୧୦୫ କେଜି ଗଞ୍ଜେଇ ଜବତ: କିଙ୍ଗ୍‌ପିନ୍‌ ସହ ତିନି ଗିରଫ

Advertisment
୧୦୫ କେଜି ଗଞ୍ଜେଇ ଜବତ: କିଙ୍ଗ୍‌ପିନ୍‌ ସହ ତିନି ଗିରଫ

ଚୌଦ୍ୱାର-ଗୁରୁଡିଝାଟିଆ : କମିସନ୍‌ରେଟ ପୁଲିସ ପକ୍ଷରୁ ଶନିବାର ରାତିରେ ଚୌଦ୍ୱାର ଅଞ୍ଚଳରେ ଚଢଉ କରାଯାଇ ୧୦୫ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣର କିଙ୍ଗ୍‌ପିନ ସହ ତିନ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ ଥାନା ଅଧିକାରୀ ରଶ୍ମି ରଂଜନ ମହାପାତ୍ର ଚୌଦ୍ୱାର କେଦାରଶ୍ୱର ଅଞ୍ଚଳ ଦୁଃଶାସନ ପରିଡା ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏକ ଟିମ୍‌ ସହ ତାଙ୍କ ଘରେ ଚଢଉ କରିଥିଲେ । ତାଙ୍କ ଘରେ ୪ଟି ଜରି ବ୍ୟାଗରେ ଗଞ୍ଜେଇ ଥିବା ଦେଖି ପୁଲିସ ଏହାକୁ ଜବତ କରିଥିଲା। ଜବତ ଗଞ୍ଜେଇର ଓଜନ ୧୦୫ କେଜି ୭୫୦ଗ୍ରାମ ବୋଲି ଓଜନ ହେବା ପରେ ଜଣାଯାଇଛି। ଏହି କାରବାରେ ସମ୍ପୃକ୍ତ ଦୁଃଶାସନଙ୍କ ଘରକୁ ଗଞ୍ଜେଇ ନେବା ପାଇଁ ଆସିଥିବା ଜଗତପୁର ଥାନା ଅନ୍ତର୍ଗତ ବିଶ୍ୱନାଥପୁରର ଦୀପକ କୁମାର ଦାସ (୨୬), ସାଲେପୁର ଥାନା ଅନ୍ତର୍ଗତ ବହୁଗ୍ରାମର ଚିନ୍ମୟ ସାମଲ (୨୧)ଙ୍କୁ ମଧ୍ୟ ପୁଲିସ କାବୁକରି ନେଇଥିଲା । ପରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଏକ ଟିଭିଏସ ଆପାଚି ବାଇକ ଜବତ କରିଥିଲା ।

ଗିରଫ ଦୁଃଶାସନ ଅନୁଗୁଳ ଓ କଟକରୁ ଗଞ୍ଜେଇ ଆଣି ନିଜ ଘରେ ଗଚ୍ଛିତ ରଖୁଥିଲେ । ତାଙ୍କଠୁ ଦୀପକ ଓ ଚିନ୍ମୟ ସେଗୁଡିକୁ ନେଇ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ । ଦୁଃଶାସନ ଦୀର୍ଘଦିନ ହେବ ଏହି ବେଆଇନ ଗଞ୍ଜେଇ କାରବାର କରିଆସୁଥିଲେ ମଧ୍ୟ ଚୌଦ୍ୱାର ଅବକାରୀ କାର୍ଯ୍ୟାଳୟ ସେଥିପ୍ରତି ଆଖିବୁଜି ତାଙ୍କୁ ଅବାଧ କାରବାର ପାଇଁ ପ୍ରୋତ୍ସାହିତ କରିଆସୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । କଟକ ଜିଲ୍ଲା ଅବକାରୀ ବିଭାଗର କେତେକ ଅଧିକାରୀ ଏହି ବେଆଇନ କାରବାରକୁ ଜାଣିଶୁଣି ପ୍ରେତ୍ସାହନ ଦେଉଥିବା ଜଣାପଡିଛି । ଗିରଫ ୩ ଜଣଙ୍କ ବିରୋଧରେ ଏନ୍‌ଡିପିଏସ ଆକ୍ଟରେ ମକଦ୍ଦମା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି । ଗିରଫ ଚିନ୍ମୟ ସାମଲ ନାମରେ ଚୌଦ୍ୱାର, ସାଲେପୁର, ଜଗତପୁର ଥାନାରେ ୯ରୁ ଅଧିକ ମକଦ୍ଦମା ଥିବାର ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe