ଖୋର୍ଦ୍ଧା ଉପକଣ୍ଠରେ କାଉ ମଡ଼କ, ନମୁନା ସଂଗ୍ରହ ପାଇଁ ଆଜି ଆସିବେ ସ୍ବତନ୍ତ୍ର ଟିମ୍

ଖୋର୍ଦ୍ଧା ଉପକଣ୍ଠରେ କାଉ ମଡ଼କ, ନମୁନା ସଂଗ୍ରହ ପାଇଁ ଆଜି ଆସିବେ ସ୍ବତନ୍ତ୍ର ଟିମ୍

ଖୋର୍ଦ୍ଧା: ବାତ୍ୟା ପରବର୍ତୀ ବର୍ଷା ପରେ ଦୁଇ-ତିନି ଦିନ ହେଲା ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ଥଣ୍ଡା ଆପାତତଃ ଅଧିକ ଅନୁଭୂତ ହେଉଛି। ଥଣ୍ଡାର ପ୍ରକୋପ ସହ ଲୋକଙ୍କ ମଧ୍ୟରେ ଥଣ୍ଡାକାଶ ସଂକ୍ରମଣ ମଧ୍ୟ ବଢ଼ିଛି। ଏହି ସମୟରେ ଆଜି ଖୋର୍ଦ୍ଧା ଉପକଣ୍ଠ ପୁବୁସାହିରେ ବିଭିନ୍ନ ସ୍ଥାନରେ ସଂଖ୍ୟାଧିକ କାଉଙ୍କ ମୃତ ଦେହ ପଡ଼ିଥିବା ଦେଖି ସଧାରଣରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି।

ଗତ ଦୁଇ ଦିନ ଧରି ପୁବୁସାହିର ବିଭିନ୍ନ ଅଳିଆଗଦା, ରାସ୍ତା କଡ଼ରେ କାଉ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଗତକାଲି ମୃତ କାଉଙ୍କ ସଂଖ୍ୟା କମ୍ ରହିଥିଲା, ଗାଁ ଲୋକ ଏହାକୁ ସେତେ ଗୁରୁତ୍ବ ଦେଇନଥିଲେ। ଆଜି କିନ୍ତୁ ୨୦ରୁ ୨୫ କାଉଙ୍କ ମୃତ ଦେହ ପଡ଼ିଥିବା ଦେଖି ଗାଁ ଲୋକ ଅଞ୍ଚଳର ଦାୟିତ୍ବରେ ଥିବା ଏଲ୍ଆଇଙ୍କୁ ସୂଚିତ କରିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟପ୍ରାଣୀଧନ ଅଧିକାରୀ ଡା ଦେବିଦତ୍ତ ମାଝି କହିଛନ୍ତି କାଉ ମରିଥିବା ଖବର ସନ୍ଧ୍ୟା ୫ଟା ବେଳେ ମିଳିଥିଲା। ଏହା ପରେ ସେ ଡେପୁଟି ନିର୍ଦ୍ଦେଶକ ମାନସ ଚାନ୍ଦଙ୍କୁ ଘଟଣାସ୍ଥଳର ତୁରନ୍ତ ପରିଦର୍ଶନ କରିବାକୁ କହିଥିଲେ।

ଶ୍ରୀ ଚାନ୍ଦ ଏନେଇ ଏଲ୍ଆଇ ବିଜୟ କୁମାର ସାହୁଙ୍କ ଠାରୁ ସତ୍ୟାସତ୍ୟ ଜାଣିବା ପରେ ଗାଁରେ ପହଞ୍ଚିଥିଲେ। ୪ଟି କାଉଙ୍କ ମୃତ ଦେହ ମଧ୍ୟରୁ ଗୋଟିଏ ବରଫ ବକ୍ସରେ ସଂଗ୍ରହ କରି ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଅଣାଯାଇଛି। ବଳକା ତିନିଟି କାଉକୁ ବ୍ଲିଚିଂ, ଚୂନ ଆଦି ଦେଇ ପୋତି ଦିଆଯାଇଛି। ଆସନ୍ତାକାଲି ପୁଣିଥରେ ଡେପୁଟି ନିର୍ଦ୍ଦେଶକ, ଏଡିଭିଓ ଓଅନ୍ୟ ଡାକ୍ତରଙ୍କ ଏକ ଟିମ୍ ଗାଁରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିବ। ତେବେ ପ୍ରାଥମିକ ଯାଞ୍ଚରେ କାଉଙ୍କ ଠାରେ ଫ୍ଲୁର କୌଣସି ଲକ୍ଷଣ ସ୍ପଷ୍ଟ ଜଣାପଡ଼ୁନାହିଁ। ଏହାର ସିରମ ନମୁନା ଯାଞ୍ଚ ପରେ ଯାଇ ଯାହା କିଛି କୁହାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe