ଆସିକା ଥାନାରେ ଅକ୍ଟୋବର ସୁଦ୍ଧା ୭୦୭ ଅପରାଧିକ ମାମଲା

କମିଛି ହାଇପ୍ରୋଫାଇଲ୍ ଅପରାଧ-ଲୁଟ୍-ଡକାୟତି, ବଢ଼ିଛି ବେଆଇନ ମଦ କାରବାର ମାମଲା

ଆସିକା ଥାନାରେ ଅକ୍ଟୋବର ସୁଦ୍ଧା ୭୦୭ ଅପରାଧିକ ମାମଲା

https://in.worldorgs.com

ଆସିକା: ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଆସିକା ଥାନାରେ ରୁଜୁ ମାମଲା ସଂଖ୍ୟା ୭୦୭ରେ ପହଞ୍ଚିଛି। ଯାହାକି ଗତବର୍ଷର ମୋଟ ମାମଲା ସଂଖ୍ୟା। ହେଲେ ସବୁଠୁ ଆଶ୍ବସ୍ତିକର କଥା ହେଉଛି, ଚର୍ଚ୍ଚାର ଘେରରେ ରହୁଥିବା ଆସିକା ଥାନା ଇଲାକାରେ ଚଳିତବର୍ଷ ହାଇପ୍ରୋଫାଇଲ୍ ଅପରାଧ, ଲୁଟ୍ ଓ ଡକାୟତି ମାମଲା ସଂଖ୍ୟା କମିଛି। ବେଆ‌ଇନ୍ ମଦ କାରବାର ଉପରେ ଅଙ୍କୁଶ ଲାଗିଥିବାରୁ ହିଁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ରୁଜୁ ହୋଇଥିବା ସମୁଦାୟ ମାମଲା ମଧ୍ୟରୁ ୨୫୨ଟି କେବଳ ବେଆଇନ୍ ମଦ ପ୍ରସ୍ତୁତି ଓ ଗଞ୍ଜେଇ ଚାଲାଣ ସହ ସଂପୃକ୍ତ। ଫଳରେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅପରାଧ ନିୟନ୍ତ୍ରଣ ନିଶ୍ଚିତ ଭାବେ ପୁଲିସ ପାଇଁ ଆଶ୍ବସ୍ତିକର ବିଷୟ ପାଲଟିଛି।
ଆସିକା ଥାନା ଇଲାକାରେ ଅପରାଧର ମୁଖ୍ୟ କାରଣ ହେଉଛି ବେଆଇନ ମଦ କାରବାର ଓ ପ୍ରସ୍ତୁତି। ଫଳରେ ଏହାକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ଆଣିବାକୁ ଥାନା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ବିଭିନ୍ନ ସ୍ଥାନରେ ନିୟମିତ ଚଢ଼ଉ କରାଯାଉଥିବା ବେଳ‌େ ମଦ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଥିବା ଏରୋଗୋଲା ବସ୍ତି ଉପରେ ସ୍ବତନ୍ତ୍ର ଧରପଗଡ଼ ଜାରି ରହିଛି। ଏହାସହ ବେଆଇନ ଖଣିଜଦ୍ରବ୍ୟ ଚାଲାଣ ଓ ଚୋରି ଉପରେ ନଜର ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା ଥାନାରେ ରୁଜୁ ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହେଲେ ଡକାୟତି ଓ ଲୁଟ୍ ମାମଲା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଏହାସହ ୱାରେଣ୍ଟି ଧରପଗଡ଼ ସହ ମାରଣାସ୍ତ୍ର ଓ ଗୁଟଖା କାରବାର ସଂକ୍ରାନ୍ତରେ ମାମାଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାର୍ବଣ ଋତୁରେ ଜୁଆ ଆଡ଼ା ଧରପଗଡ଼ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଯାନବାହନ ଯାଞ୍ଚକୁ ଜୋରଦାର ସହ ହାର୍ଡ଼କୋର୍ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ଥାନାଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ନାରୀ ନିର୍ଯାତନା ଓ ଘରୋଇ ହିଂସା ମାମଲାର ତଦନ୍ତକୁ ତ୍ବରାନ୍ବିତ କରାଯାଉଛି। ଆସିକା ଥାନା ଓ ଏହା ଅନ୍ତର୍ଗତ କୋଟିନଡ଼ା ଫାଣ୍ଡିରେ ଥାନାଧିକାରୀଙ୍କ ସମେତ ୫ ଜଣ ଏସଆଇ, ୬ ଜଣ ଏଏସଆଇ ଓ ୩୦ ଜଣ ହାବିଲଦାର ଓ କନଷ୍ଟେବଳ କାର୍ଯ୍ୟ କରୁଛନ୍ତି।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ବର୍ତ୍ତମାନ ଆଇନଶୃଙ୍ଖଳା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। କୌଣସି ଅପରାଧୀ ଗୋଷ୍ଠୀ ରାଜନୈତିକ ନେତୃବୃନ୍ଦଙ୍କ ଦ୍ୱାରା ପରିଚାଳିତ ହୋଇପାରେ। ଏଥିପାଇଁ ନିର୍ବାଚନ ଆଗରୁ ପ୍ରତି ଗାଁରେ ବୈଠକ ଆୟୋଜନ ସହ ନିୟମିତ ପାଟ୍ରୋଲିଂ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ପୁଲିସ ଗୁଇନ୍ଦାକୁ ଅଧିକ ସଂଗ୍ରହ କରି ପ୍ରତି ଗ୍ରାମରୁ ତଥ୍ୟ ସଂଗ୍ରହ ସହ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନସୁଦ୍ଧା ୨୫ ଜଣ ବିଶୃଙ୍ଖଳାକାରୀଙ୍କ ନାମରେ ୧୧୦ ସିଆରପିସିରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ଅନ୍ୟପକ୍ଷରେ ବେଆଇନ୍ ବାଣ ପ୍ରସ୍ତୁତି ଓ କାରବାରର କେନ୍ଦ୍ରସ୍ଥଳୀ ନଳବଣ୍ଟା ଗ୍ରାମରେ ୨ ବର୍ଷ ହେଲା ନିୟମିତ ଧରପଗଡ଼ ସହ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ମୋ’ସରକାର‌ରେ ଥାନା ସାମିଲ ହେବା ପରେ ପୁଲିସର କାର୍ଯ୍ୟଦକ୍ଷତା ଓ କାର୍ଯ୍ୟଶୈଳୀ ୯୫ ପ୍ରତିଶତ ଲୋକଙ୍କ ଦ୍ବାରା ପ୍ରଶଂସିତ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe