଦଳାଇ ଦେଇଛି। ରଂଜନ ଦେଢ ବର୍ଷ ଧରି ଜୀବିକା ହରାଇବା ପରେ ବୃତ୍ତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଏବେ କୃତ୍ରିମ ମାଛ ଚାଷ କରୁଛନ୍ତି। ଦୀର୍ଘ ୧୫ ବର୍ଷ ଧରି ରଂଜନ ଏଲ୍‌ଇଡି ଲାଇଟ୍‌ରେ ଡେକୋରେସନ୍ ସଂସ୍ଥା ପାଇଁ ସାଇନବୋର୍ଡ଼ ପ୍ରସ୍ତୁତ କରୁଥିଲେ। ପାଟକୁରା, ଗରଦପୁର, କୁଜଙ୍ଗ, ତିର୍ତ୍ତୋଲ, ମହାକାଳପଡ଼ା ଅଂଚଳର ୯୮ଟି ଡେକୋରେସନ୍ ସଂସ୍ଥା ସେମାନଙ୍କର ଏଲଇଡି କାର୍ଯ୍ୟ ପାଇଁ ରଂଜନଙ୍କ ଉପରେ ନିର୍ଭର କରୁଥିଲେ। ରଂଜନ ସେମାନଙ୍କୁ ବିଭିନ୍ନ ଡିଜାଇନ୍‌ର ଏଲଇଡି ସାଇନବୋର୍ଡ଼ ଯୋଗାଇ ଦେଉଥିଲେ। ସେଥିରୁ ରଂଜନ ବେଶ୍ ଦୁଇପଇସା ରୋଜଗାର କରୁଥିଲେ। ସେଥିରେ ରଂଜନଙ୍କ ପରିବାର ଭଲରେ ଚଳି ଆସୁଥିଲେ। ପରିବାର କହିଲେ, ପତ୍ନୀ ଓ ୨ ପୁଅ। ବଡ଼ ପୁଅକୁ ଆର୍ଟ ଓ କ୍ରାଫ୍ଟରେ ବିଏ ପାସ କରାଇଛନ୍ତି। ସାନ ପୁଅ ମଧ୍ୟ ବିଏ ପଢିବା ସହିତ କଷ୍ଟିଙ୍ଗ କରୁଛନ୍ତି। ଦୁଇ ବର୍ଷ ହେଲା କରୋନା ପାଇଁ ସରକାର ଲକଡ଼ାଉନ୍, ସଟଡ଼ାଉନ୍ ଜାରି କରିଛନ୍ତି। ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଉତ୍ସବ ବନ୍ଦ ରହିଛି। ଏଥିପାଇଁ ଡେକୋରେସନ୍ କାର୍ଯ୍ୟ ପ୍ରାୟତଃ ବନ୍ଦ ରହିଛି। ଏଥିରେ ସବାର୍ଧିକ କ୍ଷତିଗ୍ରସ୍ତ ସହିଛନ୍ତି ରଂଜନ। ପ୍ରାୟ ୨ ବର୍ଷ ହେଲା କୌଣସି ରୋଜଗାର କରିପାରିନାହାନ୍ତି।

ପରିବାର ଚଳାଇବା କାଠିକର ପାଠ ହୋଇପଡ଼ିଛି। ସେଥିରୁ ମୁକୁଳିବା ପାଇଁ ରଂଜନ ଏବେ ନିଜର ପେଶା ବଦଳାଇଦେବାକୁ ବାଧ୍ୟ ହୋଇଛନ୍ତି। ଗତ ୮ ମାସ ହେଲା ସେ କୃତ୍ରିମ ମାଛ ଚାଷ (ବାୟୋଫକ୍)ମାଛ ଚାଷ କରିବା ଆରମ୍ଭ କରିଛନ୍ତି। ନିଜ ବାଡ଼ିରେ ୧୫ ଫୁଟରେ ୧୦ ଫୁଟ କରି ଦୁଇଟି ମାଛ କୁଣ୍ତ ନିର୍ମାଣ କରିଛନ୍ତି। ସେଥିରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ମାଗୁର ମାଛ ଚାଷ କରିଛନ୍ତି। ଏହି ଚାଷ କରିବା ପାଇଁ ସେ ନିଜ ଉଦ୍ୟମରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ଏବେ ରଂଜନ ଜଣେ ସଫଳ ମାଛ ଚାଷୀ ବନିଛନ୍ତି। ଏବେସୁଦ୍ଧା ସେ ଅଢେ଼ଇ କୁଇଂଟାଲ ମାଛ ବିକି ସାରିଲେଣି। କେଜି ପ୍ରତି ୧୫୦ ଟଙ୍କା ଦରରେ ସ୍ଥାନୀୟ ଲୋକମାନେ ମାଛ କ୍ରୟ କରୁଥିବା ସେ କହିଛନ୍ତି। ଏଥିପାଇଁ କୌଣସି ସରକାରୀ ଅନୁଦାନ କିମ୍ବା ସରକାରୀ ପ୍ରୋତ୍ସାହନ ତାଙ୍କୁ ମିଳି ନ ଥିବା ରଂଜନ କ୍ଷୋଭର ସହ କହିଛନ୍ତି।

ପ୍ରଥମ ଲହର ଥମି ଆସୁଥିଲା। ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ମହାମାରୀର ଦ୍ବିତୀୟ ଲହର ମାଡ଼ି ଆସିଲା ବିଭିଷୀକା ସାଜି। ପୁଣି ତଳିତଳାନ୍ତ କରିଦେଲା ଗରିବ, ମଧ୍ୟବିତ୍ତଙ୍କୁ। ଭାତହାଣ୍ଡି ଉଜାଡ଼ିଦେଲା। ଛଡ଼ାଇ ନେଲା ଜୀବନ, ଜୀବିକା ବି। ସବୁଠି ପୀଡ଼ା, ବେଦନା, କଷଣ ଆଉ ଯନ୍ତ୍ରଣାର ଛାପ। ଆପଣାର ମଣିଷକୁ ହରାଇ କାହା ଛାତିରେ କୋହ ତ ଦାନା ଗଣ୍ଡେ ପାଇଁ ଆଉ କୋଉଠି ଅହରହ ସଂଘର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe