ପିହୁ ନିଖୋଜ ଘଟଣା, ପରିବାରକୁ ଭେଟିଲେ ଶିଶୁ ସୁରକ୍ଷା ଆୟୋଗ

Advertisment

କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଇସାରା

କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଇସାରା

ପିହୁ ନିଖୋଜ ଘଟଣା, ପରିବାରକୁ ଭେଟିଲେ ଶିଶୁ ସୁରକ୍ଷା ଆୟୋଗ

ବିଂଝାରପୁର/ ଯାଜପୁରସଦର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ଘଟଣା ଜିଲ୍ଲା ପୁଲିସକୁ ଅଡୁଆରେ ପକାଇଛି। ଏସଂପର୍କରେ ସ୍ଥିତି ପରିଖିବା ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଯାଜପୁର ସର୍କିଟ ହାଉସ ଠାରେ ପ୍ରଶାସନ ଓ ପୁଲିସ ସହ ଆଲୋଚନା କରିବା ସହ ପିହୁର ଗ୍ରାମକୁ ଯାଇ ପରିବାରବର୍ଗଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ପୁଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯାଇଥିବା ଜଣାଯାଇଛି।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଦରକାର ପଡିଲେ କ୍ରାଇମବ୍ରାଞ୍ଚର ସହଯୋଗ ନିଆଯିବ ବୋଲି ଶ୍ରୀମତୀ ପ୍ରଧାନ କହିଥିଲେ। ପ୍ରଶାସନ ସହ ଆଲୋଚନା ବେଳେ ଅଧ୍ୟକ୍ଷାଙ୍କ ସ‌ମେତ କମିଟି ସଦସ୍ୟା ଦିବ୍ୟା ଶାସ୍ବତୀ, ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ଶିଶୁ ସୁରକ୍ଷା ଅଧିକାରୀ ନିରଜଂନ କର, ମିହିର ଜେନା, ଏସଡିପିଓ ନାରାୟଣ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ମିହିର ପ୍ରସାଦ ଜେନା, ସିଡିପିଓ ପ୍ରାଣେଶ୍ଵରୀ ପାଣିଗ୍ରାହୀ, ଏସଡିପିଓ ନାରାୟଣଚନ୍ଦ୍ର ବାରିକ, ଆଇଆଇସି ନିରଂଜନ ଶବର, ଏସଆଇ ଅନାମିକା ଥାଟୋଇ,ଏସଆଇ ରମେଶଚନ୍ଦ୍ର ନାୟକ ପ୍ରମୁଖ ମଧୁସୂଦନପୁର ରଥସାହି ଗ୍ରାମରେ ପହଞ୍ଚି ନିଖୋଜ ପିହୁଙ୍କ ପରିବାରକୁ ଭେଟିଛନ୍ତି ।

ପିହୁର ମା' ମୋନାଲିସା ନାୟକ, ବାପା ଲକ୍ଷ୍ମଣ କୁମାର ନାୟକ ଓ ଆଈ କବିତା ନାୟକଙ୍କୁ ଭେଟି ପିହୁ ନିଖୋଜ ବେଳେ କ'ଣ କରୁଥିଲା, କେଉଁଠାରୁ ନିଖୋଜ ହେଲା, ନିଖୋଜ ପରେ କାହାକୁ ଜଣାଇଥିଲେ, ଅଙ୍ଗନଓ୍ଵାଡି କର୍ମୀ କି ପ୍ରକାର ସହାୟତା କରିଛନ୍ତି, ସରପଞ୍ଚ କ'ଣ ସହାୟତା କରିଛନ୍ତି, ସାମାଜିକ କର୍ମୀ କେହି ସହାୟତା କରୁଛନ୍ତି କି, ପୁଲିସ ତଦନ୍ତରେ ସନ୍ତୁଷ୍ଟ କି, ନିଖୋଜର କେତେ ସମୟ ପରେ ଆପଣ ଥାନାରେ ଅଭିଯୋଗ କରିଥିଲେ ଏଭଳି ଅନେକ ପ୍ରଶ୍ନ କରିଥିଲେ।

ପିହୁ ନିଖୋଜ ଘଟଣାକୁ ପୁଲିସ ଆରମ୍ଭରୁ ହାଲୁକା ଭାବେ ଗ୍ରହଣ କରିଛି । ଅଭିଯୋଗର ୫ଦିନ ପରେ ପୁଲିସ ମାମଲା ରୁଜୁ କରିଛି । ସେହିପରି ସିଡିପିଓ, ଅଙ୍ଗନଓ୍ଵାଡି କିମ୍ଵା ସାମାଜିକ କର୍ମୀଙ୍କ ପକ୍ଷରୁ କୌଣସି ସହାୟତା ମିଳି ନଥିବା ମା' ମୋନାଲିସା କହିଥିଲେ। ତଦନ୍ତ ଠିକ୍ ଭାବରେ ହୋଇ ନଥିବାରୁ ପିହୁ ଆଜି ପର୍ଯ୍ୟନ୍ତ ମିଳୁନାହିଁ ବୋଲି ମୋନାଲିସା ଅଭିଯୋଗ କରିବା ସହ ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ସେ ଦାବି କରିଥିଲେ। ଯାଜପୁର ଏସପି ଚରଣସିଂ ମୀନାଙ୍କ ସହିତ ଆଲୋଚନା ପରେ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ପରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଗ୍ରାମବାସୀଙ୍କୁ ପଚରା ଉଚରା କରି ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe