ଯାଜପୁରରେ ଆସନ୍ତାକାଲି ଉଦଘାଟିତ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ଯାଜପୁରରେ ଆସନ୍ତାକାଲି ଉଦଘାଟିତ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ଯାଜପୁର : ଆସନ୍ତାକାଲି ଉଦଘାଟିତ ହେବ ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗରରେ ରହିଥିବା ଏହି ଟାଟା ମେଡିକା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଉଦଘାଟନ କରାଯିବ ବୋଲି ଜଣାଯାଇଛି। ଆଜି ଏହି ଟାଟା ମେଡିକା ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବାକୁ ସରକାରୀ ସ୍ଵୀକୃତି ମିଳିଛି। ଏହି କୋଭିଡ ହସ୍ପିଟାଲ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ମେଡିକା ହସ୍ପିଟାଲ ପରିସରରେ ଲୋକାର୍ପିତ ହେବ ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି।

ବର୍ତମାନ ଏହାକୁ ସଂପୂର୍ଣ ସଂକ୍ରମଣ ମୁକ୍ତ ଭାବେ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ହସପିଟାଲରେ କୋଭିଡ୍-୧୯ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ ୩୦ ଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୦ରୁ ୧୫ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକାନ୍ତ ମାନଙ୍କ ଚିକିତ୍ସା କରାଯିବ ବୋଲି କୁହାଯାଇଛି । ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଆସି ଟାଟା ମେଡିକା ହସ୍ପିଟାଲକୁ ଅନୁଧ୍ୟାନ କରିଥିଲେ।

ସହରବାସୀଙ୍କୁ ହୋମ ଡେଲିଭରି ହେବ ଔଷଧ

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଠାରୁ ଗୋଟିଏ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ପ୍ରଶାସନ ଟେଲି ମେଡିସିନ୍ ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ଠାରୁ ମେଡିସନକୁ ହୋମଡେଲିଭରି କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଆଜି ଏନେଇ ଯାଜପୁର ସହରର ଔଷଧ ଦୋକାନୀମାନଙ୍କୁ ଡାକି ଆଲୋଚନା କରାଯାଇଥିଲା। ସେଥିରେ ଯାଜପୁର ସହରର ୭ଟି ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି। ଯାହାକି କୌଣସି ଔଷଧ ଆବଶ୍ୟକ ଥିଲେ ଘରୁ ନ ଆସି ଫୋନ୍ରେ କହିଲେ ଦୋକାନର ସେଲସ ବଏ ଘରେ ଔଷଧ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଏହାକୁ ଯାଜପୁର ଓ ବ୍ୟାସନଗର ପୌରପାଳିକାରେ କରାଯିବାକୁ ଚିନ୍ତା କରାଯାଇଛି। ଯାହାକି ପ୍ରାଥମିକ ଭାବେ ଯାଜପୁର ସହରରେ କାର୍ଯ୍ୟକାରୀ କରାଯିବ।

ତେବେ ସେଥିପାଇଁ କବରଖାନା ଛକର ଗାୟତ୍ରୀ ମେଡିସିନ୍ ଷ୍ଟୋର, ମେଡିକାଲ ନିକଟ ଶ୍ରୀଜୀଉ ମେଡିକାଲ ଷ୍ଟୋର, ମେଡିକାଲ ଛକର ଫ୍ରେଣ୍ଡସ ମେଡିସନ ଷ୍ଟୋର, ଲଳିତେଶ୍ବର ମେଡିକାଲ ଷ୍ଟୋର, ଗରିଆପୁରର ଶ୍ରୀମା ମେଡିକାଲ, ମା ବିରଜା ମେଡିକାଲ ଷ୍ଟୋର ଓ ମା ସନ୍ତୋଷୀ ମେଡିକାଲ ଷ୍ଟୋରକୁ ଏହି ତାଲିକାରେ ସାମିଲ କରାଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe