Image Courtesy of The Indian Express
ଖୋର୍ଦ୍ଧା: ପ୍ରାୟ ୫ ବର୍ଷ ପୂର୍ବେ ଏକ ଘରୋଇ ମେଡିକାଲ୍ ମହାବିଦ୍ୟାଳୟରେ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଏକ ମାମଲାର ବିଚାର କରି ଖୋର୍ଦ୍ଧା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ (ସିଜେଏମ୍) ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲ୍ ଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। କଟକ ସିଡିଏ ଅଂଚଳର ଡାକ୍ତର ତ୍ରିଲୋଚନ ବାରିକଙ୍କ ପୁଅ
ଖୋର୍ଦ୍ଧାରେ ଆର୍ଟିଓ କାର୍ଯ୍ୟାଳୟରେ କାର୍ଯ୍ୟତର ଜଣେ କର୍ମଚାରୀଙ୍କ ଦ୍ୱାରା ବାଙ୍ଗାଲୁରୁର ଏକ ସଫ୍ଟୱେୟାର୍ କମ୍ପାନିର କର୍ମଚାରୀ ପ୍ରଦୋଷ ଦାସଙ୍କ ସହ ପରିଚିତ ହୋଇଥିଲା। ପରେ ସେଠାରେ ଥିବା ଏକ ଘରୋଇ ମେଡିକାଲ୍ କଲେଜରେ ନାମ ଲେଖାଇଦେବା ନିମନ୍ତେ ଡାକ୍ତର ତ୍ରିଲୋଚନଙ୍କ ଠାରୁ ପ୍ରଦୋଷ ୬ଟି ପର୍ଯ୍ୟାୟରେ ୨୦ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ଏହି ସମସ୍ତ ଟଙ୍କା ତ୍ରିଲୋଚନ ନିଜ ଖୋର୍ଦ୍ଧା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରେ ଥିବା ଆକାଉଟାଣ୍ଟ ପ୍ରଦୋଷଙ୍କ ଜମାଖାତାକୁ ପଠାଇଥିଲେ। ଟଙ୍କା ପାଇବା ପରେ ମେଡିକାଲ୍ କଲେଜରେ ନାମ ଲେଖାଇବା ସମ୍ପର୍କିତ କିଛି କାଗଜପତ୍ର ତ୍ରିଲୋଚନଙ୍କୁ ପ୍ରଦୋଷ ଦେଇଥିଲେ।
କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତ୍ରିଲୋଚନଙ୍କ ପୁଅଙ୍କ ଆଡମିସନ୍ ହୋଇ ନପାରିବାରୁ ସେ ପ୍ରଦୋଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରଦୋଷ ତ୍ରିଲୋଚନଙ୍କୁ ଆଉ ଧରାଛୁଆଁ ଦେଇନଥିଲେ। ଏନେଇ ଡାକ୍ତର ତ୍ରିଲୋଚନ ଖୋର୍ଦ୍ଧା ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଭିତ୍ତିରେ ୩୬୭/୨୦୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଦୋଷକୁ ଧରିବାକୁ ପ୍ରଯତ୍ନ କରିଥିଲା। ଶେଷରେ ଫୋନ୍ ନମ୍ବର ଆଦି ଟ୍ରାକିଂ କରି ପ୍ରଦୋଷକୁ ଯାଁଳାର ଏକ ଆପାର୍ଟମେଣ୍ଟରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏନେଇ ସୂଚନା ଦେଇ ସରକାରୀ ଓକିଲ ବୀରେନ୍ଦ୍ର କୁମାର ପ୍ରହରାଜ କହିଛନ୍ତି ଯେ ଏହି ମାମଲାର ବିଚାର କରି ଚଳିତ ମାସ ୨୦ ତାରିଖରେ ସିଜେଏମ୍ ହରପ୍ରସାଦ ପାଢ଼ୀ ଅଭିଯୁକ୍ତ ପ୍ରଦୋଷକୁ ଆଇପିସି ଦଫା ୪୨୦, ୪୬୭, ୪୬୮, ୪୭୧ ଓ ୬୬-୬୭ ଆଇଟି ଆଇନରେ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟରେ ଅତିିରିକ୍ତ ୬ ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଶ୍ରୀପ୍ରହରାଜଙ୍କ ସହ ଅନ୍ୟତମ ସରକାରୀ ଓକିଲ ଅରୁଣ କୁମାର ସ୍ୱାଇଁ ମାମଲାର ପରିଚାଳନା କରିଥିଲେ।
Follow Us