ଆଠଗଡ଼: କଟକ ଜିଲ୍ଳାର ଆଠଗଡ଼ ବ୍ଲକ୍ ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତସ୍ଥିତ ମହାଲକ୍ଷ୍ମୀପୁର ଗ୍ରାମବାସୀମାନେ ବାସି ଖାଦ୍ୟ ଖାଇବାରୁ ସୋମବାର ଗ୍ରାମର ପ୍ରାୟ ୪୦ ଶିଶୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ମହାଲକ୍ଷ୍ମୀପୁର ଗାଁ ଲୋକମାନେ ନିକଟସ୍ଥ ପାର୍ବତୀପୁର ଗ୍ରାମର ଜଣକ ଦଶାହ ଭୋଜି ଖାଇବାକୁ ଯାଇଥିଲେ। ଦଶାହ ଭୋଜିରେ ବାସି ଖାଦ୍ୟ ଖାଇବାକୁ ମିଳିବାରୁ ଖାଇ ସାରିବା ପରେ ଲୋକମାନେ ଅସୁସ୍ଥ ହୋଇପଡ଼ିଥିଲେ।
ଖବର ରହିଛି ଯେ, ସେହି ଭୋଜି ଖାଇ ଫେରିବା ପରେ ଗ୍ରାମର ପ୍ରାୟ ୪୦ ଜଣ ଶିଶୁ ଝାଡ଼ା, ବାନ୍ତିରେ ଆକ୍ରାନ୍ତ ହେବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କୁ ଆମ୍ଭୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତୁରନ୍ତ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଆଠଗଡ଼ ଉପଖଣ୍ଡ ମେଡିକାଲ୍ର ସୁପରିଟେଣ୍ଡେଣ୍ଟ୍ ଡ. ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଶିଶୁମାନଙ୍କର ଚିକିତ୍ସା କରାଯାଇଥିଲା। ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସୁସ୍ଥ ଅଛି ବୋଲି ସୂଚନା ରହିଛି।
Follow Us