The News Insight
କଟକ: ଅଲଟ୍ରାସାଉଣ୍ଡ ପାଇଁ ଲାଗି ଯାଉଛି ୧୨ ଦିନ। ଏପଟେ ଅଲଟ୍ରାସାଉଣ୍ଡ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଶୀତକାକରରେ ଖୋଲା ଆକାଶ ତଳେ ଛଟପଟ ହେଉଥିବ ରୋଗୀ। କର୍କଟ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରିପୋର୍ଟ ଓ ଟେଷ୍ଟିଂ ପାଇଁ ଦିନ ଦିନ ଧରି ହନ୍ତସନ୍ତ ହେଉଥିବା କର୍କଟ ରୋଗୀଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଗଲା ୫ଦିନ ହେଲା ଖୋଲା ଆକାଶ ତଳେ କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ର ବାହାରେ ପଡି ରହିଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବରାହମୁଣ୍ଡି ଗାଁର ସନ୍ତୋଷ ଭଂଜ(୩୨)। ଆଉ କେତେଦିନ ଏହିଭଳି ଅବସ୍ଥାରେ ରହିବେ ତା’ ମଧ୍ୟ ତାଙ୍କୁ ଜଣା ନାହିଁ। କେବଳ ସନ୍ତୋଷ ନୁହନ୍ତି ତାଙ୍କ ଭଳି ଅନେକ ରୋଗୀଙ୍କ ଅବସ୍ଥା ଏମିତି। ଏମିତି ବି ଅନେକଙ୍କୁ ଅଲଟ୍ରଆସାଉଣ୍ଡ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ମାସେ ସମୟ ଲାଗୁଛି।
ସନ୍ତୋଷଙ୍କ କର୍କଟ ରୋଗର ଚିକିତ୍ସା ପାଇଁ କଟକ ନେଇ ଆସିଥିବା ତାଙ୍କ ସାଙ୍ଗ ଡମରୁଧରଙ୍କ କହିବା ଅନୁସାରେ, ୨୦୧୯ ମସିହାରେ ସନ୍ତୋଷଙ୍କ ବାମ କାନରେ ଘା’ ଭଳିଆ ହୋଇଥିଲା। ପ୍ରଥମେ ବୁର୍ଲା ଡାକ୍ତରଖାନାରେ ଦେଖାଇବା ପରେ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ସ୍ଥାନୀୟ ଡାକ୍ତର ତୁରନ୍ତ ତାଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ। ଡିସେମ୍ବର ମାସରେ ସେ କଟକର କର୍କଟ ରୋଗ ପ୍ରତିଷ୍ଠାନରେ ଦେଖାଇଲେ।
ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିଭିନ୍ନ ପ୍ରକାର ପରୀକ୍ଷଣ ପରେ ୨ ପ୍ରତିଶତ କିଡନି ରୋଗ ହୋଇଥିବା ଜଣାପଡ଼ିଥିଲା। ଏଥି ଯୋଗୁଁ କିଡନି ରୋଗ ବିଭାଗକୁ ଦେଖାଇବାକୁ କର୍କଟ ରୋଗ ବିଶେଷଜ୍ଞ ପରାମର୍ଶ ଦେଇଥିଲେ। ସେଠାରେ ସିଟି ସ୍କାନ, ଅଲଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦେଲେ। କିଡନି ସମସ୍ୟା ଯୋଗୁଁ ସିଟି ସ୍କାନ ହେଲା ନାହିଁ। ଅଲଟ୍ରାସାଉଣ୍ଡ ପାଇଁ ୨୦୨୦ ମସିହା ମାର୍ଚ୍ଚ ମାସରେ ଆସିବାକୁ କହିଥିଲେ। ଠିକ ସେହି ସମୟରେ ଲକଡାଉନ ଘୋଷଣା ହୋଇଗଲା। ତେଣୁ ସନ୍ତୋଷଙ୍କ ପକ୍ଷରେ କଟକ ଆସିବା ସମ୍ଭବ ହେଲା ନାହିଁ। ଏଣେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଅକ୍ଟୋବର ମାସରେ ଟ୍ୟୁମର ଫାଟିଯିବାରୁ ଅବସ୍ଥା ଜଟିଳ ହୋଇ ପଡ଼ିଲା। ଶ୍ରମିକ ପରିବାର ହୋଇଥିବାରୁ ଅର୍ଥ ସାଜିଥିଲା ବାଧକ। ଗତ ୬ ତାରିଖରେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ଡାକ୍ତରଙ୍କୁ ଦେଖାଇଲେ। ଟ୍ୟୁମର ଫାଟି ଯାଇଥିବାରୁ ଡାକ୍ତର ପୁନର୍ବାର ତାଙ୍କୁ ପୁରୁଣା ଟେଷ୍ଟ ପାଇଁ କହିଥିଲେ। ପୂର୍ବଭଳି ୨ ପ୍ରତିଶତ କିଡନି ରୋଗ ବାହାରିଥିଲା। ଅଲଟ୍ରାସାଉଣ୍ଡ ପାଇଁ ଆଗାମୀ ଜାନୁଆରି ୨୨ ତାରିଖ ନିର୍ଦ୍ଧାରଣ କରାଗଲା। ଏଥିସହିତ ପୁନର୍ବାର କିଡନି ରୋଗ ବିଶେଷଜ୍ଞଙ୍କୁ ଦେଖାଇବାକୁ କହିଲେ। କିଡନି ରୋଗ ବିଶେଷଜ୍ଞ କେବଳ ମଙ୍ଗଳବାର, ଗୁରୁବାର ଦେଖିଥାଆନ୍ତି।
ଏହି ସମୟ ପର୍ଯ୍ୟନ୍ତ ସନ୍ତୋଷଙ୍କୁ ଡାକ୍ତରଖାନାରେ ଆଡମିସନ ପାଇଁ ପରିବାର ଅନୁରୋଧ କରିଥିଲେ। ମାତ୍ର ବର୍ତ୍ତମାନ ଏଠାରେ ଆଡମିସନ ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ। ଏଣେ ପ୍ରତି ମୁହୂର୍ତ୍ତରେ ସନ୍ତୋଷଙ୍କ ଅବସ୍ଥା ଗୁରୁତର ହେଉଛି। ଏପଟେ ଅଲଟ୍ରାସାଉଣ୍ଡ, କିଡନି ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇବା ତାରିଖକୁ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଯନ୍ତ୍ରଣାରେ ଛଟପଟ ସନ୍ତୋଷ ଖୋଲା ଆକାଶ ତଳେ ଗଡୁଛନ୍ତି। ଏପଟେ ରୋଗ ଯନ୍ତ୍ରଣା, ସେପଟେ ପାଖରେ ଟଙ୍କା ନାହିଁ। ଏମିତି ଭିତ୍ତିଭୂମିରେ ମାଗଣା ଚିକିତ୍ସା ବ୍ୟବସ୍ଥା ଦେଉଛନ୍ତି ସରକାର, ହେଲେ ଯଦି ଭିତ୍ତିଭୂମିର ବିକାଶ ପ୍ରତି ଗୁରୁତ୍ବ ଦିଆନଯାଏ ତାହେଲେ କର୍କଟ କେନ୍ଦ୍ରରେ ରୋଗୀ ମାଗଣା ସେବା ନାଁରେ ରୋଗୀ ହିନସ୍ତା ହେବା ହିଁ ସାର ହେବ ବୋଲି ଅଭିଯୋଗ କରିଛନ୍ତି ରୋଗୀ ସଂପର୍କୀୟ ଡମ୍ବରୁ ସାହୁ।
Follow Us