ବର୍ଷାରେ ମୁଗଫସଲ ନଷ୍ଟ

ବର୍ଷାରେ ମୁଗଫସଲ ନଷ୍ଟ

ବିଂଝାରପୁର: ଦୁଇଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଶହଶହ ହେକ୍ଟର ଜମିର ମୁଗ ଫସଲ ସହ ତରଭୁଜ, ପନିପରିବା ଓ ବାଦାମ ଫସଲ ନଷ୍ଟ ହୋଇଯାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ ବ୍ଲକର ବିଭନ୍ନ ପଞ୍ଚାୟତରେ ୮ ହଜାର ୨ ଶହ ହେକ୍ଟର ଜମିରେ ମୁଗ ଫସଲ, ୪ ଶହ ହେକ୍ଟର ଜମିରେ ବାଦାମ ଚାଷ ଓ ୧୫ ଶହ ହେକ୍ଟର ଜମିରେ ତରଭୁଜ, ପରିବା ଚାଷ ହୋଇଥିଲା। ଖେତରେ ଆଣ୍ଠୁଏଲେଖାଏଁ ପାଣି ଜମିଥିବାରୁ ମୁଗ ଗଛଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ମୁଗର ପ୍ରଥମ ଛେକ ଫୁଲ ସବୁ ଝଡ଼ିଯାଇଛି। ମୁଗ ଛୁଇଁ ମଧ୍ୟ ଆଶାନୁରୂପ ହେବନାହିଁ। ସେହିପରି ଖେତରେ ତରଭୁଜ ସବୁ ପଚି ନଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ସେହିପରି ଚିନାବାଦାମ ଫସଲର ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଚିନାବାଦାମରେ ପୋକ ଲାଗିଯିବା ସହିତ ଗଜା ହେବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି ବୋଲି ଚାଷୀ କହିଛନ୍ତି।

କଲ୍ୟାଣପୁର ଗ୍ରାମର ଚାଷୀ ନନ୍ଦ କିଶୋର ସାମଲ, କୃଷ୍ଣଚନ୍ଦ୍ର ଯେନା, ମିନା ଯେନା, ଶତ୍ରୁଘ୍ନ ଯେନା, ଜଗବନ୍ଧୁ ଯେନା ଲକ୍ଷାଧିକ ଟଙ୍କା ଧାରକରଜ କରି ପ୍ରାୟ ୫୦ ଏକର ଜମିରେ ଚାଷ କରିଥିଲେ। ବଡ଼କଥା ହେଉଛି ଏହି ଚାଷୀମାନେ ସରକାରଙ୍କଠାରୁ ମାଗଣା ମୁଗବିହନ ପାଇନାହାନ୍ତି। ପ୍ରାୟ ମାଗଣା ମୁଗ ବିହନ ଡାଲିକରି ଅନେକ ଖାଇଛନ୍ତି। ଏଭଳି ସ୍ଥିତିରେ ଯଦି ସରକାର କ୍ଷତିପୂରଣ ରାଶି ପ୍ରଦାନ କରନ୍ତି ତେବେ ତାକୁ ଅଣଚାଷୀ ହାତେଇବା ପାଇଁ ଉଦ୍ୟମ କରିବେ ବୋଲି ଅଭିଯୋଗ ହୋଇଛି। କୃଷି ବିଭାଗର ଅଧିକାରୀ ତୁରନ୍ତ ପ୍ରଭାବିତ ଚାଷଜମିକୁ ଯାଇ ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ମୁଗ ଚାଷୀ, ପରିବା ଚାଷୀ ଓ ବାଦାମ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚାଷୀନେତା ଭୁବନାନନ୍ଦ ସାମଲ, ସନାତନ ସାହୁ, ରବୀନ୍ଦ୍ର ଯେନା, ଶ୍ରୀକାନ୍ତ ପ୍ରଧାନ, ଧନେଶ୍ୱର ସାମଲ, ସୂର୍ଯ୍ୟମଣି ଦାଶ, ସୁଧୀର ଭୂୟାଁ ଓ ସୀମାନ୍ତ ପାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe