Image Courtesy of The Times of India
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପୁଣି ମାତିଲେଣି ଗାଈ ଚୋର। ଦୁଇମାସ ତଳେ ଘଟଗାଁ ଗ୍ରାମର ବାସିନ୍ଦା ତଥା ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନାଙ୍କ ଏକ ଗାଈକୁ ଦୁର୍ବୃତ୍ତମାନେ ଚୋରି କରିଥିଲେ। ଗତ ୮ ତାରିଖ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ବୀଣାଝରି ଗ୍ରାମର ନିମାଇ ଚରଣ ସାହୁ ଓ ରଂଜିତ କୁମାର ସାହୁଙ୍କ ଗୁହାଳରୁ ଦୁର୍ବୃତ୍ତମାନେ ଦୁଇଟି ଗାଈ ଚୋରି କରିଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଧଳା ରଙ୍ଗର ବୋଲେର ନେଇ ଆସିଥିଲେ। ଗାଡ଼ିଟିକୁ ରାସ୍ତା ଉପରେ ରଖି ୨/୩ ଜଣ ଦୃର୍ବୃତ୍ତ ଗୁହାଳରେ ପଶି ପଘା ଫିଟାଇ ଦୁଇ ଗାଈକୁ ବାହାରକୁ ଆଣିଥିଲେ। ଗାଈ ଦୁଇଟିକୁ ବୋଲେରୋରେ ପୂରାଇବା ସମୟରେ ବାଛୁରି ରଡ଼ି କରିବା ସହ ପାଖରେ ଥିବା କୁକୁର ଭୁକିବାରୁ ପରିବାର ଲୋକେ ଉଠି ପଡ଼ିଥିଲେ। ସେତେବେଳକୁ ଦୁର୍ବୃତ୍ତମାନେ ବୋଲେରୋରେ ଗାଈ ନେଇ ଘଟଗାଁ ଆଡ଼କୁ ପଳାଇଥିଲେ। ଏନେଇ ସଂପୃକ୍ତ ପରିବାର ପକ୍ଷରୁ ଘଟଗାଁ ଥାନାରେ ଅଭିଯୋଗ କରାଯାଇଛି।
Follow Us