Sambad
ଚୌଦ୍ବାର: ପୌର ନିର୍ବାଚନ ପାଇଁ ଚୌଦ୍ବାର ଅଂଚଳ ଚଳଚଂଚଳ ହୋଇଉଠିଥିବା ବେଳେ ଆସନ୍ତାକାଲି ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବା ପୂର୍ବରୁ ସବୁ ଦଳର ପ୍ରାର୍ଥୀମାନେ ଡୋର୍ କ୍ୟାମ୍ପେନିଂ କରିବା ସହ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଗୋଟିଚାଳନା କରୁଛନ୍ତି। ତେବେ, ଆଜି ଦୁଇଗୋଷ୍ଠୀ ଡୋର୍ କ୍ୟାମ୍ପେନିଂ ସମୟରେ ସାମ୍ନସାମ୍ନି ହେବା ସହ ଭେଦଭାବ ଭୁଲି ଭାଇଚାରାର ପରମ୍ପରା ଦେଖାଇବା ସହ ଉଭୟ ଗୋଷ୍ଠୀ କୋଳାକୋଳି ହେବା ସହ ସ୍ଲୋଗାନ୍ ଦେଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ମଧ୍ୟାହ୍ନରେ ୧୦ନଂ. ୱାର୍ଡରେ ବିଜେପି ଓ ବିଜେଡି ପକ୍ଷରୁ ଶହ ଶହ ସମର୍ଥକଙ୍କ ସହ ଡୋର୍ କ୍ୟାମ୍ପେନିଂ କରାଯାଉଥିଲା। ସମୟରେ ଯଯାତି କେଶରୀ କ୍ଲବ୍ ନିକଟସ୍ଥ ମଙ୍ଗଳାମନ୍ଦିର ଚାରିଛକରେ ଉଭୟ ଗୋଷ୍ଠୀ ପରସ୍ପରର ସାମ୍ନାସାମ୍ନି ହୋଇଯାଇଥିଲେ। ଉଭୟ ଗୋଷ୍ଠୀ ମାଇକ୍ ପ୍ରଚାରକୁ ଜୋର୍ଦାର କରିବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିଲା। ଘଟଣାସ୍ଥଳରେ ଉଭୟ ଦଳର ଶତାଧିକ କର୍ମୀ ଓ ମହିଳା ଉପସ୍ଥିତ ଥିବା ବେଳେ ବିଜେଡିର ନଗରପାଳ ପ୍ରାର୍ଥୀ ମାନସୀ ସ୍ବର୍ଣ୍ଣପ୍ରଭା ସାମଲ ଓ ବିଜେପି ପ୍ରାର୍ଥୀ ଇଂ. ଦେବସ୍ମିତା ନାୟକଙ୍କ ସମେତ କାଉନସିଲରଥ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ। ତେବେ, ସେପରି କିଛି ଘଟି ନଥିଲା। ଉଭୟ ଗୋଷ୍ଠୀ ଉଚ୍ଚ ସ୍ବରରେ ପ୍ରଚାର କରି ଚାଲିଯାଇଥିଲେ। ଆଜିଠାରୁ ଚଳଚଂଚଳ ହୋଇଛି ଅସନ୍ତୁଷ୍ଟଙ୍କୁ ମନାଇବା କାର୍ଯ୍ୟକ୍ରମ। ଅସନ୍ତୁଷ୍ଟ ପ୍ରାର୍ଥୀମାନଙ୍କୁ ସନ୍ତୋଷଜନକ ପ୍ରଲୋଭନ ଦେଖାଇ ସନ୍ତୁଷ୍ଟ କରାଯିବାକୁ ଚେଷ୍ଟା ଚାଲିଛି। ଆଜି ବିଜେପି ପକ୍ଷରୁ ଚୌଦ୍ବାର ଗ୍ରାମର ୨, ୩ ଓ ୧୪ନଂ. ୱାର୍ଡରେ ପ୍ରଚାର ଆରମ୍ଭ କରାଯାଇଥିବା ବେଳେ ଚୌଦ୍ବାର ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଣ୍ତଳ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଆୟୋଜିତ ବିଶାଳ ପଦଯାତ୍ରା କରାଯିବା ସହ ନଗରପାଳ ପ୍ରାର୍ଥୀ ଇଂ. ଦେବସ୍ମିତା ନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
୨ ଓ ୩ନଂ. ୱାର୍ଡରେ ମଙ୍ଗଳାସାହି, ବଡ଼ବଜାର, ଖରଦାସାହି, କୁମ୍ଭାରସାହି, ସୁଲତାନନଗର, ନୂଆବଣିଆସାହି, ମରହଟ୍ଟାସାହି, ହନୁମାନସାହିରେ ପ୍ରଚାର କରାଯାଇ ପ୍ରଧାନସାହିର ଗୋପାଳଜିଉ ମନ୍ଦିରରେ ସମାପ୍ତ ହୋଇଥିଲା। ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ହୋତା, ବିଜେପି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ବାଇଁ, ଜିଲ୍ଲା ସଂପାଦକ ବୈରାଗୀ ଚରଣ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ଚନ୍ଦ୍ର ବଡ଼ଜେନା, ରମେଶ ଚନ୍ଦ୍ର ନାୟକ, ଶିବ ନାୟକ, ସନ୍ତୋଷ ସାହୁ, ଦୀନବନ୍ଧୁ ମହାରଣା, ଗୌତମ ସାହୁ, ମମତା ବେହେରା, ସିପି ଦଳାଇ, ମୌସୁମୀ ନାୟକ, ମୀନା ଦେହୁରୀଙ୍କ ସମେତ ବହୁ କର୍ମକର୍ତ୍ତା ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଅନୁରୂପ ଭାବେ ବିଜେଡି ପକ୍ଷରୁ ୧୦, ୧୮ ଓ ୧୯ନଂ. ୱାର୍ଡରେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ନେତୃତ୍ବରେ ଘରକୁ ଘର ବୁଲି ମହିଳାଙ୍କ ପାଇଁ ପ୍ରଚାର କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଥିବା ବେଳେ ୧୦ନଂ. ୱାର୍ଡ ପ୍ରାର୍ଥୀ ବିଜୟ କୁମାର ମଲ୍ଲିକ, ୧୯ନଂ. ପ୍ରାର୍ଥୀ ଶୁଭେନ୍ଦୁ ସାମଲ ପ୍ରମୁଖ ଶତାଧିକ ମହିଳାମାନଙ୍କୁ ନେଇ ଦୁଇଟି ୱାର୍ଡରେ ପ୍ରଚାରକୁ ଜୋରଦାର କରିଥିଲେ। ବସନ୍ତ ଦାସ, ଜୟନ୍ତ ସାହୁ, ବିଜୟ ମହାନ୍ତି, ବିରଜା ପ୍ରସାଦ ଦାସ, ରଂଜନ ସାହୁ, ନିତ୍ୟାନନ୍ଦ ସାହୁ, ବାବାଜୀ ସାହୁ, ରାଜଲକ୍ଷ୍ମୀ ବେଉରା, ପ୍ରଭଂଜନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିବା ବେଳେ ୧୮ନଂ. ୱାର୍ଡରେ ସ୍ବୟଂସହାୟକ ଗୋଷ୍ଠୀମାନଙ୍କ ସଭାନେତ୍ରୀ ଓ ସଂଯୋଜିକାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଚାର କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଥିବା ବେଳେ ସସ୍ମିତା ବଳ, ସରସ୍ବତୀ ଦାସ, ସୌଦାମିନୀ ବାରିକ, କଳ୍ପନା ବେହେରା, ଜ୍ୟୋତ୍ସ୍ନାମୟୀ ମହାନ୍ତି, ରୀତାଂଜଳି ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
Follow Us