ପଞ୍ଚାୟତ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ, ଅନିୟମିତତା ନେଇ ସରପଞ୍ଚଙ୍କୁ ଘେରିଲେ ଲୋକ

ପଞ୍ଚାୟତ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ, ଅନିୟମିତତା ନେଇ ସରପଞ୍ଚଙ୍କୁ ଘେରିଲେ ଲୋକ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପଶାସନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ପୂର୍ବାହ୍ନରେ ଉକ୍ତ ପଞ୍ଚାୟତ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସରକାରଙ୍କ ବିଭିଧ ଜନ କଲ୍ୟାଣ ଯୋଜନାରୁ ବାଦପଡ଼ିଥିବା ବିଭିନ୍ନ ୱାର୍ଡ଼ର ଅନେକ ଲୋକ ମେଳି କରି ଆଜି ଉକ୍ତ କାର୍ୟ୍ୟାଳୟ ପରିସରରେ ପହଞ୍ଚି ଏହାର ଦୃଢ଼ ପ୍ରତିବାଦ ଜଣାଇଥିଲେ । ପଞ୍ଚାୟତ ସରପଞ୍ଚ ଭାଗ୍ୟଧର ନନ୍ଦୀଙ୍କୁ ପ୍ରକୋଷ୍ଠରେ ଘେରି ବିଭିନ୍ନ ଅନିୟମିତତାର କୟିଫିୟତ ମାଗିଥିଲେ । ସରପଞ୍ଚଙ୍କ ବିରୋଧରେ ନାନାଦି ସ୍ଲୋଗାନ ଦେଇଥିଲେ । ଏଥିସହିତ ଏସଂପର୍କିତ ଦାବିପତ୍ର ମଧ୍ୟ ସରପଞ୍ଚ ଶ୍ରୀ ନନ୍ଦୀଙ୍କୁ ପ୍ରଦାନ କରିଥିଲେ । ବାଲିଅନ୍ତା ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ପହଞ୍ଚି ଏହାର ନକଲ ବିଡିଓ ଆଦିକନ୍ଦ ବେହେରା ଓ ସୁଚିତ୍ରା ଜେନାମଣୀଙ୍କୁ ପ୍ରଦାନ କରିଥିଲେ । ପଞ୍ଚାୟତରେ ହୋଇଥିବା ପ୍ରମୁଖ ଅନିୟମିତତା ଭିତରେ ରହିଛି, ସାପ୍ତାହିକ ହାଟ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ୯ଟି ଦୋକାନ ଘର ଆବଣ୍ଟନରେ ଅନିୟମିତତା । ଉଲ୍ଲେଖଯୋଗ୍ୟ ଦୀର୍ଘ ୫୦ ବର୍ଷ ଧରି ପରିବା ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ରଙ୍ଗଣିସାହିର ଛବିନ୍ଦ୍ର ସାହୁଙ୍କୁ ଅଗ୍ରାଧିକାର ଭିତ୍ତିରେ ପଞ୍ଚାୟତ ଜନ ପ୍ରତିନିଧି ଦୋକାନ ପ୍ରଦାନ ନକରି ଜଣେ ପୁଞ୍ଜିପତି ଲୋକଙ୍କ ନାମରେ ଦୋକାନ ଘର ମଞ୍ଜୁର କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ପଞ୍ଚାୟତ ପରିସରରେ ଭଡ଼ାସୂତ୍ରରେ ଲାଗିଥିବା ଦୋକାନ ଘର ଉଚ୍ଛେଦ , ଏକାଧିକ ହାଟ ପିଣ୍ଡି ଓ ଦୋକାନ ଘର ପ୍ରଦାନ କରାଯାଇଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବା , ଠିକାଦାରୀ କାର୍ୟ୍ୟ ପ୍ରକ୍ରିୟାରେ ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରିୟାପ୍ରୀତିକୁ ବିରୋଧ , ଫନି ଓ ପିଠା କାର୍ୟ୍ୟକ୍ରମରେ ଅନିୟମିତତା , ଭାର୍ଗବୀ ନଦୀବ୍ରିଜ ଉପରେ ଲାଗିଥିବା ସୌର ଲାଇଟର ମରାମତି ଆଦି ମୁଖ୍ୟ ପ୍ରସଙ୍ଗ ରହିଛି । ସମସ୍ୟାର ସମାଧାନ ନେଇ କର୍ତୃପକ୍ଷ ଆଶୁ ପଦକ୍ଷେପ ଗ୍ରହଣ ନକଲେ ସରପଞ୍ଚଙ୍କ ଇସ୍ତଫା ନେଇ ଜନ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe